ନୂଆଦିଲ୍ଲୀ: ଧୂମପାନ ଓ ତମାଖୁ ସ୍ବାସ୍ଥ୍ୟ ପ୍ରତି ହାନିକାରକ। ଧୂମପାନ ଯୋଗୁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କର ଅକାଳରେ ମୃତ୍ୟୁ ଘଟୁଛି। ଏହି କାରଣରୁ ତମାଖୁ ଓ ଧୂମପାନଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଉଛି। ଆପଣ ପ୍ରେକ୍ଷାଳୟ ଏବଂ ଟିଭିରେ ଧୂମପାନର ଦୃଶ୍ୟ ଦେଖାଇବା ସହିତ ନିମ୍ନ ଭାଗରେ ଛୋଟ ଅକ୍ଷରରେ ଲେଖାଯାଇଥିବା ଏକ ଚେତାବନୀ ନିଶ୍ଚୟ ଦେଖିଥିବେ, ହେଲେ ତଥାପି ଲୋକମାନେ ସଚେତନ ହେଉନାହାନ୍ତି। ଆଜି ପୂରା ବିଶ୍ବ ତମାଖୁ ବର୍ଜନ ଦିବସ ପାଳନ କରୁଛି। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓଟିଟି ପ୍ଲାଟଫର୍ମରେ ତମାଖୁ ବିରୋଧୀ ଚେତାବନୀ ପାଇଁ ନୂତନ ନିୟମାବଳୀ ଜାରି କରିଛି।
ବିଶ୍ବ ତମାଖୁ ବର୍ଜନ ଦିବସ ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର ସିଗାରେଟ୍ ଏବଂ ଅନ୍ୟ ତମାଖୁ ଉତ୍ପାଦ ଅଧିନିୟମ, ୨୦୦୪ ଅନୁସାରେ ସଂଶୋଧିତ ନିୟମାବଳୀ ଜାରି କରିଛନ୍ତି। ଏଥିସହ ଓଟିଟି କାର୍ଯ୍ୟକ୍ରମରେ ପ୍ରେକ୍ଷାଳୟରେ ଚଳଚ୍ଚିତ୍ର ଓ ଟିଭି କାର୍ଯ୍ୟକ୍ରମ ଭଳି ତମାଖୁ ବିରୋଧୀ ସଚେତନତା ଦେବା ବାଧ୍ୟତାମୂଳକ କରାଯାଇଛି। ନିୟମାବଳୀ ଅନୁଯାୟୀ, ଅନଲାଇନ ବିଷୟବସ୍ତୁରେ ତମାଖୁ ଉତ୍ପାଦ କିମ୍ବା ତା’ର ବ୍ୟବହାର ଦେଖାଇବା ସମୟରେ ପ୍ରସାରଣକାରୀଙ୍କୁ କାର୍ଯ୍ୟକ୍ରମ ଆରମ୍ଭ ଓ ମଧ୍ୟ ଭାଗରେ ଅତି କମ୍ରେ ୩୦ ସେକେଣ୍ଡ ପର୍ଯ୍ୟନ୍ତ ତମାଖୁ ବିରୋଧୀ ସ୍ବାସ୍ଥ୍ୟ ସଚେତନତା ଦେବାକୁ ପଡ଼ିବ। କାର୍ଯ୍ୟକ୍ରମରେ ତମାଖୁ ଉତ୍ପାଦ କିମ୍ବା ତା’ର ବ୍ୟବହାର ଦେଖାଇବା ସମୟରେ ପରଦାର ତଳ ଭାଗରେ ଏକ ବାର୍ତ୍ତା ଭାବେ ତମାଖୁ ବିରୋଧୀ ସ୍ୱାସ୍ଥ୍ୟ ସଚେତନତା ପ୍ରଦର୍ଶନ କରିବା ବାଧ୍ୟତାମୂଳକ କରାଯାଇଛି। ଏହା ସହିତ କାର୍ଯ୍ୟକ୍ରମର ଆରମ୍ଭ ଏବଂ ମଧ୍ୟଭାଗରେ ତମାଖୁ ସେବନର କୁପ୍ରଭାବ ଉପରେ ଅତି କମରେ ୨୦ ସେକେଣ୍ଡର ଏକ ଅଡିଓ-ଭିଜୁଆଲ୍ ଡିସ୍କ୍ଲେମର ମଧ୍ୟ ଦେଖାଇବାକୁ ପଡିବ। ତମାଖୁ ବିରୋଧୀ ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା ଏବଂ ଅଡିଓ-ଭିଜୁଆଲ୍ ଡିସ୍କ୍ଲେମର ଅନଲାଇନ୍ ବିଷୟବସ୍ତୁରେ ବ୍ୟବହୃତ ସମାନ ଭାଷାରେ ହେବା ଉଚିତ।
ଅନଲାଇନ୍ ବିଷୟବସ୍ତୁରେ ତମାଖୁ ଦ୍ରବ୍ୟର ପ୍ରଦର୍ଶନ କିମ୍ବା ବ୍ୟବହାର, ସିଗାରେଟ୍ ବା ଅନ୍ୟାନ୍ୟ ତମାଖୁ ଉତ୍ପାଦର ବ୍ରାଣ୍ଡ ପ୍ରଦର୍ଶନ କିମ୍ବା କୌଣସି ରୂପରେ ତମାଖୁ ଉତ୍ପାଦର ପ୍ରଚାର ଏବଂ ପ୍ରଚାର ସାମଗ୍ରୀରେ ତମାଖୁ ଉତ୍ପାଦର ପ୍ରଦର୍ଶନ କିମ୍ବା ବ୍ୟବହାର ମଧ୍ୟ ହୋଇପାରିବ ନାହିଁ। ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ସହ ବିଚାର ବିମର୍ଷ ପରେ ଏହି ନିଷ୍ପତ୍ତି ନିଆଯାଇଛି।



