ମାନିଲା: ଫିଲିପାଇନ୍ସରେ ସାମୁଦ୍ରିକ ଝଡ଼ ‘କାଲମେଗି’ର ତାଣ୍ଡବ ଦେଖିବାକୁ ମିଳିଛି। ଏଥିରେ ୧୧୪ ଜଣଙ୍କର ପ୍ରାଣହାନି ଘଟିଥିବାବେଳେ ଶତାଧିକ ନିଖୋଜ ଅଛନ୍ତି। ବୁଧବାର ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ଏହି ଝଡ଼ ଯୋଗୁଁ ସେବୁ ପ୍ରଦେଶ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ସେବୁ ପ୍ରଦେଶରେ ୭୧ ଜଣ ପ୍ରାଣ ହରାଇଥିବା କୁହାଯାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ୫.୬ ଲକ୍ଷ ଲୋକ ବାସଚ୍ୟୁତ ହୋଇଥିବା କୁହାଯାଇଛି। ୪ ଲକ୍ଷ ୫୦ ହଜାର ଲୋକଙ୍କୁ ଅସ୍ଥାୟୀ ରିଲିଫ ଶିବିରକୁ ସ୍ଥାନାନ୍ତର କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଜୁନିଅର ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି।
ବାତ୍ୟା ପ୍ରଭାବିତ ଅଞ୍ଚଳରେ ସଡକଗୁଡିକ କ୍ଷତିଗ୍ରସ୍ତ ହୋଇଥିବାରୁ ରିଲିଫ୍ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବୁଧବାର ବାତ୍ୟାଞ୍ଚଳକୁ ରିଲିଫ୍ ଯୋଗାଇବାକୁ ଯାଇଥିବାବେଳେ ଫିଲିପାଇନ୍ସ ବାୟୁସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଛଅଜଣଙ୍କର ପ୍ରାଣହାନି ଘଟିଛି। କାଲମେଗି ଯୋଗୁଁ ଫାଲିପାଇନ୍ସର କେତେକ ସ୍ଥାନରେ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏକାଧିକ ନଦୀର ଜଳପତ୍ତନ ବୃଦ୍ଧି ପାଇଥିବାରୁ କେତେକ ଗ୍ରାମରେ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଥିବା ଲକ୍ଷ୍ୟ କରାଯାଇଛି। ଫିଲିପାଇନ୍ସ ସରକାର ଝଡ଼ର ମୁକାବିଲା ପାଇଁ ପ୍ରସ୍ତୁୁତ ଥିବାବେଳେ ଆକସ୍ମିକ ବନ୍ୟା ସ୍ଥିତିକୁ ଅଧିକ ଜଟିଳ କରିଛି ବୋଲି ସେବୁ ପ୍ରଦେଶ ଗଭର୍ଣ୍ଣର ପାମେଲା ବାରିକ୍ୟୁଆତ୍ରୋ କହିଛନ୍ତି। ସୂଚନାଯୋଗ୍ୟ ଗତ ସେପ୍ଟେମ୍ବର ୩୦ରେ ସେବୁ ପ୍ରଦେଶରେ ୬.୯ ତୀବ୍ରତାର ଭୂମିକମ୍ପ ହୋଇଥିବାବେଳେ ୭୯ ଲୋକ ପ୍ରାଣ ହରାଇଥିଲେ। ଫିଲିପାଇନ୍ସ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ପ୍ରଶାନ୍ତ ମହାସାଗରରେ ଆଉ ଏକ ସାମୁଦ୍ରିକ ଝଡ଼ ଦାନା ବାନ୍ଧୁଥିବାବେଳେ ଆଗାମୀ ସପ୍ତାହରେ ଏହା ଉତ୍ତର ଫିଲିପାଇନ୍ସରେ ବ୍ୟାପକ କ୍ଷତି କରିବ।



