ଲକ୍ଷ୍ନୌ : ଗୃହରକ୍ଷୀମାନଙ୍କ ବେତନ ଦୁର୍ନୀତିରେ ଉତ୍ତର ପ୍ରଦେଶ ପୁଲିସ୍ ଲକ୍ଷ୍ନୌ ଜିଲ୍ଲା କମାଣ୍ଡାଣ୍ଟ୍ କେ.ଏସ୍. ପାଣ୍ଡେଙ୍କୁ ଗିରଫ କରିଛି। ଲକ୍ଷ୍ନୌର ଗୋମତୀ ନଗର ଥାନାରେ ତାଙ୍କ ବିରୁଦ୍ଧରେ ଏକ ଏଫ୍ଆଇଆର୍ ରୁଜ୍ଜୁ ହୋଇଛି। ଗୃହରକ୍ଷୀମାନଙ୍କ ବେତନ ଦୁର୍ନୀତିରେ ଗତ ୨୪ ଘଣ୍ଟା ଭିତରେ ଏହା ହେଉଛି ଷଷ୍ଠ ଗିରଫ।
ବୁଦବାର ଗୌତମ ବୁଦ୍ଧ ନଗରରୁ ୫ ଜଣ ବରିଷ୍ଠ ଅଫିସରଙ୍କୁ ଗିରଫ କରାଯାଇଥିଲା। ସମସ୍ତ ଅଭିଯୁକ୍ତ ଅଫିସର ଗୃହରକ୍ଷୀ ମାନଙ୍କର ଦସ୍ତଖତରେ ଜାଲିଆତି କରି ସେମାନଙ୍କ ନାମରେ ବେତନ ନେଇଥିବାର ଅଭିଯୋଗ ହୋଇଥିଲା। ଏହି ଦୁର୍ନୀତି
ବିଷୟରେ ଜଣାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେହି ଅଫିସରମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୂଚନା ବିଭାଗର ଉପଦେଷ୍ଟା ସଲଭ୍ ମଣି ତ୍ରିପାଠୀ କହିଛନ୍ତି, ଦୁର୍ନୀତିକୁ ଆଦୌ ପ୍ରଶ୍ରୟ ନ ଦେବାପାଇଁ ରାଜ୍ୟ ସରକାରଙ୍କ ନୀତିର ଅଂଶସ୍ୱରୂପ ଏହି ପଦକ୍ଷେପ ନିଆଯାଇଛି। ସେ କହିଛନ୍ତି, ଗତ ୧୫ ଦିନ ମଧ୍ୟରେ ପ୍ରାୟ ୧୨ ଜଣ ଅଭିଯୁକ୍ତ ଏଭଳି ବଡ଼ ବଡ଼ ମାମଲାରେ ଗିରଫ ହୋଇଛନ୍ତି।



