୭୦ ବର୍ଷରେ ସର୍ବାଧିକ ଭାରତୀୟ ଶାନ୍ତିସେନାଙ୍କ ବଳିଦାନ : ଜାତିସଂଘ ରିପୋର୍ଟ

0

ଜାତିସଂଘ : ବିଗତ ୭୦ ବର୍ଷ ମଧ୍ୟରେ ଜାତିସଂଘ ପକ୍ଷରୁ ଅନୁଷ୍ଠିତ ବହୁ ଶାନ୍ତି ଅଭିଯାନ ବେଳେ ସର୍ବାଧିକ ଭାରତୀୟ ସୈନିକ ପ୍ରାଣ ହରାଇଛନ୍ତି। ୧୯୪୮ ପରଠାରୁ ଶାନ୍ତି ଅଭିଯାନରେ ପ୍ରାଣବଳି ଦେଇଥିବା ମୋଟ ୩,୭୩୭ ଜଣ ଶାନ୍ତିସୈନିକଙ୍କ ମଧ୍ୟରୁ ୧୬୩ ଜଣ ଭାରତୀୟ ଯବାନ, ପୁଲିସ ତଥା ସାଧାରଣ ନାଗରିକ ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମଙ୍ଗଳବାର ଅନ୍ତର୍ଜାତୀୟ ଜାତିସଂଘ ଶାନ୍ତି ପ୍ରତିଷ୍ଠା ଦିବସ ପାଳନ ଅବସରରେ ଜାତିସଂଘ ପକ୍ଷରୁ ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରାଣବଳି ଦେଇଥିବା ଶାନ୍ତି ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ରିପୋର୍ଟ ଅନୁସାରେ, ଜାତିସଂଘ ଶାନ୍ତି ରକ୍ଷା ଅଭିଯାନରେ ଭାରତୀୟ ଶାନ୍ତିସୈନ୍ୟଙ୍କ ସଂଖ୍ୟା ତୃତୀୟ ସର୍ବାଧିକ। ସମ୍ପ୍ରତି ୬,୬୯୩ ଜଣ ଭାରତୀୟ ଶାନ୍ତିସୈନିକ ଆବେଇ, ସାଇପ୍ରସ, କଙ୍ଗୋ, ହାଇତି, ଲେବାନନ୍‍, ମଧ୍ୟପ୍ରାଚ୍ୟ, ଦକ୍ଷିଣ ସୁଦାନ ଏବଂ ପଶ୍ଚିମ ସାହାରାଠାରେ ମୁତୟନ ଅଛନ୍ତି। ଚଳିତବର୍ଷ ଜାତିସଂଘ ଶାନ୍ତି ପ୍ରତିଷ୍ଠା ଅଭିଯାନର ୭୦ତମ ବାର୍ଷିକୋତ୍ସବ ପାଳନ କରାଯାଉଛି। ଏହି ଅବସରରେ ବିଶ୍ୱର ବିଭିନ୍ନ କୋଣରେ ଶାନ୍ତି ପ୍ରତିଷ୍ଠା କାର୍ଯ୍ୟରେ ନିୟୋଜିତ ମହିଳା ଏବଂ ପୁରୁଷ ଶାନ୍ତିସୈନ୍ୟଙ୍କୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେର୍‍ସ କୃତଜ୍ଞତା ଜଣାଇଛନ୍ତି। ଉତ୍ତର ପୂର୍ବ ଆଫ୍ରିକୀୟ ରାଷ୍ଟ୍ର ବିଶ୍ୱର ସବୁଠାରୁ ସଙ୍କଟମୟ ସ୍ଥାନ ହୋଇଥିବା ବେଳେ ଏଠାରେ ୨୦୧୭ରେ ୨୧ ଜଣ ଶାନ୍ତିସୈନ୍ୟ ଏବଂ ୭ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ଜୁନ୍‍ ୧ରେ ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଗୁଟେର୍‍ସ ୨୦୧୭ରେ ୩୭ଟି ଦେଶର ୧୩୨ ପ୍ରାଣ ହରାଇଥିବା ଶାନ୍ତିସୈନିକଙ୍କୁ ମରଣୋତ୍ତର ଭାବେ ସମ୍ମାନୀତ କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply