Patra electronics

ଉନ୍ନାଓ ଗଣବଳାତ୍କାର ମାମଲା : ବିଧାୟକଙ୍କ ଭାଇ ଗିରଫ

0

ଉନ୍ନାଓ : ଉନ୍ନାଓ ବଳାତ୍କାର ପୀଡ଼ିତାଙ୍କ ବାପା ପୁଲିସ ହାଜତରେ ପ୍ରାଣ ହରାଇବା ପରେ ମାମଲା ଭୟଙ୍କର ରୂପ ନେଇଛି। ଘଟଣାର ଦିନକ ପରେ ମାମଲାର ଅଭିଯୁକ୍ତ ତଥା ବିଜେପି ବିଧାୟକ କୁଳଦୀପ ସିଂହ ସେନଗରଙ୍କ ଭାଇ ଅତୁଲ ସିଂହ ସେନଗରଙ୍କୁ ପୁଲିସ ମଙ୍ଗଳବାର ଗିରଫ କରିଛି। ପୀଡ଼ିତାଙ୍କ ବାପାଙ୍କୁ ମାଡ଼ ମାରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ଏସ୍‌ପି ଦିନେଶ ସିଂହଙ୍କ ନେତୃତ୍ୱରେ ଏକ ପୁଲିସ ଦଳ ମଙ୍ଗଳବାର ସକାଳେ ଅତୁଲଙ୍କୁ ଉନ୍ନାଓସ୍ଥିତ ତାଙ୍କ ବାସଭବନରୁ ଗିରଫ କରିଛି। ଅପରପକ୍ଷରେ ବିଧାୟକ ସେନ୍‌ଗର ଏ ସମସ୍ତ ମାମଲାକୁ ତାଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ କରିବା ଉଦ୍ଦେଶ୍ୟରେ ଷଡ଼ଯନ୍ତ୍ର ବୋଲି ଅଭିହିତ କରିବା ସହ ଇସ୍ତଫା ଦେବାକୁ ମନା କରିଦେଇଛନ୍ତି। କିଛି ଲୋକ ପୀଡ଼ିତାଙ୍କ ପରିବାରକୁ ଉସ୍‌କାଉଥିବା ସେ କହିଛନ୍ତି।
ପୀଡ଼ିତାଙ୍କ ବାପା ପପୁ ସିଂହଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି ଏବଂ ଏଥିରେ ମାନସିକ ଚାପ ଏବଂ ସେପ୍ଟିସେମିଆ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଉଲ୍ଲେଖ ରହିଛି ବୋଲି ଏଡିଜି ଆନନ୍ଦ କୁମାର ମଙ୍ଗଳବାର ପ୍ରକାଶ କରିଛନ୍ତି। ତେବେ ତାଙ୍କ ଶରୀରର ୧୯ଟି ସ୍ଥାନରେ କ୍ଷତ ଚିହ୍ନ ଥିବାବେଳେ ସେଗୁଡିକ ୫ ଦିନ ପୁରୁଣା ବୋଲି ମୁଖ୍ୟ ମେଡିକାଲ୍‌ ଅଧିକାରୀ ଏସ୍‌ପି ଚୌଧୁରୀ ସ୍ପଷ୍ଟ କରିଛନ୍ତି। ଉପଯୁକ୍ତ ସମୟରେ ଚିକିତ୍ସା କରାଯାଇଥିଲେ ତାଙ୍କ ଜୀବନ ରକ୍ଷା କରାଯାଇପାରି ଥାଆନ୍ତା ବୋଲି ସେ ଦର୍ଶାଇଛନ୍ତି। ଅନ୍ୟପଟେ ପୀଡ଼ିତାଙ୍କ ଅଭିଯୋଗକୁ ପୁଲିସ ପ୍ରଥମରୁ ଚାପି ଦେବାକୁ ଚେଷ୍ଟା କରିଥିବା ଜଣାପଡ଼ିଛି। ପୀଡ଼ିତାଙ୍କ ହାତଲେଖା ଅଭିଯୋଗରେ ବିଧାୟକ, ତାଙ୍କ ଭାଇ ଅତୁଲ ତଥା ଅନ୍ୟ ଜଣେ ସମ୍ପର୍କୀୟ ଜୟଦୀପ ସିଂହଙ୍କ ସହ ଅନ୍ୟମାନଙ୍କ ନାମ ଥିଲେ ମଧ୍ୟ ପୁଲିସ ବିଧାୟକ ଓ ଅତୁଲଙ୍କ ନାମକୁ ରିପୋର୍ଟରୁ ବାଦ ଦେଇଥିଲା ବୋଲି ପୀଡ଼ିତା କହିଛନ୍ତି।
ବିଧାୟକ କୁଳଦୀପ ଏବଂ ତାଙ୍କ ସହଯୋଗୀମାନେ ୨୦୧୭ ଜୁଲାଇ ୧୭ରେ ତାଙ୍କୁ ଗଣବଳାତ୍କାର କରିଥିଲେ ବୋଲି ପୀଡ଼ିତା ପୁଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ମଙ୍ଗଳବାର ସେ କହିଛନ୍ତି, ତାଙ୍କ ଅଭିଯୋଗ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ସେ ଗତ ଅଗଷ୍ଟ ୧୭ରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଗୁହାରି କରିଥିଲେ। କାର୍ଯ୍ୟାନୁଷ୍ଠାନ ତ’ ହେଲଶ ନାହିଁ; ବରଂ ଗଣବଳାତ୍କାର ଅଭିଯୋଗ ପ୍ରତ୍ୟାହାର କରିବାକୁ ଅଭିଯୁକ୍ତମାନେ ତାଙ୍କ ଉପରେ ଚାପ ପକାଉଥିଲେ। ଏଥିରେ ରାଜି ନ ହେବାରୁ ଅତୁଲ ଓ ତାଙ୍କ ସହଯୋଗୀମାନେ ଏପ୍ରିଲ ୩ରେ ତାଙ୍କ ପିତାଙ୍କୁ କୋର୍ଟ ଯିବା ବାଟରେ ନିସ୍ତୁକ ମାଡ଼ ମାରିଥିଲେ। ଏ ନେଇ ମାଖି ଥାନାରେ ଏପ୍ରିଲ ୪ରେ ଏତଲା ରୁଜୁ ହୋଇଥିଲା। ଅଭିଯୁକ୍ତମାନେ ମଧ୍ୟ ପୀଡ଼ିତାଙ୍କ ପିତାଙ୍କ ବିରୋଧରେ ଥାନାରେ ପାଲଟା ଅଭିଯୋଗ କରିଥିଲେ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଧାୟକ କୁଳଦୀପଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନା କରିବାରୁ ପୀଡ଼ିତା ଏବଂ ତାଙ୍କ ପିତା ଏପ୍ରିଲ ୬ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କ ଏହି ଉଦ୍ୟମ ପଣ୍ଡ କରିବା ସହ ପୀଡ଼ିତାଙ୍କ ପିତାଙ୍କୁ ଗିରଫ କରି ହାଜତକୁ ନେଇଥିଲା। ଜେଲ୍‌ରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଏପ୍ରିଲ ୮ରେ ତାଙ୍କୁ ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏପ୍ରିଲ ୯ରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ପୀଡ଼ିତାଙ୍କ ବାପାଙ୍କ ହାଜତ ମୃତ୍ୟୁକୁ ନେଇ ବିଭିନ୍ନ ରାଜନୈତିକ ଦଳଗୁଡିକ ତୁମ୍ବିତୋଫାନ୍‌ କରିବା ପରେ ପୀଡ଼ିତାଙ୍କୁ ଉଚିତ୍‌ ନ୍ୟାୟ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ପ୍ରତିଶ୍ରୁତି ଦେଇଥିଲେ। ପୁଲିସ ମହାନିର୍ଦେଶକ ଓ. ପି ସିଂହଙ୍କ ନିର୍ଦେଶକ୍ରମେ ବାଙ୍ଗେରମାଉ (ଉନ୍ନାଉ) ବିଧାୟକଙ୍କ ଭାଇ ଅତୁଲଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ ମୁଖପାତ୍ର ରାହୁଲ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି।

Leave A Reply