-ଉତ୍କଳମଣିଙ୍କ ଆଦର୍ଶ କାର୍ଯ୍ୟକାରୀ କରିବାର ବେଳ ଆସିଛି:ଧର୍ମେନ୍ଦ୍ର
-ପୌର ଓ ପଞ୍ଚାୟତ ନିର୍ବାଚନ ଏକ ସଙ୍ଗେ ହେଉ
-ପୁରୀରୁ ଗଡ଼ିବ ‘ବନ୍ଦେ ଭାରତ’ ରେଳ: ବୈଷ୍ଣବ
ଭୁବନେଶ୍ୱର/ପୁରୀ : ଦୀର୍ଘଦିନ ପେର ବିଜେପିର ପ୍ରଭାବୀ ପ୍ରଦର୍ଶନ ଆଜି ଦେଖିବାକୁ ମିଳିଥିଲା। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ନୂତନ ଭାବେ ଦାୟିତ୍ବ ଗ୍ରହଣ କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ଆଜି ପୂର୍ବାହ୍ନରେ ଜନ ଆଶୀର୍ବାଦ ଯାତ୍ରାରେ ଆସି ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରେ ପହଞ୍ଚିବା ପରେ ବିଜେପି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ବାଦ୍ୟ, ପାରମ୍ପରିକ ପାଇକ ନୃତ୍ୟ ଓ ଗୀତ ସହ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ବିମାନବନ୍ଦରଠାରେ ସ୍ୱାଗତ କରାଯାଇଥିଲା। ଏହାପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ଶ୍ରୀ ବୈଷ୍ଣବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ପାଇଁ ପୁରୀ ଅଭିମୁଖେ ଯାତ୍ରା କରିଥିଲେ। ଏହି ଅବସରରେ କଳ୍ପନା ଛକଠାରୁ ଆରମ୍ଭ କରି ଲିଙ୍ଗିପୁର ଛକ, ଉତ୍ତରାଛକ, ପିପିଲି, ବଳଙ୍ଗା, ସାତଶଙ୍ଖ, ଚନ୍ଦନପୁର, ଅଠରନଳା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଦଳୀୟ କାର୍ଯ୍ୟକର୍ତ୍ତା ଓ ସାମାଜିକ ଅନୁଷ୍ଠାନ ତରଫରୁ ବ୍ୟାପକ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।
ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦୀପଦାନ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ଶ୍ରୀ ବୈଷ୍ଣବ ଜନ ଆଶୀର୍ବାଦ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଶ୍ରୀ ପ୍ରଧାନ କହିଥିଲେ ଯେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଦର୍ଶ ଶିକ୍ଷା ପଦ୍ଧତିକୁ କାର୍ଯ୍ୟକାରୀ କରିବାର ବେଳ ଆସିଛି। ଶିକ୍ଷାରେ ସଂସ୍କାର ଅଣାଯିବା ସହ ଗୁଣାତ୍ମକ ଶିକ୍ଷାର ବିକାଶ ଏବଂ ଧନ୍ଦାମୂଳକ ଶିକ୍ଷାର ପ୍ରସାର କରାଯିବ। ସମନ୍ବିତ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ଲାଗି ଉତ୍କଳମଣି ଦେଖିଥିବା ସ୍ବପ୍ନ ସାକାର ପାଇଁ ସେ ଉଦ୍ୟମ କରିବେ। ଓଡ଼ିଶାରେ ପଞ୍ଚାୟତ ଏବଂ ପୌର ନିର୍ବାଚନ ଏକତ୍ର କରିବା ଲାଗି ନିର୍ବାଚନ ଆୟୋଗଙ୍କୁ ବିଜେପି ପ୍ରସ୍ତାବ ଦେଇଛି। ଯଦି ଏହା କାର୍ଯ୍ୟକାରୀ ହୁଏ ତେବେ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବ। ସେହିପରି ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଯଦି କାର୍ଯ୍ୟକାରୀ କରାଯାଏ ତା’ହେଲେ ରାଜ୍ୟର ସାଢ଼େ ୪କୋଟି ଓଡ଼ିଆଙ୍କ ସମେତ ବାହାରେ ରହୁଥିବା ଓଡ଼ିଅା ଶ୍ରମିକମାନେ ବିଶେଷ ଉପକୃତ ହେବେ।
ଅନ୍ୟପକ୍ଷରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ ପ୍ରତି ଅଧିକ ଗୁରୁତ୍ବ ଦିଆଯିବ। କାର୍ଯ୍ୟକ୍ଷମ ଥିବା ରେଳ ପ୍ରକଳ୍ପଗୁଡ଼ିକର ଖୁବ୍ଶୀଘ୍ର ସମୀକ୍ଷା କରାଯିବ। ଅସମ୍ପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ଅର୍ଥ ବ୍ୟୟବରାଦ କରାଯିବ। ପୁରୀ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନ କେନ୍ଦ୍ର ହୋଇଥିବାରୁ ଏଠାରୁ ଗୋଟିଏ ‘ବନ୍ଦେ ଭାରତ’ ରେଳଗାଡ଼ି ଚଳାଚଳ କରିବ ବୋଲି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ପ୍ରକାଶ କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀର ବକୁଳ ବନ ବିଦ୍ୟାଳୟ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଏବଂ ଓଡ଼ିଆ ନବଜାଗରଣର ମୂଳ କେନ୍ଦ୍ର ଥିଲା ବୋଲି କହିଥିଲେ। ଐତିହାସିକ ବକୁଳ ବନ ବିଦ୍ୟାଳୟ ପରିଦର୍ଶନ କରିବା ଅବସରରେ ସେ କହିଥିଲେ ଯେ ନୂଆ ଓଡ଼ିଶା ଗଢ଼ିବାର ଅନ୍ତୁଡ଼ିଶାଳ ତଥା ୧୦୦ ବର୍ଷ ପୂର୍ବେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ବକୁଳ ବନ ବିଦ୍ୟାଳୟ ପରିଦର୍ଶନ କରି ନିଜକୁ ସୌଭାଗ୍ୟଶାଳୀ ମନେକରୁଛି। ନୂଆ ମନ୍ତ୍ରାଳୟ ଦାୟିତ୍ୱ ଗ୍ରହଣ କରିବା ଦିନରୁ ହିଁ ଓଡ଼ିଶାର ପ୍ରଥମ ଗସ୍ତରେ ଏହି ଶିକ୍ଷାନୁଷ୍ଠାନକୁ ଆସିବା ନେଇ ମୋର ପ୍ରବଳ ଆଗ୍ରହ ଥିଲା। ବିଶେଷତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂତନ ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନ ବେଳେ ଏହି ପବିତ୍ର ସ୍ଥାନକୁ ଆସିବା ମୋତେ ଅପୂର୍ବ ଆନନ୍ଦ ଦେଇଛି। ପରାଧୀନ ଭାରତକୁ ସ୍ୱାଧୀନତା ଦେବା ପାଇଁ ଦେଶର ଆବାଳ ବୃଦ୍ଧବନିତା ସ୍ୱତନ୍ତ୍ରତା ସଂଗ୍ରାମରେ ଝାସ ଦେଇଥିଲେ। ସେ ସମୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓଡ଼ିଶାରେ ସ୍ୱତନ୍ତ୍ରତା ସଂଗ୍ରାମର ନେତୃତ୍ୱ ନେବା ସହ ଦେଶ ସ୍ୱାଧୀନତା ପାଇଁ ଯୋଜନା ଓ ପରିକଳ୍ପନା ଏହିଠାରୁ ହିଁ ଆରମ୍ଭ କରିଥିଲେ। ମୌଳିକ ଶିକ୍ଷା ସହ ରୋଜଗାର ଦେବା ଭଳି ଶିକ୍ଷା ତଥା ଆତ୍ମନିର୍ଭରର ଆଭିମୁଖ୍ୟ ଶିକ୍ଷା ଏଠାରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିଲା। ଏହି ବିଦ୍ୟାଳୟ ସ୍ୱାଧୀନତା ସଂଗ୍ରାମ ସମୟରେ ମଣିଷ ତିଆରି ଶିକ୍ଷାନୁଷ୍ଠାନ ଭାବେ ପ୍ରତିଷ୍ଠିତ ଥିଲା ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।
ପୁରୀରୁ ପ୍ରତ୍ୟାବର୍ତ୍ତନ ପରେ ବିଜେପି କାର୍ଯ୍ୟାଳୟଠାରେ ସମ୍ବର୍ଦ୍ଧନା ସଭାରେ ଉଭୟ ମନ୍ତ୍ରୀ ଯୋଗଦେଇଥିଲେ। ରାଜ୍ୟ ସଭାପତି ସମୀର ମହାନ୍ତି ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ। ଏହା ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କ ନେତୃତ୍ୱରେ ବିଜେପି ବିଧାୟକମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।
କାର୍ଯ୍ୟକ୍ରମରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜାତୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ବରିଷ୍ଠ ନେତା ମନମୋହନ ସାମଲ, ସୁରମା ପାଢୀ, ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ପିଙ୍କି ପ୍ରଧାନ, ଦିଲୀପ ମଲ୍ଲିକ ଓ ବିଜେପି ବିଧାୟକଗଣ ଓ ବିଜେପି କର୍ମକର୍ତ୍ତାମାନେ ସାମିଲ ଥିଲେ।
ଏହି କାର୍ଯ୍ୟକ୍ରମରେ ଇଷ୍ଟକୋଷ୍ଟ ରେଲୱେ ମଜଦୁର ସଂଘ, ରେଲୱେ ଇଞ୍ଜିନିୟରିଂ ସଂଘ, ଦୂରସଞ୍ଚାର ନିଗମ ଲି. କର୍ମଚାରୀ ସଂଘ, ଉତ୍କଳ ସାମ୍ବାଦିକ ସଂଘ, ଓଡିଶା ବ୍ୟବସାୟୀ ମହାସଂଘ, ଭାରତୀୟ ବିଦ୍ୟା ଭବନ, ଗ୍ଲୋବାଲ ପିସ୍ ଫାଉଣ୍ଡେସନ୍, ମହାବୀର ଆଞ୍ଚଳିକ ବିକାଶ ପରିଷଦ, ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ, ମାରୱାଡି ସମାଜ, ଗୁଜୁରାଟି ସମାଜ, ବିହାରୀ ସମାଜ ତରଫରୁ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।



