www.samajalive.in
Tuesday, December 9, 2025
17.1 C
Bhubaneswar

ଚାନ୍ଦିପୁର ପ୍ରତିରକ୍ଷା ଘାଟିରୁ ତଥ୍ୟ ଚାଲାଣ ମାମଲା ; ୩ ଜଣଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲା ଛଦ୍ମବେଶୀ ଯୁବତୀ

ଭୁବନେଶ୍ବର/କଟକ : ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ(ଡିଆର୍‌ଡିଓ) କ୍ଷେପଣାସ୍ତ୍ର ଘାଟି ସମ୍ପର୍କିତ ଗୁପ୍ତତଥ୍ୟ ଚାଲାଣ ଘଟଣାରେ ଅପରାଧ ନିୟନ୍ତ୍ରଣ ଶାଖା ଜିମାରେ ଥିବା ୫ ଅଭିଯୁକ୍ତଙ୍କୁ ଜେରା କରାଯିବା ବେଳେ ଅନେକ ଗୋଟିଏ ପରେ ଗୋଟିଏ ନୂତନ ତଥ୍ୟ ତଦନ୍ତ ଅଧିକାରୀଙ୍କ ହାତରେ ଲାଗୁଛି। ଅଭିଯୁକ୍ତଙ୍କୁ ପ୍ରେମ ଜାଲରେ ଫସାଇଥିବା ରହସ୍ୟମୟୀ ଯୁବତୀ ୩ ଜଣ ଅଭିଯୁକ୍ତଙ୍କୁ ବିବାହ କରିବା ଲାଗି ପ୍ରସ୍ତାବ ଦେଇଥିବା ସେମାନେ ପୁଲିସକୁ ସୂଚନା ଦେଇଛନ୍ତି।
୨୦୨୦ ଏପ୍ରିଲ୍‌ରୁ ଯୁବତୀ ଚାନ୍ଦିପୁର ପ୍ରତିରକ୍ଷା ଘାଟିର ଜଣକ ପରେ ଜଣେ ଅଭିଯୁକ୍ତଙ୍କ ସହିତ ସାମାଜିକ ଗଣମାଧ୍ୟମ ଜରିଆରେ ବନ୍ଧୁତା ସ୍ଥାପନ ଆରମ୍ଭ କରିଥିଲା। ୫ଜଣ ଅଭିଯୁକ୍ତଙ୍କ ସହିତ ସମ୍ପୃକ୍ତ ଯୁବତୀ ଭିନ୍ନ ଭିନ୍ନ ନାମ ଓ ପରିଚୟରେ ସମ୍ପର୍କ ରଖିଥିଲେ। ଯୁବତୀ ଜଣକ କାହାକୁ ସେବିକା, କାହାକୁ ପ୍ରତିରକ୍ଷା ବିଭାଗର କର୍ମଚାରୀର ପରିଚୟ ଦେଇ ସମ୍ପର୍କ ରଖିଥିଲା। ଦେଢ଼ ବର୍ଷ ମଧ୍ୟରେ ଯୁବତୀ ଜଣକ ପ୍ରେମ ଜାଲ୍‌ରେ ୫ କର୍ମଚାରୀଙ୍କୁ ଫସାଇ ରଖିଥିଲା। ଯାହାଠାରୁ ଅଧିକ ତଥ୍ୟ ପାଉଥିଲା ତାଙ୍କୁ ବିବାହ କରିବାକୁ ପ୍ରଲୋଭନ ଦେଉଥିଲା। ଯୁବତୀ ଜଣକ ରୋଜଗାରକ୍ଷମ ଏବଂ ଓଲଟା ଟଙ୍କା ପଠାଉଥିବାରୁ ଜଣକ ପରେ ଜଣେ କର୍ମଚାରୀ ତା ପ୍ରେମ ଜାଲରେ ଫସି ଯାଇଥିଲେ। ବିବାହର ପ୍ରଲୋଭନରେ ନିଜର ବ୍ୟକ୍ତିଗତ ସୂଚନା ସହିତ କାର୍ଯ୍ୟକ୍ଷେତ୍ରର ଦୈନନ୍ଦିନ ଖବର ଦେବାକୁ ପଛାଉ ନ ଥିଲେ। ଏହି ଅସ୍ଥାୟୀ କର୍ମଚାରୀମାନେ ନିୟୋଜିତ ହୋଇଥିବା ପ୍ରତିରକ୍ଷା ବିଭାଗର କ୍ଷେପଣାସ୍ତ୍ର ଘାଟି- ନଂ-୫ର ତଥ୍ୟ ହସ୍ତାନ୍ତର କରିଥିଲେ। କିଛି ମାସ ହେବ ପ୍ରତିରକ୍ଷା ବିଭାଗର ଏହି କର୍ମଚାରୀ ନିରନ୍ତର ଉକ୍ତ ଯୁବତୀଙ୍କ ସହିତ ସୂଚନା ଆଦାନ ପ୍ରଦାନ କରୁଥିଲେ। ଯାହାକୁ ନେଇ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋର ସନ୍ଦେହଜାତ ହୋଇଥିଲା। ଏନେଇ ଓଡ଼ିଶା ପୁଲିସକୁ ସୂଚନା ଦେଇଥିଲା।
ଏହି ଘଟଣାକୁ ତଦନ୍ତ କରିବା ବେଳେ ଅପରାଧ ନିୟନ୍ତ୍ରଣ ଶାଖାର ଅଧିକାରୀମାନେ ଦିନକୁ ଦିନ ଅଧିକ ତଥ୍ୟ ଓଗାଳୁଥିବାରୁ ଏବେ ଘଟଣାଟି ଅଧିକ ରୋମାଞ୍ଚକର ହେବାରେ ଲାଗିଛି। ମାୟାଜାଲ(ହନି ଟ୍ରାପ୍)ରେ ପ୍ରତିରକ୍ଷା ବିଭାଗର କର୍ମଚାରୀ ଓ ଅଧିକାରୀଙ୍କୁ ଫସାଇବାର ଘଟଣା ଅନେକ ପୁରୁଣା। ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରତିରକ୍ଷା ବିଭାଗର କର୍ମଚାରୀଙ୍କୁ ମାୟାଜାଲରେ ଫସାଇ ଗୁପ୍ତ ତଥ୍ୟ ହାତେଇବା ଘଟଣାକୁ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଜାତୀୟ ସ୍ତରର ତଦନ୍ତକାରୀ ଦଳ ଏବଂ ବାୟୁ ସେନା ପକ୍ଷରୁ ତନାଘନା କରାଯାଉଛି। ଯେହେତୁ ଏମାନେ ଠିକା ଏବଂ ତଳସ୍ତରର କର୍ମଚାରୀ ତେଣୁ ସେମାନଙ୍କଠାରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଯୁବତୀ ଜଣକ ହାତେଇ ପାରି ନ ଥିଲେ। ତଥାପି କ୍ଷେପଣାସ୍ତ୍ର ଘାଟିରେ କେବେ ଏବଂ କେଉଁ ଧରଣର କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଉଛି, ଏହାର ଲକ୍ଷ୍ୟ ଭେଦର କ୍ଷମତା ଆଦି ସମ୍ପର୍କରେ ତଥ୍ୟ ହାତେଇଥିବା ଅନୁମାନ କରାଯାଉଛି।
ରହସ୍ୟମୟୀ ଯୁବତୀ ଜଣକ ପ୍ରକୃତରେ ଭାରତରେ ରହୁଛନ୍ତି କି ନାହିଁ ତାକୁ ନେଇ ଅଧିକ ଖୋଳତାଡ଼ କରାଯାଉଥିବା ନେଇ ଅପରାଧ ନିୟନ୍ତ୍ରଣ ଶାଖାର ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ ସଞ୍ଜୀବ ପଣ୍ଡା କହିଛନ୍ତି। ଯୁବତୀ ଜଣକ ପାକିସ୍ତାନ ଆଇଆସ୍‌ଆଇ ପାଇଁ କେତେଦିନ ହେବ ଏଜେଣ୍ଟ(ପ୍ରତିନିଧି) ଭାବରେ କାର୍ଯ୍ୟ କରୁଛନ୍ତି ତାକୁ ତର୍ଜମା କରାଯାଉଛି। ଯୁବତୀ ଜଣକ ବ୍ରିଟେନର ଟେଲିଫୋନ୍ ନମ୍ବରକୁ କେମିତି ହାତେଇଛନ୍ତି ତାହା ମଧ୍ୟ ତଦନ୍ତ ହେଉଛି। ଏଥିପାଇଁ ଅପରାଧ ନିୟନ୍ତ୍ରଣ ଶାଖା ‘ଇଣ୍ଟରପୋଲ୍‌’ ଓ ‘ର’ ଭଳି ଆନ୍ତର୍ଜାତିକ ସ୍ତରରେ ତଦନ୍ତକାରୀ ସଂସ୍ଥାର ସହାୟତା ନେଇପାରେ ବୋଲି ଅନୁମାନ କରାଯାଉଛି। ଯୁବତୀ ଜଣକ ଓଡ଼ିଶାର ନମ୍ବରକୁ ନେଇ ଅନ୍ୟ ଡିଆର୍‌ଡିଓ ଶାଖାର କର୍ମଚାରୀଙ୍କୁ ଜାଲ୍‌ରେ ଫସାଇବା ନେଇ ଆଶଙ୍କା କରାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories