www.samajalive.in
Wednesday, December 10, 2025
15.1 C
Bhubaneswar

ସମ୍ପାଦକୀୟ: ହସିନାଙ୍କୁ ସଜା

ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ୧୭ ନଭେମ୍ବରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ‘ମାନବିକତା ବିରୋଧୀ ଅପରାଧ’ ପାଇଁ ତାଙ୍କ ଅନୁପସ୍ଥିତିରେ ମୃତ୍ୟୁଦଣ୍ଡାଦେଶ ଦେଇଛି। ଏହା କେବଳ ଏକ ଆଇନଗତ ରାୟ ନୁହେଁ, ବରଂ ବାଂଲାଦେଶର ରାଜନୈତିକ ପରିସ୍ଥିତି, ଆଞ୍ଚଳିକ କୂଟନୀତି ଏବଂ ନ୍ୟାୟର ପ୍ରକୃତ ଅର୍ଥକୁ ନେଇ ଗୁରୁତର ପ୍ରଶ୍ନ ଉଠାଉଛି।

ଟ୍ରିବ୍ୟୁନାଲର ଅଭିଯୋଗ ଅନୁସାରେ, ଶେଖ ହସିନା ୨୦୨୪ ଜୁଲାଇ-ଅଗଷ୍ଟରେ ହୋଇଥିବା ଛାତ୍ର ବିଦ୍ରୋହକୁ ନିର୍ମମ ଭାବେ ଦମନ କରିବାର ‘ମୁଖ୍ୟ ଷଡ଼ଯନ୍ତ୍ରକାରୀ’ ଥିଲେ। ଅଭିଯୋଗ ହେଉଛି ସେ ବିରୋଧକାରୀଙ୍କ ଉପରେ ହେଲିକପ୍ଟର, ଡ୍ରୋନ ଏବଂ ବନ୍ଧୁକ ବ୍ୟବହାର କରିବାକୁ ନିର୍ଦେଶ ସେ ଦେଇଥିଲେ, ଯେଉଁଥିରେ ପ୍ରାୟ ୧,୪୦୦ ଲୋକଙ୍କର ମୃତ୍ୟୁ ହୋଇଛି। ତାଙ୍କ ସହିତ ପୂର୍ବତନ ସ୍ୱରାଷ୍ଟ୍ର ମନ୍ତ୍ରୀ ଅସାଦୁଜମାନ ଖାଁ କମଲ ଓ ପୂର୍ବତନ ପୁଲିସ୍ ମୁଖ୍ୟ ଅବଦୁଲ୍ଲା ଅଲ-ମାମୁନଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଛି। ମାନବୀୟ କ୍ଷତି ଚିନ୍ତାଜନକ ଏବଂ ଯଦି ଅଭିଯୋଗ ସତ୍ୟ, ତେବେ ଦାୟୀ ବ୍ୟକ୍ତିଙ୍କୁ ଶାସ୍ତି ମିଳିବା ଉଚିତ; କିନ୍ତୁ ପ୍ରଶ୍ନ ହେଉଛି- ଏହା ପ୍ରକୃତରେ ନ୍ୟାୟ ନା ରାଜନୈତିକ ପ୍ରତିଶୋଧ ? ଶେଖ ହସିନା ବର୍ତ୍ତମାନ ଭାରତରେ ସ୍ବେଚ୍ଛାକୃତ ନିର୍ବାସନରେ ଅଛନ୍ତି।

- Advertisement -

ସେ ଅଭିଯୋଗ କରୁଛନ୍ତି ଯେ ତାଙ୍କୁ ନିଜ ପସନ୍ଦର ଓକିଲ ଜରିଆରେ ପକ୍ଷ ରଖିବାର ସୁଯୋଗ ଦିଆଯାଇନାହିଁ ଏବଂ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାର ଏହି ଟ୍ରିବ୍ୟୁନାଲକୁ ‘କଙ୍ଗାରୁ କୋର୍ଟ’ ଭାବେ ବ୍ୟବହାର କରୁଛି। ଅନୁପସ୍ଥିତିରେ ମୃତ୍ୟୁଦଣ୍ଡ ଦେବା ନ୍ୟାୟିକ ପ୍ରକ୍ରିୟାର ଏକ ଗୁରୁତର ସମସ୍ୟା। ଅଭିଯୁକ୍ତଙ୍କୁ ନିଜ ଲାଗି ନିଜେ ଓକିଲ ନିଯୁକ୍ତ କରିବାର ମୌଳିକ ଅଧିକାର ମିଳିବା ଉଚିତ। ଏହା ବିନା କୌଣସି ରାୟର ବୈଧତା ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ। ବିଶେଷକରି ଯେତେବେଳେ ଏହା ଫେବୃଆରୀ ୨୦୨୬ରେ ହେବାକୁ ଥିବା ଜାତୀୟ ନିର୍ବାଚନ ପୂର୍ବରୁ ହେଉଛି, ସେତେବେଳେ ଏହାର ରାଜନୈତିକ ଉଦ୍ଦେଶ୍ୟ ଉପରେ ସନ୍ଦେହ ଆସିବା ସ୍ୱାଭାବିକ। ଭାରତ ବର୍ତ୍ତମାନ ଏକ ଅତ୍ୟନ୍ତ ସମ୍ବେଦନଶୀଳ ସ୍ଥିତିରେ ଅଛି। ହସିନା ଭାରତୀୟ ମାଟିରେ ଥିବାରୁ ବାଂଲାଦେଶ ତାଙ୍କୁ ପ୍ରତ୍ୟର୍ପଣ କରିବାକୁ ଦାବି କରିବ। ଏହା ଭାରତ ପାଇଁ ଏକ କୂଟନୈତିକ ବିପଦ। ଗୋଟିଏ ପକ୍ଷରେ ଅନ୍ତର୍ଜାତୀୟ ଆଇନ ଓ ପଡୋଶୀ ଦେଶ ସହ ସମ୍ପର୍କ, ଅନ୍ୟପକ୍ଷରେ ଏକ ଦୀର୍ଘଦିନର ମିତ୍ର ଯିଏ ଭାରତରେ ଆଶ୍ରୟ ନେଇଛନ୍ତି। ତେଣେ ଦୁଇ ଦେଶ ମଧ୍ୟରେ ପ୍ରତ୍ୟର୍ପଣ ଚୁକ୍ତି ଅଛି।

ବାଂଲାଦେଶ ପାଇଁ ମଧ୍ୟ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ। ଯଦି ପ୍ରକୃତରେ ଅପରାଧ ହୋଇଛି, ତେବେ ନ୍ୟାୟ ମିଳିବା ଉଚିତ; କିନ୍ତୁ ସ୍ୱଚ୍ଛ, ନିରପେକ୍ଷ ଓ ଆଇନଗତ ପ୍ରକ୍ରିୟା ମାଧ୍ୟମରେ। ଅଭିଯୁକ୍ତଙ୍କୁ ଅପିଲ୍ କରିବାର ଅଧିକାର ମିଳିବା ଉଚିତ; କିନ୍ତୁ ଯଦି ଏହା କେବଳ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦୂର କରିବାର ଏକ ଉପକରଣ ହୋଇଯାଏ, ତେବେ ଏହା ନ୍ୟାୟ ନୁହେଁ, ବରଂ ପ୍ରତିଶୋଧ ହେବ। ଇତିହାସ କହେ ଯେ ପ୍ରତିଶୋଧର ଚକ୍ର କେବେ ସମାପ୍ତ ହୁଏ ନାହିଁ। ଆଜି ଯିଏ ବିଚାରକ, କାଲି ସେ ଅଭିଯୁକ୍ତ ହୋଇପାରେ। ବାଂଲାଦେଶ ଯଦି ପ୍ରକୃତ ଗଣତନ୍ତ୍ର ଓ ନ୍ୟାୟ ଚାହୁଁଛି, ତେବେ ତାକୁ ସ୍ୱଚ୍ଛ, ନିରପେକ୍ଷ ସମାଧାନର ପଥ ବାଛିବାକୁ ପଡ଼ିବ। ସମୟ ହିଁ କହିବ ଏହି ରାୟ ନ୍ୟାୟର ବିଜୟ ନା ରାଜନୀତିର ଜିତ୍‌।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories