୭ଲକ୍ଷ ଲୋକଙ୍କୁ ମିଳିବ ରୋଜଗାର: ‘ଫିଲ୍ମ ସିଟି’ ଯୋଜନା ଆଣୁଛନ୍ତି ସରକାର

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶରେ ଆଗାମୀ ୩ବର୍ଷ ମଧ୍ୟରେ ୫୦ହଜାର ନୂତନ ନିଯୁକ୍ତି ସୃଷ୍ଟି ହେବ । ଏହାଦ୍ୱାରା ୫ରୁ ୭ଲକ୍ଷ ଲୋକଙ୍କୁ ପରୋକ୍ଷରେ ନିଯୁକ୍ତି ଦିଆଯିବ । ଏନେଇ ଏକ ବଡ ଯୋଜନା ପ୍ରସ୍ତୁତ କରୁଛନ୍ତି ଯୋଗୀ ସରକାର । ମିଳିଥିବା ସୂଚନା ଅନୁସାରେ ଉତ୍ତରପ୍ରଦେଶ ସରକାର ନୋଏଡାରେ ନିଜର ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟ ‘ଫିଲ୍ମ ସିଟି’ ଉପରେ କାମ ଆରମ୍ଭ କରିବାକୁ ଯାଉଛନ୍ତି । ଆସନ୍ତା ୬ମାସ ଭିତରେ ଏହାର ନିର୍ମାଣ କାମ ଆରମ୍ଭ ହେବା ସହ ୫୦ହଜାର ନିଯୁକ୍ତି ସୃଷ୍ଟି ହେବାର ଲକ୍ଷ୍ୟ ରଖାଯାଇଛି । ଚଳଚ୍ଚିତ୍ର ନିର୍ମାତା ବୋନି କପୁର ଏବଂ ରିଏଲ୍‍ ଇଷ୍ଟେଟ ବ୍ୟବସାୟୀ ଆଶିଷ ଭୁଟାନୀଙ୍କ ଦ୍ୱାରା ପ୍ରୋଜେକ୍ଟ କାମ ଆରମ୍ଭ ହେବ । ଏନେଇ ଯମୁନା ଏକ୍ସପ୍ରେସୱେ ଇଣ୍ଡଷ୍ଟ୍ରିଆଲ୍‍ ଡେଭଲପମେଣ୍ଟ ଅଥରିଟି ଓ ଉତ୍ତରପ୍ରଦେଶ ସରକାରଙ୍କ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହୋଇଛି ।
ସେପଟେ ୟୁପି ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ପ୍ରୋଜେକ୍ଟ ଦ୍ୱାରା ରାଜ୍ୟ ତଥା ପଡୋଶୀ ରାଜ୍ୟର ୫୦ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ମିଳିବ । ପରୋକ୍ଷରେ ୫ରୁ ୭ ଲକ୍ଷ ଲୋକଙ୍କୁ ଚାକିରୀ ସୁଯୋଗ ଯୋଗାଇ ଦିଆଯିବ । ଉତ୍ତରପ୍ରଦେଶର ନୋଏଡା ନିକଟସ୍ଥ ଯମୁନା ଏକ୍ସପ୍ରେସୱେର ସେକ୍ଟର-୨୧ରେ ଏକ ସରକାରୀ-ବେସରକାରୀ ଭାଗିଦାରୀରେ ୧୦୦୦ ଏକ ଜମିରେ ଫିଲ୍ମ ସିଟି ନିର୍ମାଣ ହେବ । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୩୦ ଏକର ଜମିରେ କାମ ଆରମ୍ଭ କରାଯିବ । ୧୦୦୦ ଏକର ଜମିରୁ ୨୨୦ ଏକରରେ ବ୍ୟବସାୟିକ ଏବଂ ୭୮୦ଏକରରେ ଶିଳ୍ପ ପାଇଁ ବ୍ୟବହାର ହେବ । ନୋଡାଲ ଅଧିକାରୀ କହିଛନ୍ତି ଯେ ଫିଲ୍ମ ସିଟିର ପ୍ରମୁଖ ନିର୍ମାଣ କାର୍ଯ୍ୟ ୨୦୨୭ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି ।

Comments are closed.