ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମିଳିବାର ମାତ୍ର ଅଳ୍ପ ସମୟ ମଧ୍ୟରେ ଉତ୍ତର ପ୍ରଦେଶ ସରକାର ଉନାଓ ବଳାତ୍କାର ପୀଡ଼ିତାଙ୍କୁ ଗୁରୁବାର ରାତିରେ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଅର୍ଥ ପ୍ରଦାନ କରିଛନ୍ତି। ଲକ୍ଷ୍ନୌ ଜିଲ୍ଲା ମାଜିଷ୍ଟ୍ରେଟ୍ କୌଶଳ ରାଜଶର୍ମା ବଳାତ୍କାର ପୀଡ଼ିତାଙ୍କ ମାଆଙ୍କୁ ଗୁରୁବାର ରାତିରେ ୨୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଉନାଓ ବଳାତ୍କାର ଘଟଣା ସମ୍ବନ୍ଧୀୟ ସମସ୍ତ ୫ଟିଯାକ ମାମଲାକୁ ଉତ୍ତର ପ୍ରଦେଶରୁ ଦିଲ୍ଲୀକୁ ସ୍ଥାନାନ୍ତରିତ କରିବାପାଇଁ ସୁପ୍ରିମ୍କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଏ ସଂକ୍ରାନ୍ତୀୟ ମାମଲାର ବିଚାର ୪୫ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ଶୁକ୍ରବାର ମଧ୍ୟ ଏହି ମାମଲାରେ ଶୁଣାଣି ହୋଇଛି, ଯେଉଁଥିରେ ବଳାତ୍କାର ପୀଡ଼ିତାଙ୍କ ଦାଦାଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି ହୋଇଛି। ପୀଡ଼ିତାଙ୍କ ଦାଦାଙ୍କୁ ରାଏବରେଲୀର ଏକ ଜେଲରେ ରଖାଯାଇଛି ଓ ତାଙ୍କୁ ଦିଲ୍ଲୀର ଏକ ଜେଲ୍କୁ ସ୍ଥାନାନ୍ତରିତ କରାଯିବ। ଗତ ରବିବାର ଦିନ ଘଟିଥିବା କାର୍ ଦୁର୍ଘଟଣାରେ ତାଙ୍କ ପତ୍ନୀଙ୍କର ମୃତ୍ୟୁ ଘଟିଥିଲା। ରବିବାର ଦିନ ଘଟିଥିବା କାର୍ ଦୁର୍ଘଟଣାର ତଦନ୍ତ ଭାର ସି.ବି.ଆଇ.କୁ ହସ୍ତାନ୍ତର କରାଯାଇଛି। ହତ୍ୟା ଅଭିଯୋଗରେ ସି.ବି.ଆଇ. ବି.ଜେ.ପି.ର ବହିଷ୍କୃତ ବିଧାୟକ କୁଲ୍ଦୀପ୍ ସିଂ ସେନ୍ଗର୍ଙ୍କ ସମେତ ୧୦ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଆରମ୍ଭ କରିଛି।



