www.samajalive.in
Monday, December 15, 2025
27.1 C
Bhubaneswar

ଦୁଇ ରାଜ୍ୟ ଆପୋଷ ସମାଧାନ ବାଟ କାଢ଼ନ୍ତୁ

ନୂଆଦିଲ୍ଲୀ  : ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ସୀମାନ୍ତବର୍ତ୍ତୀ ଜିଲା କୋରାପୁଟ ଏବଂ ଗଜପତିରେ ଗାଁକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଆପୋଷ ସମାଧାନ ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନ ମୋହନ ରେଡ୍ଡୀଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଛନ୍ତି। ଓଡ଼ିଶାବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆନ୍ଧ୍ର ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଓ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ କିମ୍ବା ଉନ୍ନୟନ କମିସନରଙ୍କ ସ୍ତରରେ ଯୁଗ୍ମ କାର୍ଯ୍ୟକାରୀ କମିଟି ଗଠନ କରିବା ସହ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ମୋଟ ୪ଟି ପ୍ରସ୍ତାବ ଦେଇଛନ୍ତି। ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ କୋରାପୁଟ ପଟ୍ଟାଙ୍ଗୀ ବ୍ଲକ କୋଟିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୨୦ଟି ଗାଁରୁ ଆରମ୍ଭ ହୋଇଥିବା ବିବାଦ ଏବେ ସୀମାବର୍ତ୍ତୀ ଅଞ୍ଚଳ ଗଜପତି ଜିଲାକୁ ମଧ୍ୟ ବ୍ୟାପିଛି। ଏହା ଦ୍ୱାରା ଆନ୍ତଃରାଜ୍ୟ ସୀମା ବିବାଦ ସୃଷ୍ଟି ହେଉଛି ଯାହା ଗଭୀର ଚିନ୍ତାଜନକ। ଏହି ସବୁ ବିବାଦ ଦ୍ୱାରା ଆନ୍ଧ୍ର ଏବଂ ଓଡ଼ିଶାର ସୀମାବର୍ତ୍ତୀ ଗାଁର ସୁରକ୍ଷା ଏବଂ ଅଞ୍ଚଳବାସୀଙ୍କ ବିକାଶମୂଳକ ଆକାଂକ୍ଷାରେ କ୍ଷତି ପହଞ୍ଚାଉଛି। ଏହି ପୃଷ୍ଠଭୂମିରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶାର ସ୍ୱାର୍ଥ ନିମନ୍ତେ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଏହି ଅନୁକୂଳ ବାତାବରଣ ସୃଷ୍ଟି କରିବା ପାଇଁ ୪ଟି ପ୍ରସ୍ତାବ ଦେଇଛନ୍ତି। ପ୍ରଥମତଃ ବିବାଦୀୟ ଗ୍ରାମଗୁଡ଼ିକରୁ ସଶସ୍ତ୍ର ସୁରକ୍ଷା ବଳକୁ ଅପସାରଣ କରାଯାଉ ଏବଂ ସ୍ଥାନୀୟ ଜନପ୍ରତିନିଧି ଏବଂ ସରକାରୀ ଅଧିକାରୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ପ୍ରତ୍ୟାହାର କରାଯାଉ। ଦ୍ୱିତୀୟତଃ ଗ୍ରାମାଞ୍ଚଳର ଭିତ୍ତିଭୂମି, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ମୌଳିକ ସୁବିଧାକୁ ବାଦ୍‍ ଦେଇ ନୂତନ ଢ଼ାଞ୍ଚାଗତ ନିର୍ମାଣକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଉ। ତୃତୀୟତଃ ଏହି ବିବାଦରେ ଆଗାମୀ ଦିନର ରୋଡ଼ମ୍ୟାପ ପାଇଁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା କରାଯାଉ। ଚତୁର୍ଥତଃ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ କିମ୍ବା ଉନ୍ନୟନ କମିସନରଙ୍କ ସ୍ତରରେ ଯୁଗ୍ମ କାର୍ଯ୍ୟକାରୀ କମିଟି ଗଠନ କରାଯାଉ ବୋଲି ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି। କୋରାପୁଟ ଏବଂ ଗଜପତି ଲୋକଙ୍କର ଦୁର୍ଦଶା ଏବଂ ଚିନ୍ତାକୁ ନେଇ ଜଣେ ଓଡ଼ିଆ ଭାବେ ଶ୍ରୀ ପ୍ରଧାନ ଦୁଃଖିତ ବୋଲି ପତ୍ରରେ ଉଲ୍ଲେଖ କରିଛନ୍ତି। ଆପୋଷ ସମାଧାନ ପାଇଁ ଦ୍ୱିପାକ୍ଷିକ ଆଲୋଚନା ଓ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ବ୍ୟକ୍ତିଗତ ସ୍ତରରେ କେନ୍ଦ୍ର ସରକାରଙ୍କ ତରଫରୁ ସମର୍ଥନ ଦେବା ନେଇ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ମାମଲାରେ ଏକ ଅନୁକୂଳ ଓ ପରସ୍ପର ସହମତ ଚୁକ୍ତି ଉପରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories