ୟୁପି ବିଜେପି ବିଧାୟକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ
ଲକ୍ଷ୍ନୌ : ଉତ୍ତର ପ୍ରଦେଶ ବିଜେପି ବିଧାୟକ କୁଳଦୀପ ସିଂହ ସେନଗର୍ଙ୍କ ପରେ ଏବେ ଦଳର ଅନ୍ୟ ଜଣେ ବିଧାୟକ କୁଶଗ୍ରା ସାଗରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆସିଛି। ବଦାୟୁଁ ବିଧାୟକ ସାଗର ତାଙ୍କ ଘରୋଇ ସହଯୋଗୀଙ୍କ ଝିଅକୁ ବିବାହ ପ୍ରଲୋଭନ ଦେଇ ୨ ବର୍ଷରୁ ଊର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ଜୁନ୍ ୧୭ରେ ସାଗର ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏଣୁ ୨୦ ଲକ୍ଷ ଟଙ୍କା ପ୍ରତିବଦଳରେ ତାଙ୍କ ମୁହଁ ବନ୍ଦ କରାଇବାକୁ ସେ ଉଦ୍ୟମ କରିଛନ୍ତି। ଅଭିଯୁକ୍ତମାନେ ବାରମ୍ବାର ଧମକ ଦେଉଥିବା ବେଳେ ସମାଜରେ ତାଙ୍କୁ ନିନ୍ଦିତ ହେବାକୁ ପଡିଛି। ଏଣୁ ଉପଯୁକ୍ତ ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବେ ବୋଲି ପୀଡ଼ିତା ଧମକ ଦେଇଛନ୍ତି। ଏ ନେଇ ସେ ମଙ୍ଗଳବାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
ଅଭିଯୁକ୍ତ ବିଧାୟକଙ୍କ ପିତା ତଥା ବିଏସ୍ପିର ପୂର୍ବତନ ବିଧାୟକ ଯୋଗେନ୍ଦ୍ର ସାଗର ଏକ ବଳାତ୍କାର ମାମଲାରେ ସମ୍ପ୍ରତି ଜେଲ୍ରେ ବନ୍ଦି ଅଛନ୍ତି। ୨୦୦୮ରେ ଜଣେ କଲେଜ୍ ଛାତ୍ରୀଙ୍କୁ ଅପହରଣ ପରେ ଗଣବଳାତ୍କାର କରିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ପରେ ସମ୍ପୃକ୍ତ ଛାତ୍ରୀ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ୨୦୧୬ରେ ଯୋଗେନ୍ଦ୍ରଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଥିଲା। ତେବେ ଚଳିତବର୍ଷ ପ୍ରାରମ୍ଭରେ ଉନ୍ନାଓ ଗଣବଳାତ୍କାର ମାମଲାରେ ସିବିଆଇ ବିଜେପି ବିଧାୟକ କୁଳଦୀପ ସିଂ ସେନଗରଙ୍କୁ ଗିରଫ କରିଛି।