www.samajalive.in
Saturday, December 6, 2025
15.1 C
Bhubaneswar

ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ ଲାଗୁ

ଭୁବନେଶ୍ବର : ଓଡ଼ିଶାରେ ଶନିବାର ଠାରୁ ଲାଗୁ ହୋଇଛି ଓଡ଼ିଶା ବିଶ୍ବବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪। ରାଜ୍ୟପାଳ ଡ. ହରିବାବୁ କମ୍ଭମ ପାଟି ଏହି ବିଲ୍‌ ଉପରେ ଶନିବାର ମୋହର ମାରିଛନ୍ତି। ଏପ୍ରିଲ ୨ରେ ବିଧାନସଭାରେ ରାତିତମାମ ଆଲୋଚନା ପରେ ଓଡ଼ିଶା ବିଶ୍ବବିଦ୍ୟାଳୟ(ସଂଶୋଧନ) ବିଧେୟକକୁ ପାରିତ କରାଯାଇଥିଲା। ଶନିବାର ଏହା ରାଜ୍ୟପାଳଙ୍କ ସ୍ୱୀକୃତି ଲାଭ କରିଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ରାଜ୍ୟପାଳଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ବିଧେୟକ ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶ ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି କହିଛନ୍ତି।
ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଦେଖାଯାଉଥିବା ବିଭିନ୍ନ ସମସ୍ୟାର ସମାଧାନ ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ। ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ଏହା ନୂତନ ସୂର୍ଯ୍ୟୋଦୟ ଆଣିଛି ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ଏହାଦ୍ବାରା ରାଜ୍ୟରେ ଥିବା ବିଶ୍ବବିଦ୍ୟାଳୟର ସ୍ୱାୟତ୍ତତସୁନିଶ୍ଚିତ ହେବା ସହ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟାକୁ ବିଶ୍ବବିଦ୍ୟାଳୟ ଆବଶ୍ୟକତା ଅନୁଯାୟୀ ସରଳୀକରଣ ଓ ତ୍ବରାନ୍ବିତ କରାଯାଇପାରିବ। ଏଥିସହ ବିଶ୍ବବିଦ୍ୟାଳୟରେ ସିନେଟ୍‌ର ପୁନଃ-ଅନ୍ତର୍ଭୁକ୍ତିକରଣ, ଅଧ୍ୟାପକ ଓ କୁଳପତି ମନୋନୟନରେ ସରକାରୀ ହସ୍ତକ୍ଷେପକୁ ହ୍ରାସ କରାଯାଇପାରିଛି। ରାଜ୍ୟରେ ମୋଟ ନାମଲେଖା ଅନୁପାତ ବଢ଼ାଇବା ନିମନ୍ତେ ପ୍ରତ୍ୟେକ ବିଶ୍ବବିଦ୍ୟାଳୟରେ ଦୂରଶିକ୍ଷା ବ୍ୟବସ୍ଥା ପ୍ରଣୟନ, ବିଶ୍ବବିଦ୍ୟାଳୟର ଆର୍ଥିକ ପରିଚାଳନା ସୁଦୃଢ଼ ପାଇଁ ଅର୍ଥ କମିଟିର ଗଠନ ଏବଂ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ କୋଠାବାଡ଼ି ଓ ନିର୍ମାଣ କମିଟି ଗଠନ ପ୍ରସ୍ତାବ, ଶିକ୍ଷାନୁଷ୍ଠାନରେ ବିଶ୍ବସ୍ତରୀୟ ଗବେଷଣା ଓ ଶୈକ୍ଷିକ ଉତ୍କର୍ଷତାକୁ ପ୍ରୋତ୍ସାହନ ଦେବା ସହିତ ଓଡ଼ିଶା ବିଶ୍ବବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪ ଜ୍ଞାନଭିତ୍ତିକ ଅର୍ଥନୀତିର ଅଭିବୃଦ୍ଧିରେ ମଧ୍ୟ ସହାୟକ ହେବ ବୋଲି ମନ୍ତ୍ରୀ କହିଛନ୍ତି।
ନ୍ୟାୟିକ ମାମଲା ଯୋଗୁଁ ସରକାରୀ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ନିଯୁକ୍ତି ପ୍ରକିୟାରେ ଉପୁଜିଥିବା ସ୍ଥାଣୁତାକୁ ଏଡ଼ାଇବା ତଥା ନିର୍ଦିଷ୍ଟ ସମୟରେ ଦକ୍ଷ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟାକୁ ସୁନିଶ୍ଚିତ କରାଯିବ। ବିଶ୍ବବିଦ୍ୟାଳୟରେ ଅଧ୍ୟାପକଙ୍କ ନିଯୁକ୍ତି ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା କରା ନଯାଇ ବିଶ୍ବବିଦ୍ୟାଳୟ ଦ୍ୱାରା ଶିକ୍ଷାବିତଙ୍କୁ ନେଇ ଗଠିତ କମିଟି ଦ୍ୱାରା କରାଯିବ। ଫଳରେ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେବନି। ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ, ଉପ-ପାଠ୍ୟକ୍ରମର ବିଷୟବସ୍ତୁ ଏବଂ ବିଷୟ ଭିତ୍ତିକ ଆବଶ୍ୟକତା ଅନୁଯାୟୀ ଅଧ୍ୟାପକଙ୍କ ନିଯୁକ୍ତିକୁ ସୁନିଶ୍ଚିତ କରାଯାଇପାରିବ। ବିଶ୍ବବିଦ୍ୟାଳୟର କୁଳପତି ମନୋନୟନ ନିମନ୍ତେ ୩ ଜଣ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ ହେବ। କମିଟିରେ କେବଳ ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ବା ଶିକ୍ଷାବିତ୍‌ ହିଁ ସଦସ୍ୟ ରହିପାରିବେ। ଏହାଦ୍ୱାରା କୁଳପତି ମନୋନୟନ ପ୍ରକ୍ରିୟା ଅଧିକ ପାରଦର୍ଶୀ, ସ୍ୱଚ୍ଛ ଓ ଦକ୍ଷତା ଆଧାରିତ ହେବ। ଏଥିସହିତ କୁଳପତିଙ୍କ ବୟସସୀମା ୬୭ ବର୍ଷରୁ ୭୦ ବର୍ଷକୁ ବୃଦ୍ଧି କରାଯାଇଛି। ବିଶ୍ବବିଦ୍ୟାଳୟ ପ୍ରଶାସନରେ ଜାତୀୟ ଓ ଅନ୍ତର୍ଜାତୀୟ ବିଶ୍ବବିଦ୍ୟାଳୟର ବ୍ୟବସ୍ଥା ଆଧାରରେ ଜଣେ ପ୍ରବୀଣ ଶୈକ୍ଷିକ ନେତୃତ୍ବଙ୍କୁ କୁଳପତି ଭାବେ ନିଯୁକ୍ତି ମିଳିପାରିବ। ବିଶ୍ବବିଦ୍ୟାଳୟରେ ସିନେଟ୍ ବ୍ୟବସ୍ଥାକୁ ପୁନଃ ଅନ୍ତର୍ଭୁକ୍ତ କରାଯିବା ସହ ପ୍ରତିବର୍ଷ ଦୁଇଥର ସିନେଟ୍‌ର ବୈଠକ ହେବ। ଏଥିସହ ସିନେଟରେ ସର୍ବମୋଟ ୬୮ ସଦସ୍ୟ ରହିବେ। ଅତିକମ୍‌ରେ ୩୭ ସଦସ୍ୟ ଶିକ୍ଷକ, ଶିକ୍ଷାବିତ୍‌ ଏବଂ ଛାତ୍ର ସମାଜରୁ ରହିବା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି। ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତ ହେବା ଦ୍ୱାରା ସ୍ନାତକ ଏବଂ ସ୍ନାତକୋତ୍ତର ସ୍ତରର ବିଭିନ୍ନ ପାଠ୍ୟକ୍ରମରେ ଶିକ୍ଷକ ଓ ଛାତ୍ରଛାତ୍ରୀ ଅନୁପାତକୁ ସୁନିଶ୍ଚିତ କରାଯାଇପାରିବ। ଗୁଣାତ୍ମକ ଉଚ୍ଚଶିକ୍ଷାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଓ ରାଜ୍ୟରେ ମୋଟ୍ ନାମଲେଖା ଅନୁପାତ ବଢ଼ାଇବା ନିମନ୍ତେ ପ୍ରତ୍ୟେକ ବିଶ୍ବବିଦ୍ୟାଳୟରେ ‘ଦୂରଶିକ୍ଷା’ ବ୍ୟବସ୍ଥାକୁ ପ୍ରଣୟନ କରାଯିବ। ବିଶ୍ବବିଦ୍ୟାଳୟର ଆର୍ଥିକ ପରିଚାଳନାର ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଅର୍ଥ କମିଟି ଗଠନ ବିଶ୍ବବିଦ୍ୟାଳୟ ଦ୍ୱାରା ପ୍ରାପ୍ତ କିମ୍ବା ଅର୍ଜିତ ସମସ୍ତ ପରିମାଣର ଅର୍ଥରାଶି ଭାରତ ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକଙ୍କ ଦ୍ୱାରା ଅଡିଟ୍ କରାଯାଇ ତାହାର ବିବରଣୀ ଓଡ଼ିଶା ବିଧାନସଭାରେ ଉପସ୍ଥାପନ କରାଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories