ଉତ୍ତରାଖଣ୍ଡ ସମାନ ନାଗରିକ ସଂହିତା ବିଲ୍‌: ବିବାହ ଓ ଛାଡ଼ପତ୍ର ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ, କଣ ଏହି ବିଲ୍‌ ଜାଣନ୍ତୁ . . .

ଉତ୍ତରାଖଣ୍ଡ: ଫେବୃଆରୀ ୬ ଉତ୍ତରାଖଣ୍ଡ ପାଇଁ ଐତିହାସିକ ଦିନ ଥିଲା । ମଙ୍ଗଳବାର ବିଧାନସଭାରେ ଆଗତ ହୋଇଛି ୟୁନିଫର୍ମ ସିଭିଲ କୋର୍ଡ ବିଲ୍‌ ଅର୍ଥାତ ସମାନ ନାଗରିକ ସଂହିତା ବିଲ୍‌ । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଗୃହରେ ବିଲ୍‌ ଆଗତ କରିଥିଲେ । ବିଲ ଉପରେ ଚର୍ଚ୍ଚା ହେଉଥିବା ବେଳେ ବିରୋଧୀ ସଦସ୍ୟ ମାନେ ଗୃହରେ ହୋହାଲ୍ଲା କରିଥିଲେ । ବିଲରେ ଅନେକ ସଂଶୋଧନର ଆବଶ୍ୟକ ବୋଲି ବିରୋଧୀ କହିଛନ୍ତି । ବୁଧବାର ବିଲ୍‌ ପାରିତ ହେବା ସମ୍ଭାବନା ରହିଛି । ଏହି ବିଲ୍‌ ପାସ୍‌ କରାଇବାରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହେବ ।

ୟୁନିଫର୍ମ ସିଭିଲ କୋଡରେ ଅନେକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । ଉତ୍ତରାଖଣ୍ଡ ୟୁସିସି ବିଲ୍‌ ୨୦୨୪ ମୁଖ୍ୟତଃ ବିବାହ, ଛାଡପତ୍ର, ଜମିଜମା, ସମ୍ପତି ଏବଂ ଉତ୍ତରାଧିକାରିତ୍ୱ କ୍ଷେତ୍ରରେ ରାଜ୍ୟରେ ସମସ୍ତ ନାଗରିକ ସମାନ ଅଧିକାର ପାଇବା ଉପରେ ଆଧାରିତ ହୋଇଛି । ବିଲରେ ସମସ୍ତ ବର୍ଗର ଲୋକଙ୍କ ପାଇଁ ସମାନ ବ୍ୟବସ୍ଥା କରାଯାଉଛି । ଏହି ବିଲ୍‌ ଲାଗୁ ହେଲେ ଉତ୍ତରାଖଣ୍ଡରେ ଲିଭ୍‌ ଇନ୍‌ ରିଲେସନସିପରେ ରହୁଥିବା ଲୋକଙ୍କ ପାଇଁ ପଞ୍ଜୀକରଣ କରିବା ବାଧ୍ୟତାମୂଳକ ହେବ । ଏହା ନକରିଲେ ୬ମାସ ପର୍ଯ୍ୟନ୍ତ ଦଣ୍ଡ ହୋଇପାରେ । ଏହା ବ୍ୟତୀତ ସ୍ୱାମୀ କିମ୍ବା ସ୍ତ୍ରୀ ଜୀବିତ ଥିଲେ ଦ୍ୱିତୀୟ ବିବାହ ମଧ୍ୟ ବେଆଇନ ବୋଲି ଧରାଯିବ । ଉଭୟ ବିବାହ ଓ ଛାଡପତ୍ରର ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି । ଝିଅଙ୍କ ବିବାହ ଆଇନଗତ ବୟସ ୨୧ବର୍ଷ ଧାର୍ଯ୍ୟ ହୋଇପାରେ । ମୁସଲମାନ ମହିଳାଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ କରିବା ଅଧିକାର ସରଳ ହେବ । ଛାଡପତ୍ର ପ୍ରକି୍ରୟାରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ସମାନ ସୁବିଧା ପାଇବେ । ଚାକିରିଆ ପୁଅର ମୃତୁ୍ୟ ହେବା ପରେ ବୃଦ୍ଧ ବାପା ମାଙ୍କ ଦାୟିତ୍ୱ ବୋହୂ ଉପରେ ରହିବ ଏବଂ କ୍ଷତିପୂରଣ ମଧ୍ୟ ମିଳିବ । ଅନାଥ ପିଲାମାନଙ୍କୁ ଗ୍ରହଣ ପାଇଁ ଅଭିଭାବକଙ୍କ ପ୍ରକି୍ରୟା ସରଳ ହେବ । ଏହାସହିତ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ବିବାଦ ଥିଲେ ପିଲାର ଦାୟିତ୍ୱ ଜେଜେ ବାପା ଓ ମାଙ୍କୁ ଦିଆଯାଇପାରେ ।

ଉତ୍ତରାଖଣ୍ଡ ୟୁସିସି ବିଲ୍‌ ସାମ୍ବିଧାନିକ କି ?
ସମ୍ବିଧାନରେ ୟୁନିଫର୍ମ ସିଭିଲ୍‌ କୋଡ ଅର୍ଥାତ ସମାନ ନାଗରିକ ସଂହିତା ବିଲ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ସମ୍ବିଧାନର ଧାରା ୪୪ର ଭାଗ ୪ରେ ଏହା ଉପରେ ଆଲୋଚନା କରାଯାଇଛି । ରାଜ୍ୟର ନୀତି ନିଦେ୍ର୍ଦଶାନାମା ସହ ଜଡିତ ଏକ ଅନୁଚ୍ଛେଦରେ ଦର୍ଶାଯାଇଛି ଯେ ସାରା ଦେଶରେ ନାଗରିକଙ୍କ ପାଇଁ ସମାନ ନାଗରିକ ସଂହିତା ବିଲ ଲାଗୁ କରିବାକୁ ରାଜ୍ୟ ଚେଷ୍ଟା କରିବେ । ଏହି ବିଲ୍ କାର୍ୟ୍ୟକାରୀ ହେବା ପରେ ହିନ୍ଦୁ ବିବାହ ଆଇନ, ମୁସଲିମ୍ ବ୍ୟକ୍ତିଗତ ଆଇନ ଏବଂ ଅନ୍ୟ ଧର୍ମର ବ୍ୟକ୍ତିଗତ ନିୟମକୁ ରଦ୍ଦ କରାଯିବ। ସାମାଜିକ ପରିବର୍ତ୍ତନ ଦିଗରେ ଏହା ଏକ ବଡ ପଦକ୍ଷେପ ଭାବରେ ବିବେଚନା କରାଯାଉଛି ।

ବିବାହ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ:
ୟୁସିସି ବିଲ୍‌ ଲାଗୁ ହେଲେ ସମସ୍ତ ବିବାହର ପଞ୍ଜିକରଣ ବାଧ୍ୟତାମୂଳକ ହେବ । ବିଲ୍‌ ଲାଗୁ ହେବା ପରେ ପୂର୍ବରୁ ହୋଇଥିବା ବିବାହର ମଧ୍ୟ ପଞ୍ଜିକରଣ କରିବାକୁ ପଡିବ । ପଂଚାୟତ ହେଉ କି ଗ୍ରାମ କିମ୍ବା ସହରରେ ହେଉଥିବା ସାମାଜିକ ବିବାହର ବି ପଞ୍ଜିକରଣ ସରଳୀକୃତ ହେବ । ଲୋକମାନେ ଏଥିପାଇଁ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ବିଲ୍‌ରେ ସ୍ପଷ୍ଟ କରାଯାଇଛି ଯେ ବିବାହ କରୁଥିବା ପୁଅ କିମ୍ବା ଝିଅ ମଧ୍ୟରୁ ଯଦି ଜଣେ ଉତ୍ତରାଖଣ୍ଡର ବାସିନ୍ଦା ହୋଇଥିବେ ତେବେ ବିବାହ ପଞ୍ଜିକରଣ କରିବାକୁ ପଡିବ । ଏଥିପାଇଁ ପୁଅ କିମ୍ବା ଝିଅ ପୂର୍ବରୁ ବିବାହ କରିନଥିବେ, ପୁଅର ବୟସ ୨୧ବର୍ଷରୁ କମ ହୋଇନଥିବ, ଏବଂ ଝିଅ ୧୮ବର୍ଷରୁ କମ ହୋଇନଥିବେ । ଏହି ଦୁଇଟି ସର୍ତ୍ତ ପୂରଣ ହୋଇଥିଲେ ବିବାହ ପଞ୍ଜୀକରଣ କରିପାରିବେ ।

Comments are closed.