ଆଦିବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହେଲା; ଅପହଞ୍ଚ ତୁର୍କା ଗାଁକୁ ବିକାଶର ବାଟ ଫିଟିଲା

ପ୍ରତିଶ୍ରୁତି ଦେଇ କଥା ରଖିଲେ ଲାଞ୍ଜିଗଡ ବିଡିଓ

ଲାଞ୍ଜିଗଡ: ଅପହଞ୍ଚ ଇଲାକା ତୁର୍କା। ବିକାଶର ସ୍ୱପ୍ନ ଦେଖି ଦେଖି ୧୦୦ବର୍ଷ ବିତିଗଲା। ହେଲେ ସେହି ଗାଁକୁ ବିକାଶ ପହଞ୍ଚି ପାରିନଥିଲା। ମୌଳିକ ସୁବିଧାରୁ ବଞ୍ଚିତ ରହିଥିଲେ ଗ୍ରାମବାସୀ। ରାସ୍ତାଘାଟ, ସ୍ୱାସ୍ଥ୍ୟସେବା, ଶିକ୍ଷା, ପାନୀୟଜଳ ଏଭଳି କୌଣସି ମୌଳିକ ଅଧିକାର ପାଇନଥିଲେ ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ତୁର୍କା ଗ୍ରାମବାସୀ। ଗାଁକୁ ରାସ୍ତା ନଥିବାରୁ ଅନେକ ସମସ୍ୟା ସବୁବେଳେ ଲାଗିରହିଥିଲା। ପିଡିଏସ୍‍ ସାମଗ୍ରୀ ନେବାପାଇଁ ୧୦କିମି ପାହାଡ ଚଡିବାକୁ ପଡୁଥିଲା। ରାସ୍ତା ନଥିବାରୁ କୌଣସି ସରକାରୀ ବାବୁ ମଧ୍ୟ ସେ ଗାଁକୁ ଯାଇପାରୁ ନଥିଲେ। ଗାଁକୁ ରାସ୍ତା ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ନେତାଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ବ୍ଲକଠାରୁ ଜିଲ୍ଲା ପର୍ଯ୍ୟନ୍ତ ଅଭିଯୋଗ ପରେ ଅଭିଯୋଗ ହେଉଥିଲା। ହେଲେ ନିଦାବିଷ୍ଣୁ ସାଜିଥିଲେ ପ୍ରଶାସନ। ଲୋକଙ୍କ ଆକୁଳ ନିବେଦନ ଓ ଗଣମାଧ୍ୟମର ଚିତ୍କାର ପରେ ପ୍ରଶାସନ ଚେତିଲା। ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ସ୍ଥିତି ଅନୁଧ୍ୟାନ ପାଇଁ ପାହାଡ ଚଡି ଚାଲିଚାଲି ସେ ଗାଁକୁ ଯାଇଥିଲେ। ସେ ଗାଁର ବିକଳ ଚିତ୍ର ଦେଖି ଓ ଜନସାଧାରଣଙ୍କ ଆକୁଳ ନିବେଦନରେ ସେ ଗାଁ ଲୋକଙ୍କୁ ଏହି ଗାଁକୁ ନିଶ୍ଚିତ ଭାବେ ରାସ୍ତା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବିଡିଓଙ୍କ ପ୍ରତିଶ୍ରୁତି ପରେ ଲୋକଙ୍କ ମଧ୍ୟରେ ଏକ ନୂତନ ଆଶା ସଂଚାର ହୋଇଥିଲା। ଅଧିବାସୀଙ୍କ ଦୀର୍ଘବର୍ଷର ସ୍ୱପ୍ନ ଆଜି ପୂରଣ ହୋଇଛି। ରାସ୍ତା ନିର୍ମାଣ ପାଇଁ କୁଟିଆକନ୍ଧ ଉନ୍ନୟନ ସଂସ୍ଥା ପକ୍ଷରୁ ୫ଲକ୍ଷ ଟଙ୍କା ମଞ୍ଜୁର ହେଲା। ଆଜି ସେହି ଗାଁରେ ପହଞ୍ଚିଥିଲା ବ୍ଲକ ପ୍ରଶାସନର ଏକ ଟିମ୍‍। ଲାଞ୍ଜିଗଡ ବ୍ଲକ ନୁତନ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, କୁଟିଆକନ୍ଧ ଉନ୍ନୟନ ପ୍ରୋଜେକ୍ଟ ମ୍ୟାନେଜର ଲମ୍ବୋଧର ପ୍ରଧାନ, ସହକାରୀ ଯନ୍ତ୍ରୀ ରେଣୁକା ଠାକୁର, ଯନ୍ତ୍ରୀ ଗୋଲକ ବିହାରୀ ଭୋଇ, ଲାଞ୍ଜି ସରପଞ୍ଚ ଜମୁନା ମାଝୀ ପ୍ରମୁଖ ସେହି ଗାଁକୁ ଯାଇ ଲୋକଙ୍କ ସହ ଆଲୋଚନା କରି ରାସ୍ତା ନିର୍ମାଣର ଶୁଭ ଦିଆଯାଇଥିଲା। ଦୀର୍ଘ ୧୦୦ବର୍ଷ ପରେ ଗାଁକୁ ରାସ୍ତା ହେବା କଥା ଶୁଣି ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଥିଲା। ବର୍ତ୍ତମାନ ରାସ୍ତା ହେବାପରେ ଗାଁର ବିଭିନ୍ନ ସମସ୍ୟାର ସମାଧାନ ହେବ। ପାନୀୟଜଳ ସମସ୍ୟା ଦୂରହେବ, ସ୍ୱାସ୍ଥ୍ୟଗତ ସମସ୍ୟା ରହିବ ନାହିଁ, ଗାଁକୁ ଆସିବ ଆମ୍ବୁଲାନ୍ସ ଏଭଳି ସରକାରଙ୍କ ବିଭିନ୍ନ ସୁବିଧାର ସୁଯୋଗ ପାଇବେ ଗ୍ରାମବାସୀ। ଏବେ ଗାଁର ବିକାଶ ହେବ, ସେଥିପାଇଁ ଗଣମାଧ୍ୟମ ପ୍ରତିନିଧି ଓ ବ୍ଲକ ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ ଗ୍ରାମବାସୀ। କେକେଡିଏ ପକ୍ଷରୁ ୫ଲକ୍ଷ ଟଙ୍କା ଅନୁଦାନ ଆସିଥିବା ବେଳେ ବ୍ଲକ ପକ୍ଷରୁ ୫ଲକ୍ଷ ଓ ପଞ୍ଚାୟତରୁ ମଧ୍ୟ ୨ଲକ୍ଷ ଅର୍ଥ ମଞ୍ଜୁର କରାଯିବ ବୋଲି ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ପ୍ରକାଶ କରିଛନ୍ତି।

prayash

ସୂଚନା ଥାଉ କି, ଲାଞ୍ଜିଗଡ ବିଡିଓ ବ୍ଲକରେ ଯୋଗଦେବା ପରେ ପାହାଡ ଉପରେ ଥିବା ଦୁର୍ଗମ ଅଞ୍ଚଳବାସୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରି ସମତଳ ଜାଗାରେ ଘର ନିର୍ମାଣ କରି ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇ ଦେଉଛନ୍ତି। କାନକୁଟ୍ରୁ ପଞ୍ଚାୟତର ପାହାଡ ଉପରେ ଥିବା ଗାଁ ବାରଗୁଡାର ୧୬ ଆଦିବାସୀ ପରିବାରକୁ ତଳକୁ ଆଣି ସମସ୍ତଙ୍କ ପାଇଁ ଘର ନିର୍ମାଣ କରି ଆବାସ ନଗର ନାମରେ ଏକ ନୂତନ ଗାଁ ସୃଷ୍ଟି କରିଛନ୍ତି। ସେମାନଙ୍କ ପାଇଁ ଶୌଚାଳୟଠାରୁ ଆରମ୍ଭ କରି ପାନୀୟଜଳ, ଚେକଡ୍ୟାମ୍‍, କଂକ୍ରିଟ ରାସ୍ତା ଭଳି ସୁବିଧା ଯୋଗାଇ ଦିଆଯାଇଥିବା ବେଳେ ସେହିଭଳି ଲାଞ୍ଜି ପଞ୍ଚାୟତର ପାହାଡ ଉପରେ ଥିବା ତଳଲଙ୍ଗଳବାହାଲିରେ ରହୁଥିବା ୮ଟି ପରିବାରଙ୍କ ପାଇଁ ୮ଟି ଘର ନିର୍ମାଣ କରି ବିକାଶ ନଗର ନାମରେ ଏକ ନୁତନ ଗାଁ ସୃଷ୍ଟି କରାଯାଉଛି। ଶ୍ରୀ ମିଶ୍ର ବ୍ଲକର ଅପହଞ୍ଚ ଇଲାକାରେ ଥିବା ଗାଁଗୁଡିକୁ ଗୁରୁତ୍ୱ ଦେଇ ସେମାନଙ୍କୁ ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗେଇ ଦେଇ ମୁଖ୍ୟ ସ୍ରୋତରେ ସାମିଲ କରୁଥିବାରୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି। ଅପହଞ୍ଚ ଇଲାକାର ବିକାଶ ପାଇଁ ଶ୍ରୀ ମିଶ୍ର ବ୍ଲକରୁ ଓ ପଞ୍ଚାୟତରୁ ଏକ ଟିମ୍‍ ଗଠନ କରିଛନ୍ତି। ଏହି ଟିମ୍‍ ବିଭିନ୍ନ ଅଞ୍ଚଳକୁ ଗସ୍ତକରି ସ୍ଥିତି ଅନୁଧ୍ୟାନ କରୁଛି।

kalyan agarbati

Comments are closed.