ବିଶ୍ୱସନୀୟ ଖବର ସମାଜ ଗଢ଼େ, ଗଣତନ୍ତ୍ରକୁ ସୁଦୃଢ଼ କରେ: ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି

ଭୁବନେଶ୍ୱର: ସତ୍ୟ ସମ୍ବାଦ ପରିବେଷଣର ଦାୟିତ୍ୱ ସାମ୍ବାଦିକତାର ମୂଳମନ୍ତ୍ର। ବିଶ୍ୱସନୀୟ ଖବର ସମାଜ ଗଠନରେ ସହାୟକ ହେବା ସହିତ ଗଣତନ୍ତ୍ରକୁ ସୁଦୃଢ଼ କରିଥାଏ। ସାମ୍ବାଦିକତାର ଆଦର୍ଶ, ମୂଲ୍ୟବୋଧ ହିଁ ପାଠକଙ୍କ ନିକଟରେ ବିଶ୍ୱସନୀୟତା ସୃଷ୍ଟି କରିଥାଏ। ଗଣତନ୍ତ୍ରରେ ଏକ ଚାପମୁକ୍ତ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି। ବିଭିନ୍ନ ଚାପରୁ ନିଜକୁ ମୁକ୍ତରଖି ନିର୍ଭିକ ଭାବେ ସତ୍ୟ ସମ୍ବାଦ ପରିବେଷଣ କରିବାର କଳା ଗଣମାଧ୍ୟମଗୁଡ଼ିକ ଶିକ୍ଷା କରିବା ସହ ସାମ୍ବାଦିକମାନଙ୍କୁ ସେ ଦିଗରେ ଉତ୍ସାହିତ କରିବା ଆବଶ୍ୟକ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟର ଲୋକ ପ୍ରଶାସନ ଏବଂ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ବାଣୀବିହାର ନ୍ୟୁଏକାଡେମିକ ବ୍ଲକରେ ଆୟୋଜିତ ଜାତୀୟ ପ୍ରେସ ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଥିଲେ ଯେ ଚାପ ମଧ୍ୟରେ ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ କରିବା ସାମ୍ବାଦିକମାନଙ୍କର କର୍ତ୍ତବ୍ୟ। ଏଥିପାଇଁ ସେମାନେ ନିଜକୁ ସତର୍କ ରଖିବା ସହିତ ସଂଗୃହିତ ସୂଚନାର ବିଭିନ୍ନ ଦିଗପ୍ରତି ପାଠକଙ୍କ ଦୃଷ୍ଟି ଆକର୍ଷଣ କରିବା ଆବଶ୍ୟକ। ଏବେ ଛାତ୍ରଛାତ୍ରୀଙ୍କ ପାଇଁ ସାମ୍ବାଦିକତାରେ କ୍ୟାରିୟର ଗଠନ କରିବାରେ ଅନେକ ସୁଯୋଗ ରହିଛି। ଏଥିପାଇଁ ସମ୍ବିଧାନ ପ୍ରଦତ୍ତ ନିୟମ ଭିତରେ ରହି ସେମାନେ କିଭଳି ଖବର ସଂଗ୍ରହ ଓ ପରିବେଷଣର କଳା ଶିକ୍ଷାଗ୍ରହଣ କରିପାରିବେ ସେଥିପ୍ରତି ଗୁରୁତ୍ୱ ଦେବା ଉଚିତ ବୋଲି ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ଇଣ୍ଡିଆନ ଏକ୍ସପ୍ରେସ’ର ପୂର୍ବତନ ଆବାସିକ ସମ୍ପାଦକ ଶ୍ରୀମୟ କର କହିଥିଲେ ଯେ ବର୍ତ୍ତମାନ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ମଧ୍ୟରେ ଯେଉଁ ପ୍ରତିଯୋଗିତା ଚାଳଲିଛି ଅନେକ ସମୟରେ ପ୍ରକୃତ ସମ୍ବାଦ ଜାଣିବା କଷ୍ଟକର ହୋଇପଡୁଛି। ସେଥିପାଇଁ ସାମ୍ବାଦିକମାନେ ଚାପମୁକ୍ତ ହୋଇ ସଠିକ ଖବର ପରିବେଷଣ କରିବା ଦରକାର। ଆଜିକାଲି ପାଠକଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଛାପା ଗଣମାଧ୍ୟମ ପ୍ରକାଶନ ସଂଖ୍ୟା କମୁଛି, କିନ୍ତୁ ଚାହିଦା ରହିଛି। ତେବେ ଛାତ୍ରଛାତ୍ରୀମାନେ ନିୟମିତ ଖବରକାଗଜ ପଢ଼ିବା ସହିତ ପଠନ ଅଭ୍ୟାସ ଜାରି ରଖିଲେ ସଫଳ ସାମ୍ବାଦିକ ହୋଇପାରିବେ ବୋଲି ଶ୍ରୀ କର ପ୍ରକାଶ କରିଥିଲେ।

‘ଟାଇମ୍ସ ଅଫ ଇଣ୍ଡିଆ’ର ପୂର୍ବତନ ବ୍ୟୁରୋ ଚିଫ ରାଜାରାମ ଶତପଥୀ କହିଥିଲେ ଯେ ସାମ୍ବାଦିକଙ୍କ ଅଧିକାରକୁ ରକ୍ଷା କରୁଥିବା ସମ୍ବିଧାନ ପ୍ରଦତ୍ତ ଅଧିକାରଗୁଡ଼ିକର ଅପବ୍ୟବହାର ରୋକାଯିବା ଉପରେ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି। ଏହା ସମସ୍ତଙ୍କର କର୍ତ୍ତବ୍ୟ। ତଥ୍ୟ ସଂଗ୍ରହ ଓ ଖବର ପରିବେଷଣ ସମୟରେ ସାମ୍ବାଦିକମାନେ ନିଜସ୍ୱ ଲକ୍ଷ୍ମଣ ରେଖା ପ୍ରସ୍ତୁତ କରନ୍ତୁ ଏବଂ ତାହା ଯେଭଳି ସେମାନେ ଅତିକ୍ରମ ନ କରିବେ ସେଥିପାଇଁ ପ୍ରୟାସ ଜାରି ରଖନ୍ତୁ। ‘ଦୁମନି ମେଲ’ର ସମ୍ପାଦକ ଡ.ଅଶୋକ କୁମାର ପଣ୍ଡା କହିଥିଲେ ଯେ ପ୍ରେସ ସ୍ୱାଧୀନତା ହେଉଛି ଏକ ସୁଦୃଢ଼ ଗଣତନ୍ତ୍ରର ସ୍ୱାଧୀନତା ଏବଂ ସରକାର ଏହା ବଜାୟ ରଖିବା ଉଚିତ। ଗଣମାଧ୍ୟମ ସମାଲୋଚନା କରିପାରିବ, କିନ୍ତୁ ନକଲି ସମ୍ବାଦ ଏବଂ ଭୁଲ ଖବର ପ୍ରସାରଣରୁ ବିରତ ରହିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ।

ଉତ୍କଳ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ସଂଯୋଜିକା ତଥା ଲୋକ ପ୍ରଶାସନ ବିଭାଗ ମୁଖ୍ୟ ଡ.ପଦ୍ମାଳୟା ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ବରିଷ୍ଠ ଗଣମାଧ୍ୟମ ପ୍ରତିନିଧିମାନେ ସେମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ଶେଷରେ ଡ.ରମାକାନ୍ତ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.