ସମାଜ ଡିଜିଟାଲ ଡେସ୍କ: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟିକ ଆଲୋଚନା ଚାଲିଛି। ହେଲେ ଏହା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଭାରତ ଆମେରିକାକୁ ଶୂନ୍ୟ ଶୁଳ୍କ ପ୍ରସ୍ତାବ ଦେଇଛି ବୋଲି ଟ୍ରମ୍ପ କହିଛନ୍ତି।
ଟ୍ରମ୍ପ ମଧ୍ୟପ୍ରାଚ୍ୟ ଗସ୍ତରେ ଥିବାବେଳେ କତାରର ରାଜଧାନୀ ଦୋହାଠାରେ ଆୟୋଜିକ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ଭାରତ ଆମେରିକାକୁ ଶୂନ୍ୟ ଶୁଳ୍କ ପ୍ରସ୍ତାବ ଦେଇଛି। ଅର୍ଥାତ ଭାରତରେ ବିକ୍ରି ହେବାକୁ ଥିବା ଆମେରିକୀୟ ଉତ୍ପାଦଗୁଡ଼ିକରେ କୌଣସି ଶୁଳ୍କ ଲାଗୁ ହେବ ନାହିଁ।
ଟ୍ରମ୍ପ କହିଛନ୍ତି, ଭାରତରେ କିଛି ବିକ୍ରି କରିବା ଅନ୍ୟନ୍ତ କଷ୍ଟକର। ସେମାନେ(ଭରତ) ଆମକୁ ଏକ ପ୍ରସ୍ତାବ କରିଛନ୍ତି। ସତ କହିବାକୁ ଗଲେ ସେମାନେ ଶୂନ୍ୟ ଶୁଳ୍କ ପ୍ରସ୍ତାବ ଦେଇଛନ୍ତି। ଆମେରିକା ଭାରତ ଉପରେ ୨୬ ପ୍ରତିଶତ ଶୁଳ୍କ ଲଗାଇଥିଲା। କିନ୍ତୁ ପରେ ଏହାକୁ ୯୦ ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲା। ଏଥିରୁ ଭାରତ ଲାଭବାନ ହୋଇଥିଲା। ଆମେରିକାରେ ବିକ୍ରୟ ହେଉଥିବା ଭାରତୀୟ ଉତ୍ପାଦଗୁଡ଼ିକ ଉପରେ ୧୦ ପ୍ରତିଶତ ଶୁଳ୍କ ଲାଗୁ ହେଉଛି।
ଅନ୍ୟପଟେ ଟ୍ରମ୍ପଙ୍କ ଏହି ଦାବି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୀରବ ରହିଥିବା ଅଭିଯୋଗ କରିଛି କଂଗ୍ରେସ। ପ୍ରଧାନମନ୍ତ୍ରୀ କାହିଁକି ଉତ୍ତର ରଖୁନାହାନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି।



