ପୁଲୱାମାରେ ଏନକାଉଣ୍ଟର, ୨ ହିଜବୁଲ ଆତଙ୍କୀ ନିହତ

ଜାମ୍ମୁ: ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲାରେ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ଏହି ଗୁଳିବିନିମୟ ସମୟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତକଦ୍ବୟ ହିଜବୁଲ ମୁଜାହିଦ୍ଦିନ ସଂଗଠନର ବୋଲି ଜଣାପଡ଼ିଛି।

ପୁଲୱାମା ଜିଲାର ଦ୍ରବଗାମ ଅଞ୍ଚଳରେ ସୋମବାର ଯବାନଙ୍କ ପକ୍ଷରୁ ପାଟ୍ରୋଲିଂ କରାଯାଇଥିଲା। ଏହି ସମୟରେ ସମ୍ପୃକ୍ତ ଅଞ୍ଚଳରେ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଗାଡ଼ି ଉପରକୁ ଗୁଳିମାଡ଼ କରିଥିଲେ। ଫଳରେ ଯବାନମାନଙ୍କ ପକ୍ଷରୁ କଡ଼ା ଜବାବ ଦିଆଯାଇଥିଲା। ରାତି ପର୍ଯ୍ୟନ୍ତ ଗୁଳିବିନିମୟ ଚାଲିଥିଲା। ପରେ ଅପରେଶନକୁ ବନ୍ଦ କରିଦିଆଯାଇଥିଲା। କିନ୍ତୁ ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରିଦିଆଯାଇଥିଲା। ମଙ୍ଗଳବାର ସକାଳେ ପୁଣି ଥରେ ଅପରେଶନ ଆରମ୍ଭ ହୋଇଥିଲା। ଏଥିରେ ଦୁଇ ଆତଙ୍କୀ ନିପାତ ହୋଇଥିବା ଜଣାପଡ଼ିଛି। ନିହତ ଆତଙ୍କୀଙ୍କ ମଧ୍ୟରେ ଇରଫାନ ଅହମ୍ମଦ ନାୟରା ରହିଛି। ସେ ରିୟାଜ ନାୟକୁର ଘନିଷ୍ଠ ସହଯୋଗୀ ଥିଲା। ୨୦୧୬ରେ ଇରଫାନ ହିଜବୁଲ ସଂଗଠନରେ ସାମିଲ ହୋଇଥିଲା। ନିହତଙ୍କ ମଧ୍ୟରୁ ଅନ୍ୟ ଜଣେ ହେଉଛି ଇରଫାନ ରାଥର, ଯିଏ ୨୦୧୭ରୁ ସକ୍ରିୟ ରହିଥିଲା।

Comments are closed.