ୱେସ୍କୋର ଦୋ ମୁହାଁ ନିତି : କେବଳ ରାଜସ୍ୱ ଉପରେ ଫୋକସ, ଡିଫେକ୍ଟିଭ ମିଟର ତଥ୍ୟ ଓ ସେବା ଦେବାରେ ଉଦାସୀନ

ସମ୍ବଲପୁର :  ମନୁଷ୍ୟର ଦୈନନ୍ଦିନ ଆବଶ୍ୟକତା ମଧ୍ୟରେ ଅନ୍ୟତମ ପ୍ରମୁଖ ଚାହିଦା ହେଉଛି ବିଦ୍ୟୁତ। ତେବେ ଓଡିଶା ରାଜ୍ୟରେ ବହୁ ବିଜୁଳି ଦେୟ ଅନାଦେୟ ହୋଇ ରହିଛି ବୋଲି ବିଦ୍ୟୁତ ବିତରଣକାରୀ ସଂସ୍ଥା ମାନେ କହୁଛନ୍ତି। ଏଣୁ କରୋନା ସଙ୍କଟ ପୂର୍ବରୁ ପେବୃଆରୀ ୧୬ ତାରିଖରୁ ରାଜ୍ୟରେ ଅନାଦେୟ ବିଦ୍ୟୁତ ଦେୟ ଗୁଡିକୁ ଆଦାୟ କରାଯିବା ପାଇଁ ବିଦ୍ୟୁତ ବିତରଣ କମ୍ପାନୀ ମାନଙ୍କ ପକ୍ଷରୁ ଏକ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି କ୍ରମରେ ପଶ୍ଚିମ ଓଡିଶାରେ ବିଦ୍ୟୁତ ସେବା ପ୍ରଦାନ କରୁଥିବା ୱେସକୋ ଦ୍ୱାରା ମଧ୍ୟ ଅନାଦେୟ ରାଜସ୍ୱ ଆଦାୟ ପାଇଁ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ୱେସ୍କୋ କତ୍ତୃପକ୍ଷଙ୍କ କେବଳ ରାଜସ୍ୱ ଆଦାୟ ଉପରେ ଫୋକସ ରହିଥିବା ବେଳେ ବିଦ୍ୟୁତ ସେବା ସମ୍ବନ୍ଧିତ ତଥ୍ୟ ଓ ସେବା ଦେବାରେ ଟାଳଟୁଳ ନିତି ଅବଲମ୍ବନ କରାଯାଇ ଆସୁଥିବାର ବାରମ୍ବାର ଅଭିଯୋଗ ହୋଇ ଆସୁଛି। ଏଭଳି ସ୍ଥଳରେ ଦୁର୍ନିତୀ, ଶୋଷଣ, ଅବହେଳିତ, ନିଷ୍ପେଷିତ ଓ ଗରିବ ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନକାରୀ ସଂସ୍ଥା ‘ଆୱାଜ’ ପକ୍ଷରୁ ରବିବାର ଦିନ ଏକ ସାମ୍ବାଦିକ ସମ୍ମଳନୀ କରାଯାଇ ୱେସ୍କୋ ଦ୍ୱାରା କରାଯାଉଥିବା ଦୋ ମୁହାଁ ନିତିର ପର୍ଦ୍ଦାଫାଶ କରିଛନ୍ତି।

ସ୍ଥାନୀୟ ଜିଲା ଓକିଲ ସଂଘ ପରିସର ନିକଟରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସୂଚନା ଅଧିକାର କର୍ମୀ ବୃନ୍ଦାବନ ମିଶ୍ର କହିଛନ୍ତି ଯେ, ପଶ୍ଚିମ ଓଡିଶାରେ ବିଦ୍ୟୁତ ସେବା ବିତରଣ କରୁଥିବା କମ୍ପାନୀ ୱେସକୋ ଠାରୁ ଗତ ୨୦୧୮ ଜାନୁଆରୀ ରୁ ଡିସେମ୍ବର ୨୦୧୯ ମଧ୍ୟରେ ତ୍ରୃଟିପୂର୍ଣ୍ଣ ମିଟର ସମ୍ବନ୍ଧରେ ମିଳିଥିବା ଅଭିଯୋଗ ସର୍ମ୍ପକରେ ଗତ ଡିସେମ୍ବର ୩୧ ତାରିଖରେ ତଥ୍ୟ ମାଗିଥିଲେ। ସୂଚନା ଅଧିକାର ଅନୁଯାୟୀ ବୃନ୍ଦାବନ ଏହି ତଥ୍ୟ ଜନସର୍ମ୍ପକ ଅଧିକାରୀ, ସମ୍ବଲପୁର ଇଲେକଟ୍ରିକାଲ ସାର୍କିଲ, ଅଇଁଠାପାଲୀ ସମ୍ବଲପୁରଙ୍କୁ ସମ୍ବଲପୁର ଇଲେକ୍ରିକାଲ ସାର୍କିଲ ମଧ୍ୟରେ ରହିଥିବା ଡିଭିଜନ ଗୁଡିକରେ ୩୧ ଡିସେମ୍ବର ୨୦୧୭ ସୁଦ୍ଧା କେତେ ଡିଫେକ୍ଟିଭ ମିଟର ସମ୍ବନ୍ଧିୟ ଅଭିଯୋଗ ଓ ତାର ନିରାକରଣ ସ୍ଥିତି, ୧ ଜାନୁଆରୀ ୨୦୧୮ ରୁ ୩୧ ଡିସେମ୍ବର ୨୦୧୯ ପର୍ଯ୍ୟନ୍ତ କେତେ ଅଭିଯୋଗ ପ୍ରାପ୍ତ ହୋଇଛି, କେତେ ଦିନରେ ସମାଧାନ, କେତେ ପେଣ୍ଡିଂ ରହିଛି, କଣ ପାଇଁ ପେଣ୍ଡିଂ ରହିଛି ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନାମା ଅନୁଯାୟୀ କେତେ ଦିନ ମଧ୍ୟରେ ବିଦ୍ୟୁତ ମିଟର ସର୍ମ୍ପକୀତ ଅଭିଯୋଗ ସମାଧାନ କରିବାର ପ୍ରାବଧାନ ରହିଛି ବୋଲି ସମୁଦାୟ ୩ଟି ପଏନ୍ଟରେ ସେ ଗତ ଡିସେମ୍ବରରେ ତଥ୍ୟ ମାଗିଥିଲେ। ପ୍ରଥମେ ୱେସ୍କୋ କତ୍ତୃପକ୍ଷ / ଜନ ସର୍ମ୍ପକ ଅଧିକାରୀ ନିଜ ମୁଣ୍ଡରୁ ଅଠା ଖସାଇବା ପାଇଁ ଜାନୁଆରୀ ୨ ତାରିଖରେ ଏକ ଚିଠି (ସଂଖ୍ୟା ଏସଇ-ଆରଟିଆଇ./ ୧୯, ତା. ୦୨.୦୧.୨୦୨୦) କରି ସମ୍ବଲପୁର ବିଦ୍ୟୁତ ସାର୍କିଲ ଅଧିନସ୍ଥ ସମସ୍ତ ଡିଭିଜନ ମାନଙ୍କୁ ତଥ୍ୟ ସିଧାସଳଖ ସୂଚନା ମାଗିଥିବା ବ୍ୟକ୍ତିଙ୍କୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଜାରି କରି ଚୁପ ବସି ଯାଇଥିଲେ। ଏହି ଚିଠି ଜାରି ହେବାର ୨ ମାସ ବିତିଯିବା ପରେ କେବଳ ଅଇଁଠାପାଲୀ ସବ ଡିଭିଜନ ଛଡା ଅନ୍ୟ କୌଣସି ଡିଭିଜନ କୌଣସି ପ୍ରକାରର ସୂଚନା ବୃନ୍ଦାବନ ଅଥବା ସାର୍କିଲ କାର୍ଯ୍ୟାଳୟକୁ ଦେଇ ନ ଥିଲେ। ପରେ ବହୁ ବିଳମ୍ବରେ ବୁର୍ଲା, ହିରାକୁଦ, ଝାରସୁଗୁଡା, ଭୁତାପଡା, ଦେବଗଡ ଓ କୁଚିଣ୍ଡ ଏସଡିଓ ମାନେ ମଗାଯାଇଥିବାର ସୂଚନା ପ୍ରଦାନ କରିଥିଲେ।

ୱେସ୍କୋ ତରଫରୁ ୧ ଜାନୁଆରୀ ୨୦୧୮ ରୁ ୩୧ ଡିସେମ୍ବର ୨୦୧୯ ପର୍ଯ୍ୟନ୍ତ ଦିଆଯାଇଥିବା ତଥ୍ୟ ଅନୁଯାୟୀ ବୁର୍ଲା ସବ ଡିଭିଜନରେ ୧୨୫୪ଟି ଅଭିଯୋଗ ମିଳିଥିବା ବେଳେ ସମସ୍ତ ଅଭିଯୋଗ ଗୁଡିକୁ ମାତ୍ର ୨ ରୁ ୩ ଦିନ ମଧ୍ୟରେ ସମାଧାନ କରାଯାଇଛି। ସେହିଭଳି ଝାରସୁଗୁଡାର ସବ ଡିଭିଜନ ୧ ଓ ୨ କୁ ସମୁଦାୟ ୮୧୮ଟି ଅଭିଯୋଗ ମିଳିଥିବା ବେଳେ ସମସ୍ତ ଅଭିଯୋଗ ଗୁଡିକୁ ମାତ୍ର ୨ ରୁ ୩ ଦିନ ମଧ୍ୟରେ ସମାଧାନ କରାଯାଇଛି। ଅଇଁଠାପାଲି ସବି ଡିଭିଜନରେ ୨୦୯ଟି ଅଭିଯୋଗ ମିଳିଥିବା ବେଳେ ସମସ୍ତ ଅଭିଯୋଗ ଗୁଡିକୁ ୩୦ ଦିନ ମଧ୍ୟରେ ସମାଧାନ କରାଯାଇଛି। ହିରାକୁଦ ସବ ଡିଭିଜନରେ କେତୋଟି ଅଭିଯୋଗ ଥିଲା ସୂଚନା ଦିଆଯାଇ ନ ଥିବା ବେଳେ ୨୨୩୮ ଟି ଅଭିଯୋଗକୁ ସମାଧାନ କରାଯାଇଛି। କୁଚିଣ୍ଡା ସବ ଡିଭିଜନରେ ୧୦୩ଟି ଅଭିଯୋଗ ମିଳିଥିବା ବେଳେ ସମସ୍ତ ଅଭିଯୋଗ ଗୁଡିକୁ ୨ ରୁ ୩ ଦିନ ମଧ୍ୟରେ ସମାଧାନ କରାଯାଇଛି।

ତେବେ ସବୁଠାରୁ ଶୋଚନୀୟ ଅବସ୍ଥା ସମ୍ବଲପୁର ମଧ୍ୟରେ ରହିଥିବା ଭୁତାପଡା ଡିଭିଜନର ରହିଛି। ଭୁତାପଡା ଇଲେକଟ୍ରିକାଲ ଇଞ୍ଜିନିୟରଙ୍କ ସୂଚନାନୁଯାୟୀ ୩୮୫ ଟି ଅଭିଯୋଗ ମିଳିଥିବା ବେଳେ ଏ ପର୍ଯ୍ୟନ୍ତ ୫୧ଟି ଅଭିଯୋଗ ପେଣ୍ଡିଂ ଥିବା ବେଳେ ୬ ଟି ଅଭିଯୋଗକୁ ରିଜେକ୍ଟ କରାଯାଇଛି। ଏହା ସହିତ ଜଣେ ବିଦ୍ୟୁତ ଗ୍ରାହକ ଗୋଟିଏ ମିଟର ଅଭିଯୋଗ କରାଯିବାର ସର୍ବାଧିକ ୧୯ ମାର୍ଚ୍ଚ ୨୦୧୮ ରେ ମିଟର ଖରାପର ଅଭିଯୋଗ ଦେଇଥିବା ବେଳେ ୫ ଜୁନ ୨୦୧୯ରେ ତାଙ୍କର ଅଭିଯୋଗର ସମାଧାନ କରାଯାଇଛି। ଯାହାକି ଜାନୁଆରୀ ୧ ୨୦୧୮ ରୁ ୩୧ ଡିସେମ୍ବର ୨୦୧୯ ମଧ୍ୟରେ ସର୍ବାଧିକ ୪୪୧ ଦିନରେ ସମାଧାନ କରାଯାଇଛି। ଏହି ଭଳି ଅନେକ ଉପଭୋକ୍ତାଙ୍କର ଅଭିଯୋଗ ଗୁଡିକୁ ସମାଧାନ କରା ନ ଯାଇ ପେଣ୍ଡିଂ ରଖାଯାଇଛି।

ସୂଚନା ଅଧିକାର ଆଇନର ନିୟମାନୁଯାୟୀ ଆବେଦନ କରିବା ୩୦ ଦିନ ମଧ୍ୟରେ ତଥ୍ୟ ଦେବାର ପ୍ରାବଧାନ ରହିଥିବା ବେଳେ ଏହି କ୍ଷେତ୍ରରେ ତାହା ବହୁ ମାସ ଧରି ଗଡାଇବା ପରେ ଅସମ୍ପୁର୍ଣ୍ଣ ତଥ୍ୟ ଦିଆଯାଉଛି। ଏହା ସହିତ ଏ ପର୍ଯ୍ୟନ୍ତ କୌଣସି ହିୟରିଂ ମଧ୍ୟ କରାଯାଇ ନାହିଁ ବୋଲି ‘ଆୱାଜ’ ପକ୍ଷରୁ ଅଭିଯୋଗ କରାଯାଇଛି। ଏବେ ମଧ୍ୟ ବହୁ ସ୍ଥାନରେ ମିଟର ଗୁଡିକ ଡିଫେକ୍ଟିଭ ରହିଥିବା, ଡିଫେକ୍ଟିଭ ମିଟର ଗୁଡିକୁ ବଦଳ କରିବାରେ ଚୁପ ପଡି ରହି ଏଭରେଜ ବିଲିଂ କରିବା, ତ୍ରୃଟି ପୂର୍ଣ୍ଣ ବିଲ ଗୁଡିକୁ ସୁଧାରିବା ବଦଳରେ ଟାଳଟୁଳ କରି ସମୟ ଗଡାଇବା, ଲୋ ଭୋଲଟେଜ, ଅଘୋଷିତ ବିଦ୍ୟୁତ କାଟ ଆଦି ବହୁ ପ୍ରକାରର ତ୍ରୃଟିପୂର୍ଣ୍ଣ ସେବା ବିଜୁଳି ବିତରଣ କମ୍ପାନୀ ମାନଙ୍କ ଦ୍ୱାରା କରାଯାଉଛି। ସେବା ଓ ତଥ୍ୟ ପ୍ରଦାନ ଉପରେ ବିଭାଗ ପକ୍ଷରୁ କୌଣସି ଧ୍ୟାନ ଦିଆଯାଉ ନ ଥିବା ବେଳେ ଯେକୌଣସି ଉପାୟରେ କେବଳ ରାଜସ୍ୱ ଆଦାୟ ଉପରେ ସେମାନଙ୍କ ଫୋକସ ରହୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ ‘ଆୱାଜ’ର ସଦସ୍ୟ ମାନେ କହିଛନ୍ତି। ଏବେ କରୋନା ସଙ୍କଟ ଚାଲିଥିବା ବେଳେ ସମସ୍ତ ବିଦ୍ୟୁତ ଉପଭୋକ୍ତାଙ୍କର ଏଭଳି ହାରାହାରି ବିଲ କରାଯାଇଥିବାରୁ ପ୍ରତ୍ୟେକ ଉପଭୋକ୍ତାଙ୍କ ମାସିକ ପ୍ରାୟ ଦୁଇ ଗୁଣା ଅଧିକ ବିଲିଂ ହୋଇଛି। ଫଳରେ ପ୍ରତି ମାସ ଗ୍ରାହକ ପାଉଥିବା ରିହାତି ମଧ୍ୟ ମିଳୁ ନାହିଁ। ୱେସ୍କୋ କତ୍ତୃପକ୍ଷ ବିଭିନ୍ନ ଉପାୟରେ ହରିଲୁଟ କରି ଚାଲିଛନ୍ତି ବୋଲି ଅନୁଷ୍ଠାନର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି। ଏଣୁ ତୁରନ୍ତ ବିଦ୍ୟୁତ ବିଭାଗ ଗ୍ରାହକ ମାନଙ୍କୁ ଲୁଟ କରିବାର ମନୋବୃତ୍ତିକୁ ପରିତ୍ୟାଗ କରି ସେବା ମନୋଭାବ ପୋଷଣ କରି ଉତ୍ତମ ସେବା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସଭାପତି ଆଇନଜୀବୀ ଅରବିନ୍ଦ ନାୟକ, ମହେଶ ପଣ୍ଡା, ବୃନ୍ଦାବନ ମିଶ୍ର, ବିଜୟ କୁମାର ଗୁପ୍ତା ଓ ସାର୍ଥକ ମୁନି ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.