ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବକୁ ସଫଳ କରିବାକୁ କର୍ତ୍ତୃପକ୍ଷଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ବିଶ୍ବବିଦ୍ୟାଳୟର ବରିଷ୍ଠ ପଦାଧିକାରୀଙ୍କୁ ନେଇ ନିୟମିତ ଭାବେ ବୈଠକ କରାଯାଉଛି। ଏପ୍ରିଲ ୩ରେ ସମାବର୍ତ୍ତନ ଉତ୍ସବ ହେବାକୁ ଥିବାବେଳେ ପହିଲାରେ ଏକ ସ୍ବତନ୍ତ୍ର ଉତ୍ସବ କରିବାକୁ ନିଷ୍ପତ୍ତି ନିଆଯାଇଛି। ୩ରେ ହେବାକୁ ଥିବା ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଉପ-ରାଷ୍ଟ୍ରପତି ଏମ୍.ଭେଙ୍କିଆ ନାଇଡୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
୩ ତାରିଖ ସମାବର୍ତ୍ତନ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଦେଶର ୫ ବ୍ୟକ୍ତିତ୍ବଙ୍କୁ ସମ୍ମାନଜନକ ଡିଲିଇଟି ଉପାଧି ପ୍ରଦାନ କରାଯିବ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ) ଗର୍ଭର୍ଣ୍ଣର ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ, କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନରାଲ ଅଫ୍ ଇଣ୍ଡିଆ(ସିଏଜି) ଗିରୀଶ ଚନ୍ଦ୍ର ମୁର୍ମୁ, ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡା, ଭାଭା ଆଟୋମିକ୍ ରିସର୍ଚ୍ଚ ସେଣ୍ଟର(ବାର୍କ)ର ନିର୍ଦେଶକ ଅଜିତ କୁମାର ମହାନ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଡ.ବିଜୟ କୁମାର ସାହୁଙ୍କୁ ଏହି ଉପାଧି ପ୍ରଦାନ କରାଯିବ। ଉପାଧି ପାଇଁ ମନୋନୟନ ହୋଇଥିବା ସମସ୍ତ ବ୍ୟକ୍ତି ଆସନ୍ତା ୩ରେ ଆସିବାକୁ ସୀକୃତି ପ୍ରଦାନ କରିଛନ୍ତି।
୩ରେ ହେବାକୁ ଥିବା ସମାବର୍ତ୍ତନ ଉତ୍ସବରେ ୨୦୧୯-୨୦ ଶିକ୍ଷାବର୍ଷର ମୋଟ ୪୦ ଜଣଙ୍କୁ ପିଏଚ୍ଡି ଓ ୯୦ ଜଣଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରାଯିବ। ଏହା ବ୍ୟତୀତ ୨୦୧୮-୧୯ ଶିକ୍ଷାବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏପ୍ରିଲ ପହିଲାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହେବ। ଏଥିରେ ମୋଟ ୧୩୦ ଜଣଙ୍କୁ ପିଏଚ୍ଡି, ୨ ଜଣଙ୍କୁ ଡିଲିଇଟି ଓ ୯୦ ଜଣଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯିବ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି।
ଉତ୍କଳ ସମାବର୍ତ୍ତନ ଉତ୍ସବରେ ୫ ବ୍ୟକ୍ତିିତ୍ବଙ୍କୁ ମିଳିବ ସମ୍ମାନଜନକ ଡିଲିଇଟି
Popular Categories



