୯ରୁ ଅଧିକ ସିମ୍‌ ରଖିଲେ ୨ ଲକ୍ଷ ଜୋରିମାନା

ନୂଆଦିଲ୍ଲୀ: ଜୁନ୍‌ ୨୬ରୁ ନୂଆ ଦୂରସଞ୍ଚାର ଆଇନ ୨୦୨୩ ଲାଗୁ ହୋଇଛି। ଜରୁରୀକାଳୀନ ସମୟରେ ଯେକୌଣସି ଦୂରସଞ୍ଚାର ସେବା କିମ୍ବା ନେଟୱର୍କକୁ ନିୟନ୍ତ୍ରଣ କରିବାକୁ ସରକାରଙ୍କୁ ନୂତନ ଟେଲିକମ୍ ଆଇନ ସହାୟତା କରିବ। ରାଷ୍ଟ୍ରୀୟ ସୁରକ୍ଷା ଓ ଅପରାଧ ରୋକିବା କ୍ଷେତ୍ରରେ ସରକାର ଏହାର ନିୟନ୍ତ୍ରଣ ହାତକୁ ନେଇପାରିବେ।

ପୂର୍ବରୁ ଥିବା ଭାରତୀୟ ଟେଲିଗ୍ରାଫ୍‌ ଆଇନ ୧୮୮୫ ଏବଂ ଭାରତୀୟ ୱାରଲେସ୍‌ ଟେଲିଗ୍ରାଫ୍‌ ଆଇନ ୧୯୩୩ ପରିବର୍ତ୍ତେ ଏହି ନୂଆ ଆଇନ ଲାଗୁ ହୋଇଛି। ତେବେ ସମ୍ବାଦ ଉଦେଶ୍ୟରେ ରାଜ୍ୟ ଏବଂ କେନ୍ଦ୍ରୀୟ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କ ଦ୍ୱାରା ପଠାଯାଇଥିବା ବାର୍ତ୍ତା ତଦାରଖରୁ ମୁକ୍ତ ରହିବ। ଯଦି ସମ୍ବାଦ ରିପୋର୍ଟ ଜାତୀୟ ସୁରକ୍ଷା ପ୍ରତି ସମ୍ଭାବ୍ୟ ବିପଦ ସୃଷ୍ଟି କରେ, ତେବେ ସ୍ବୀକୃତିପ୍ରାପ୍ତ ସାମ୍ବାଦିକଙ୍କ ଫୋନ୍‌ ଏବଂ ବାର୍ତ୍ତା ଉପରେ ନଜର ରଖାଯାଇ ଅବରୋଧ କରାଯାଇପାରିବ। ଏହି ଆଇନର ଆଉ ଏକ ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ଜଣେ ଲୋକ ତାଙ୍କ ନାମରେ ପଞ୍ଜୀକୃତ ସର୍ବାଧିକ ୯ଟି ସିମ୍‌ ବ୍ୟବହାର କରିପାରିବେ। ତେବେ ଜାମ୍ମୁ ଏବଂ କାଶ୍ମୀର ତଥା ଉତ୍ତରପୂର୍ବ ରାଜ୍ୟର ଲୋକ ସର୍ବାଧିକ ୬ଟି ସିମ୍‌ ବ୍ୟବହାର କରିପାରିବେ।

ଦୂରସଞ୍ଚାର ନିୟାମକଙ୍କ ବର୍ତ୍ତମାନର ନିୟମ ଅନୁଯାୟୀ ପ୍ରତି ଆଧାର ଯାଞ୍ଚ ଆଇଡିରେ ସର୍ବାଧିକ ୯ଟି ସିମ୍‌ କାର୍ଡକୁ ଅନୁମତି ରହିଛି। ଏହି ନିୟମକୁ ପ୍ରଥମ ଥର ଉଲ୍ଲଂଘନ କଲେ ୫୦ ହଜାର ଜୋରିମାନା ଦେବାକୁ ପଡ଼ିବ। ଏଥିସହ ବାରମ୍ବାର ଉଲ୍ଲଂଘନ ପାଇଁ ୨ ଲକ୍ଷ ଟଙ୍କା ଜୋରିମାନା ପଡ଼ିବ। ନୂତନ ଆଇନ ଅନୁଯାୟୀ ସିମ୍‌ ପଞ୍ଜୀକରଣ କ୍ଷେତ୍ରରେ ଜାଲ କାରବାର କଲେ ୫୦ ଲକ୍ଷ ଟଙ୍କା ଜୋରିମାନା ଏବଂ ତିନିବର୍ଷ ଜେଲଦଣ୍ଡ ଭୋଗିବାକୁ ହେବ। ଏଥିସହ ଦୂରସଞ୍ଚାର ପରିଚାଳକ (ଅପରେଟର) ଗ୍ରାହକଙ୍କ ସହମତି ବିନା ବାଣିଜ୍ୟିକ ବାର୍ତ୍ତା ପଠାଇଲେ ୨ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ହେବ। ନୂଆ ଆଇନ ଅନୁଯାୟୀ ଆବଶ୍ୟକ ପଡ଼ିଲେ ଦୂରସଞ୍ଚାର କମ୍ପାନୀ ଘରୋଇ ଜମିରେ ଟାୱାର ସ୍ଥାପନ ସହ କେବୁଲ ବିଛାଇପାରିବେ। ଏଥିସହ ଦୂରସଞ୍ଚାର କମ୍ପାନୀ ଗ୍ରାହକଙ୍କ ସମସ୍ୟାର ସମାଧାନ ପାଇଁ ଅନଲାଇନ ବ୍ୟବସ୍ଥା ଯୋଗାଇଦେବେ।

ପୁଣି ଟଳିଲା ମହାକାଶଚାରୀ ସୁନୀତାଙ୍କ ପ୍ରତ୍ୟାବର୍ତ୍ତନ

Comments are closed.