ବନ୍ଦ ହେବ ବେଦାନ୍ତର ଷ୍ଟେରଲାଇଟ୍‍ ତମ୍ବା କାରଖାନା

0

ନୂଆଦିଲ୍ଲୀ/ଟୁଟିକୋରିନ୍‍ : ତାମିଲନାଡୁର ତୁଥୁକୁଡିଠାରେ ଷ୍ଟେରଲାଇଟ୍‍ ତମ୍ବା କାରଖାନା ସମ୍ପ୍ରସାରଣ ବିରୋଧୀ ବିକ୍ଷୋଭବେଳେ ପୁଲିସ ଗୁଳିରେ ପ୍ରାଣ ହରାଇଥିବା ୧୨ ଜଣ ରାଜ୍ୟବାସୀଙ୍କ ବଳିଦାନ ଫଳପ୍ରଦ ହୋଇଛି। ଏହି ସମ୍ପ୍ରସାରଣ ବିରୋଧରେ ରାଜ୍ୟବାସୀ ବିକ୍ଷୋଭ ଜାରି ରଖିଥିବାବେଳେ ବେଦାନ୍ତ ଶିଳ୍ପଗୋଷ୍ଠୀ ପରିଚାଳିତ ଏହି କାରଖାନାକୁ ତୁରନ୍ତ ବନ୍ଦ କରିବା ନିମନ୍ତେ ତାମିଲନାଡୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଟିଏନ୍‍ପିସିବି) କର୍ତ୍ତୃପକ୍ଷ ନିର୍ଦେଶ ଦେଇଛନ୍ତି। ଟିଏନ୍‍ପିସିବି ପକ୍ଷରୁ ବୁଧବାର ଏହି ନିର୍ଦେଶ ଦିଆଯିବା ପରେ ଗୁରୁବାର ପୂର୍ବାହ୍ନ ୫ଟା ୧୫ ମିନିଟରେ କାରଖାନାକୁ ବିଦ୍ୟୁତ୍‍ ସଂଯୋଗ ବିଚ୍ଛିନ୍ନ କରିଦିଆଯାଇଛି। କାରଖାନାରେ ଉତ୍ପାଦନ ଜାରି ରହିଥିବା ଟିଏନ୍‍ପିସିବିର ଅଧିକାରୀମାନେ ମେ’ ୧୮ ଏବଂ ୧୯ରେ ଯାଞ୍ଚ ବେଳେ ଜାଣିବାକୁ ପାଇଥିଲେ। ଏଣୁ କାରଖାନାକୁ ବିଦ୍ୟୁତ୍‍ ସଂଯୋଗ ବିଚ୍ଛିନ୍ନ କରିବା ଲାଗି ତିରୁନେଲଭେଲିର ଯୁଗ୍ମ ମୁଖ୍ୟ ପରିବେଶ ଯନ୍ତ୍ରୀଙ୍କୁ ସୁପାରିସ କରାଯାଇଥିଲା ବୋଲି ଟିଏନ୍‍ପିସିବି ଦର୍ଶାଇଛି। ଜଳ (ପ୍ରତିବନ୍ଧ ଓ ପ୍ରଦୂଷଣ ନିୟନ୍ତ୍ରଣ) ଆଇନ-୧୯୭୪ର ଧାରା ୩୩-ଏ ଏବଂ ବାୟୁ (ପ୍ରତିବନ୍ଧ ଓ ପ୍ରଦୂଷଣ ନିୟନ୍ତ୍ରଣ) ଆଇନ-୧୯୭୧ ଧାରା ୩୧ଏ ଅନୁଯାୟୀ ଏହି କାରଖାନାକୁ ବନ୍ଦ କରିବା ତଥା ବିଦ୍ୟୁତ୍‍ ସଂଯୋଗ ବିଚ୍ଛିନ୍ନ ନିମନ୍ତେ ଟିଏନ୍‍ପିସିବି ନିର୍ଦେଶ ଦେଇଥିବା କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ୪ଟି ରାଜ୍ୟରେ ବେଦାନ୍ତ ପକ୍ଷରୁ ଏହି କାରଖାନା ପ୍ରତିଷ୍ଠା ପାଇଁ ଉଦ୍ୟମ ହୋଇଥିଲା; କିନ୍ତୁ ଅନୁମତି ମିଳି ନଥିଲା। ଶେଷରେ ତାମିଲନାଡ଼ୁ ସରକାର ଏଥିପାଇଁ ଅନୁମତି ପ୍ରଦାନ କରିଥିଲେ।
ଅନ୍ୟପଟେ ପୁଲିସ ଗୁଳିରେ ୧୨ ବିକ୍ଷୋଭକାରୀଙ୍କ ମୃତ୍ୟୁର ନିରପେକ୍ଷ ତଦନ୍ତ ଦାବିରେ ଦିଲ୍ଲୀ ହାଇକୋର୍ଟରେ ଗୁରୁବାର ଏକ ଆବେଦନ ହୋଇଛି। ଆବେଦନକାରୀ ଓକିଲ ତଥା ଜାତୀୟ ପଛୁଆବର୍ଗ, ଏସ୍‍ସି/ଏସ୍‍ଟି ଏବଂ ସଂଖ୍ୟାଲଘୁ ସଂଘର ଅଧ୍ୟକ୍ଷ ଏ. ରାଜାରାଜନ ଏହି ଘଟଣାରେ ଜାତୀୟ ମାନବିକ ଅଧିକାର କମିସନ୍‍ (ଏନ୍‍ଏଚ୍‍ଆର୍‍ସି)ଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଲୋଡିଛନ୍ତି। ଏହି ଆବେଦନ ଉପରେ ଶୁକ୍ରବାର ଶୁଣାଣି ହେବାର ସମ୍ଭାବନା ରହିଛି। ଅନ୍ୟପଟେ ଏହି ମୃତ୍ୟୁ ଘଟଣାରେ ଜିଲାପାଳଙ୍କ ସମେତ ଏସ୍‍ପି ଏବଂ ଅନ୍ୟ ପୁଲିସ ଅଧିକାରୀଙ୍କ ବିରୋଧରେ ଏଫ୍‍ଆଇଆର୍‍ ରୁଜୁ ଏବଂ ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଜି. ଏସ୍‍ ମଣି ମଧ୍ୟ ଏକ ଆବେଦନ କରିଛନ୍ତି। ବିକ୍ଷୋଭକାରୀଙ୍କ ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ ଇ. ପାଲାନାସ୍ୱାମୀ ପୁଲିସକୁ ଦୋଷ ଦେବା ପରିବର୍ତ୍ତେ କେତେକ ରାଜନୈତିକ ଦଳ, ଅଣ-ସରକାରୀ ସଂସ୍ଥା ତଥା ଅସାମାଜିକ ବ୍ୟକ୍ତି ଦାୟୀ ବୋଲି କହିଛନ୍ତି। ପୁଲିସ ନିଜକୁ ରକ୍ଷା କରିବାକୁ ଯାଇ ଗୁଳି ଚଳାଇଥିବା ସେ କହିଛନ୍ତି। ତୁଥୁକୁଡି ଜିଲାପାଳ କାର୍ଯ୍ୟାଳୟରେ ଗୁରୁବାର ଅନୁଷ୍ଠିତ ଏକ ବୈଠକରେ ଯୋଗଦେଇ ଜିଲାପାଳ ତଥା ରାଜ୍ୟ ସରକାରଙ୍କ ବହୁ ଅଧିକାରୀ ରାଜ୍ୟରେ ସ୍ୱାଭାବିକ୍‍ ପରିସ୍ଥିତି ଫେରାଇ ଆଣିବା ଉପରେ ଆଲୋଚନା କରିଛନ୍ତି। ପୁଲିସ ଇତିମଧ୍ୟରେ ୬୫ରୁ ଊର୍ଦ୍ଧ୍ବ ବିକ୍ଷୋଭକାରୀଙ୍କୁ ହିଂସା ଘଟାଇବା ଅଭିଯୋଗରେ ଗିରଫ କରିଛି।

Leave A Reply