ଇସଲାମାବାଦ: ପାକିସ୍ତାନର ଇସଲାମାବାଦରେ ଥିବା ଭାରତୀୟ ଦୂତାବାସର ୨ ଅଧିକାରୀ ନିଖୋଜ ହୋଇଯାଇଛନ୍ତି। ସୋମବାର ସକାଳ ସାଢ଼େ ୮ଟା ବେଳେ ୨ ଅଧିକାରୀ ନିଜ କାର୍ଯ୍ୟରେ ବାହାରିଥିଲେ। କିନ୍ତୁ ଯେଉଁ ସ୍ଥାନକୁ ସେମାନେ କାର୍ଯ୍ୟରେ ଯାଉଥିଲେ ସେଠାରେ ପହଞ୍ଚି ନାହାନ୍ତି। ସେମାନଙ୍କ ସହିତ କୌଣସି ସମ୍ପର୍କ ମଧ୍ୟ ସ୍ଥାପନ ହୋଇପାରି ନାହିଁ। ଅଧିକାରୀଦ୍ବୟଙ୍କ ନିଖୋଜ ପଛରେ ପାକିସ୍ତାନର ହାତ ଥିବା ସନ୍ଦେହ କରାଯାଉଛି। ତେବେ ଭାରତ ପକ୍ଷରୁ ଏ ସମ୍ପର୍କରେ ପାକ୍ ସରକାରଙ୍କୁ ଅବଗତ କରାଯିବା ପରେ ସେମାନଙ୍କୁ ଖୋଜାଖୋଜି ଚାଲିଥିବା ସୂଚନା ମିଳିଛି।
ନିକଟରେ ଭାରତରେ ଥିବା ପାକିସ୍ତାନ ଦୂତାବାସର ଦୁଇ ଅଧିକାରୀଙ୍କୁ ସରକାର ଗୁପ୍ତଚରଗିରି କରିବା ଅଭିଯୋଗରେ ବିତାଡ଼ିତ କରିଦେଇଥିଲେ। ଏଭଳି ସମୟରେ ପାକିସ୍ତାନରେ ଭାରତୀୟ ଦୂତାବାସ ଅଧିକାରୀଙ୍କ ନିଖୋଜ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ପାକିସ୍ତାନ ପ୍ରତିଶୋଧ ପରାୟଣ ହୋଇ ଭାରତୀୟ ଦୂତାବାସ ଅଧିକାରୀଙ୍କୁ ଫସାଇବା ଲାଗି ଏପରି କରିଥିବା ସନ୍ଦେହ କରାଯାଉଛି।



