ଭାନତୁରେ ସ୍ଥାୟୀ ସାମରିକ ଘାଟି ନିର୍ମାଣ ଯୋଜନା କରୁଛି ଚୀନ୍
ସିଡ୍ନୀ : ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ନିଜର ସାମରିକ ଶକ୍ତି ବୃଦ୍ଧି ଯୋଜନା ଚଳାଇଛି ଚୀନ୍। ଏହି ଯୋଜନାରେ ଚୀନ୍ ଏବେ ଅଷ୍ଟ୍ରେଲିଆ ନିକଟସ୍ଥ ଭାନତୁ ଉପରେ ଦୃଷ୍ଟି ନିକ୍ଷେପ କରିଛି। ଏହି କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ରରେ ନିଜର ଏକ ସ୍ଥାୟୀ ସାମରିକ ଘାଟି ପ୍ରତିଷ୍ଠା କରିବାକୁ ଚୀନ୍ ଯୋଜନା କରିଛି। ଏ ପ୍ରସଙ୍ଗରେ ଇତିମଧ୍ୟରେ ଚୀନ୍ ସରକାରଙ୍କ ପକ୍ଷରୁ ଭାନତୁ ପ୍ରଶାସନ ସହିତ ଯୋଗାଯୋଗ କରାଯାଇଥିବା ନେଇ ଅଷ୍ଟ୍ରେଲୀୟ ଗଣମାଧ୍ୟମ ‘ଫାୟାରଫକ୍ସ ମିଡିଆ’ ମଙ୍ଗଳବାର ଏକ ରିପୋର୍ଟ ପ୍ରକାଶ କରିଛି। ଅଜ୍ଞାତ ସୂତ୍ରରୁ ମିଳିଥିବା ତଥ୍ୟ ସମ୍ବଳିତ ଏହି ରିପୋର୍ଟରେ କୁହାଯାଇଛି, ସ୍ଥାୟୀ ସାମରିକ ଘାଟି ପ୍ରତିଷ୍ଠା କରିବା ଲାଗି ଯଦିଓ ଚୀନ୍ ଏଯାବତ୍ ବିଧିବଦ୍ଧ ଭାବେ ପ୍ରସ୍ତାବ ଦେଇ ନାହିଁ; ତଥାପି ଏ ବିଷୟରେ ଉଭୟ ରାଷ୍ଟ୍ର ମଧ୍ୟରେ ପ୍ରାରମ୍ଭିକ ଆଲୋଚନା ହୋଇଛି। ଏହି ଆଲୋଚନାରେ ଘାଟି ନିର୍ମାଣ ସ୍ଥଳ ବିଷୟ ଆଲୋଚନା ହୋଇଛି। ଚୀନ୍ର ଏହି ଯୋଜନା କାର୍ଯ୍ୟାନ୍ୱୟନ ହେଲେ ଆଞ୍ଚଳିକ ଶାନ୍ତି ଭଙ୍ଗ ହେବାର ଆଶଙ୍କା ରହିଛି।
ଏହି ପ୍ରସଙ୍ଗ ଉପରେ କାନ୍ବେରା ଏବଂ ୱାଶିଂଟନ୍ଠାରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ମଧ୍ୟ ହୋଇଛି; କିନ୍ତୁ ଚୀନ୍ର ଏହି ପଦକ୍ଷେପକୁ ଉଭୟ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ହାଲ୍କା ଭାବେ ଗ୍ରହଣ କରିଛନ୍ତି। ଚୀନ୍ ସହିତ ସାମରିକ ଘାଟି ପ୍ରତିଷ୍ଠା ନେଇ ବିଧିବଦ୍ଧ ଭାବେ କୌଣସି ଆଲୋଚନା ହୋଇ ନଥିବା ଭାନତୁ ସରକାର ସ୍ପଷ୍ଟ କରିଥିବା ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ ଜୁଲି ବିଶପ ପ୍ରକାଶ କରିଛନ୍ତି। ଅନ୍ୟପଟେ ସମଗ୍ର ବିଶ୍ୱରେ ନିଜର ଶକ୍ତି ବୃଦ୍ଧି କରିବା ନେଇ ଚୀନ୍ର ଉଦ୍ୟମ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ସେ ଦର୍ଶାଇଛନ୍ତି।