www.samajalive.in
Saturday, December 6, 2025
19.1 C
Bhubaneswar

ଜୟଙ୍କ ପାଇଁ ଭୋଟ ମାଗିଲେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା/କୋମନା/ଭୁବନେଶ୍ୱର: ‘ନୂଆପଡ଼ା ବିକାଶ ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ। ଜିଲାରେ ୧୪୦୦ କୋଟି ଟଙ୍କାର ପ୍ରକଳ୍ପ ହେବ। ସରକାରଙ୍କ ନୀତି ଓ ନିଷ୍ପତ୍ତି ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହେବ। ନୂଆପଡ଼ାର ବିକାଶ ଦାୟିତ୍ୱ ମୁଁ ନେଇଛି। ଏହାର ସର୍ବଙ୍ଗୀନ ଓ ସାମଗ୍ରିକ ଉନ୍ନତି ପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଜିତାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡାବାସୀଙ୍କୁ ଅନୁରୋଧ କରିଛନ୍ତି। ଆଜି ଗୁରୁବାର ନୂଆପଡ଼ା ନିର୍ବାଚନ ମଣ୍ଡଳୀର କୋମନାଠାରେ ଅନୁଷ୍ଠିତ ବିଶାଳ ଜନସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବେଇମାନ କହିଲେ। ଏହାର ସଂଜ୍ଞା କଣ ? ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏହା କେଉଁ ପ୍ରକାର ଶାଳୀନତା ? ରାଜନୈତିକ ଚକ୍ରାନ୍ତ କରି ନିଜେ ନିଜ ଲୋକଙ୍କୁ ଠକେଇଛି ବିଜେଡି। ବିଜେଡି କେତେ ପ୍ରତାରଣା କରିଛି ସମସ୍ତେ ଜାଣନ୍ତି ବୋଲି ମୁଖ୍ୟମନ୍ତ୍ରୀ କଡ଼ା ସମାଲୋଚନା କରିଥିଲେ।

ନୂଆପଡ଼ାରେ ବିଜେପି ପ୍ରାର୍ଥୀ ଚୋରି କରିଛି ବୋଲି ନବୀନ ଅଭିଯୋଗ କରିଥିଲେ। ମାତ୍ର ବିଜେଡି ହେଉଛି ପ୍ରାର୍ଥୀ ଚୋର। ବିଜେପୁରରେ କଂଗ୍ରେସ ନେତାକୁ ଆଣି ବିଜେଡି ପ୍ରାର୍ଥୀ କରିଥିଲା, କାକଟପୁରରେ ପ୍ରାର୍ଥୀ ଚୋରି କରିଥିଲା ବିଜେଡି। ମନ୍ତ୍ରୀ ପଦ ଦେଖାଇ ପ୍ରାର୍ଥୀ ଚୋରି କରିଥିଲା। ନର୍ଲା ଓ କେସିଙ୍ଗା କଂଗ୍ରେସ ନେତାଙ୍କୁ ନେଇଯାଇଥିଲା ବିଜେଡି। ସେତେବେଳେ ବିଜେଡି ବେଇମାନି କରି ନ ଥିଲା କି ? ଏଭଳି ଶାଣିତ ସମାଲୋଚନା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଜେଡିକୁ ସମାଲୋଚନା କରିଛନ୍ତି। ବିଜେଡି ଏବେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ସୁପୁତ୍ର ଜୟ ଢୋଲକିଆଙ୍କୁ ବେଇମାନ କହିବା ଅତ୍ୟନ୍ତ ନିନ୍ଦନୀୟ। ଏହା କ’ଣ ବିରୋଧୀ ଦଳ ନେତାଙ୍କ ମୁହଁରେ ଶୋଭାପାଏ।

- Advertisement -

ପୂର୍ବ ସରକାର ରାଜ୍ୟରେ ୨୪ବର୍ଷ ଶାସନ କଲେ, ସେହି ତୁଳନାରେ ୧୬ ମାସରେ ବିଜେପି ସରକାରଙ୍କ ସଫଳତା ଅଧିକ। ଏହା କହି ମୁଖ୍ୟମନ୍ତ୍ରୀ ବିଜେପି ସରକାରଙ୍କ ସଫଳତା ଗଣାଇଥିଲେ। ନବୀନ ବାବୁ ସୋହେଲା ଠାରେ ନିଜେ ଘୋଷଣା କରିଥିବା ଧାନ କ୍ବିଣ୍ଟାଲ ପିଛା ୧୦୦ ଟଙ୍କାର ବୋନସ୍ ଦେଇପାରିଲେନି। ଘୋଷଣା କରି ଚୁପ୍ ବସି ଯାଇଥିଲା ପୂର୍ବ ସରକାର। ବିଜେପି ସରକାରକୁ ଆସିବା ପରେ ବର୍ତମାନ ଧାନ କ୍ବିଣ୍ଟାଲ ପିଛା ୩୧୬୯ ଟଙ୍କା ଚାଷୀକୁ ମିଳୁଛି। ନୂଆପଡା ଜିଲାରେ ସର୍ବାଧିକ ଧାନ କିଣା ଯାଇଛି। ଆମ ସରକାର ମହିଳାଙ୍କ ଲାଗି ସୁଭଦ୍ରା ଯୋଜନା ଲାଗୁ କରିଛନ୍ତି। ଏହି ଯୋଜନାରେ ରାଜ୍ୟର ୧ କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେଉଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି।

ବିଜେଡି ଶାସନରେ କାହିଁକି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଉ ନ ଥିଲା ବୋଲି ମୋହନ ପ୍ରଶ୍ନ କରିଛନ୍ତି। ନୂଆପଡାର ସାମଗ୍ରିକ ବିକାଶ ପାଇଁ ଲୋକ ମାନଙ୍କ କଥା ଜୟ ଶୁଣିବେ ଓ ଜୟଙ୍କ କଥା ମୁଁ ଶୁଣିବି; ଏହା ହେଉଛି ମୋର ଆପଣଙ୍କୁ ପ୍ରତିଶ୍ରୁତି ବୋଲି ଶ୍ରୀ ମାଝୀ କହି ଜୟଙ୍କ ପାଇଁ ଭୋଟ ମାଗିଛନ୍ତି। ତେବେ ଜନସଭାକୁ ସମ୍ବୋଧିତ କରିବାବେଳେ ବିଜେପି ପ୍ରାର୍ଥୀ ଜୟ ଭୋ ଭୋ କାନ୍ଦିଥିବା ଦେଖିବାକୁ ମିଳିଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତ ମୁଠାକୁ ଟାଣ କରିବାକୁ ଆଗାମୀ ଉପନିର୍ବାଚନରେ ଜୟଙ୍କୁ ଭୋଟ ଦେଇ ରାଷ୍ଟ୍ର ତଥା ରାଜ୍ୟ ଓ ନୂଆପଡ଼ା ବିକାଶଧାରାରେ ଯୋଡିହେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭୋଟରଙ୍କୁ ନିବେଦନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭୁବନେଶ୍ୱରରୁ ସିଧାସଳଖ ନୂଆପଡା ସ୍ଥିତ ଗୋତମା ଏୟାରଷ୍ଟ୍ରିପରେ ଓହ୍ଲାଇ କୋମନା ବ୍ଲକ ଉଦ୍ୟାନବନ୍ଧ ପହଞ୍ଚିବା ପରେ ଡ.ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ଏକ ବିରାଟ ‘ରୋଡ ଶୋ’ରେ ଆସି କୋମନାଠାରେ ପହଞ୍ଚି ସମବେତ ଜନସଭାକୁ ସମ୍ବୋଧିତ କରିଥିଲେ। ଏହି ବିଶାଳ ବିଜୟ ସଂକଳ୍ପ ସମାବେଶରେ ପ୍ରାର୍ଥୀ ଜୟ ଢୋଲକିଆ, ସ୍ୱର୍ଗତଃ ରାଜୁ ଢୋଲକିଆଙ୍କ ଧର୍ମପତ୍ନୀ କଳ୍ପନା ଢୋଲକିଆ, ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂହଦେଓ, ସାଂସଦ ମାଳବିକା ଦେବୀ, ପୂର୍ବତନ ରାଜ୍ୟ ସଭାପତି ତଥା ବରିଷ୍ଠ ନେତା ବସନ୍ତ ପଣ୍ଡା, ବରିଷ୍ଠ ନେତା ଯଦୁମଣି ପାଣିଗ୍ରାହୀ, ପ୍ରସନ୍ନ ପାଢୀ, ଖାମ ସିଂ ମାଝି, ହୋମ ସିଂ ମାଝି, ଯୁବନେତା ଅଭିନନ୍ଦନ ପଣ୍ଡାଙ୍କ ସମେତ ଅନେକ ବିଧାୟକ, ରାଜ୍ୟ-ଜିଲା ଏବଂ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories