www.samajalive.in
Monday, December 8, 2025
27.1 C
Bhubaneswar

ଡିଜିଟାଲ୍‌‌ ଆରେଷ୍ଟ : ସତର୍କତା ହିଁ ସୁରକ୍ଷା

‘ଏକ ବରିଷ୍ଠ ଦମ୍ପତି ୨୦୨୫ ମସିହା ସେପ୍ଟେମ୍ବର ୨୧ ତାରିଖରେ ଏହି ଅଦାଲତକୁ ଅଭିଯୋଗ କରିଥିଲେ ଯେ ୨୦୨୫ ମସିହା ସେପ୍ଟେମ୍ବର ୩ ତାରିଖରୁ ୧୬ ତାରିଖ ମଧ୍ୟରେ ଶଠମାନେ ‘ଡିଜିଟାଲ ଆରେଷ୍ଟ’ ମାଧ୍ୟମରେ ସେମାନଙ୍କ ଆଜୀବନ ସଞ୍ଚିତ ଅର୍ଥ ଠକି ନେଇଛନ୍ତି। ସେହି ଅଭିଯୋଗ ଆଧାରରେ ଅଦାଲତ ତରଫରୁ ଏହି ରିଟ୍‌‌ ପିଟିସନ୍‌‌ ଦାୟର କରାଯାଇଛି। ସେମାନେ ଅଭିଯୋଗ କରିଛନ୍ତି କି ଶଠମାନେ ନିଜକୁ ସିବିଆଇ ଅଫିସର, ଇଡି ଅଧିକାରୀ, ଅଦାଲତ କର୍ତ୍ତୃପକ୍ଷ ଭାବେ ପରିଚୟ ଦେଇ ଟେଲିଫୋନ୍‌‌, ଭିଡ଼ିଓ କଲ୍‌‌ ମାଧ୍ୟମରେ ଯୋଗାଯୋଗ କରିଥିଲେ। ସେମାନେ ହ୍ବାଟ୍‌ସଆପ, ଭିଡିଓ କନ୍‌‌ଫେରେନ୍ସ ମାଧ୍ୟମରେ ସୁପ୍ରିମ୍‌‌କୋର୍ଟର ଜାଲ୍‌ ଆଦେଶନାମା ପ୍ରଦର୍ଶନ କରି ଜାଲି ଦଲିଲପତ୍ର ଆଧାରରେ ଗିରଫ ଓ ସମ୍ପତ୍ତି ଜବତ କରିବାର ଧମକ ଦେଇ ସେମାନଙ୍କୁ ୧ କୋଟି ୫ ଲକ୍ଷ ୫୦ ହଜାର ଟଙ୍କା ବ୍ୟାଙ୍କ ମାଧ୍ୟମରେ ପେମେଣ୍ଟ କରିବା ପାଇଁ ବାଧ୍ୟ କରିଥିଲେ। …….

ଏହି ନ୍ୟାୟାଳୟ ଅଥବା ଉଚ୍ଚ ନ୍ୟାୟାଳୟର ନାମ, ମୋହର ଏବଂ ନ୍ୟାୟିକ ପ୍ରାଧିକରଣର ଧୃଷ୍ଟତାପୂର୍ଣ୍ଣ ଆପରାଧିକ ଅପବ୍ୟବହାର ଅତ୍ୟନ୍ତ ଚିନ୍ତାର ବିଷୟ। ବିଚାରପତିଙ୍କ ଜାଲ୍‌ ଦସ୍ତଖତ ଥିବା ନ୍ୟାୟିକ ଆଦେଶର ଜାଲିଆତି, ଆଇନର ଶାସନ ସହିତ ନ୍ୟାୟିକ ବ୍ୟବସ୍ଥାରେ ସାଧାରଣ ଜନତାଙ୍କ ବିଶ୍ୱାସର ମୂଳଦୁଆ ଉପରେ ପ୍ରଚଣ୍ଡ ପ୍ରହାର ସଦୃଶ। ଏଭଳି ଜଘନ୍ୟ କାର୍ଯ୍ୟ ଏହି ଅନୁଷ୍ଠାନର ଗରିମା ଓ ମର୍ଯ୍ୟାଦା ଉପରେ ସିଧାସଳଖ ଆକ୍ରମଣ ଅଟେ। ତେଣୁ ଏଭଳି ଗୁରୁତର ଆପରାଧିକ କାର୍ଯ୍ୟକୁ ସାଧାରଣ ଠକେଇ ଅବା ସାଇବର ଅପରାଧ ଭାବେ ବିବେଚନା କରାଯାଇପାରିବ ନାହିଁ। ନ୍ୟାୟିକ ଦୃଷ୍ଟିକୋଣରୁ ଆମେ ସ୍ୱୀକାର କରୁଛୁ ଯେ ଏହି ମାମଲା ଏକକ ଦୃଷ୍ଟାନ୍ତ ନୁହେଁ।

- Advertisement -

ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ଏହିଭଳି ଅନେକ ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଛି। ତେଣୁ ଆମର ପ୍ରାଥମିକ ମତ ହେଉଛି ଯେ ସାଧାରଣ ନାଗରିକ, ବିଶେଷକରି ବରିଷ୍ଠ ନାଗରିକଙ୍କୁ ‘ଡିଜିଟାଲ ଆରେଷ୍ଟ’ରୁ ସୁରକ୍ଷା ପ୍ରଦାନ ପାଇଁ କେନ୍ଦ୍ର ଓ ରାଜ୍ୟ ପୁଲିସଙ୍କର ସମନ୍ୱିତ ଉଦ୍ୟମରେ ନ୍ୟାୟିକ ଦସ୍ତାବିଜ ଜାଲିଆତି ସହିତ ଜଡ଼ିତ ଏହି ଆପରାଧିକ ପ୍ରକ୍ରିୟାର ପୂର୍ଣ୍ଣ ପରିସରକୁ ଉନ୍ମୋଚନ କରିବା ନିମନ୍ତେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ।’ ଚଳିତ ବର୍ଷ ଅକ୍ଟୋବର ମାସ ୧୭ ତାରିଖରେ ସୁପ୍ରିମକୋର୍ଟର ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଜୟମାଳା ବାଗ୍‌‌ଚିଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଜ ତରଫରୁ ଏକ ବରିଷ୍ଠ ଦମ୍ପତିଙ୍କ ଲିଖିତ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ଏହି ନିର୍ଦେଶନାମା ଜାରି କରିଛନ୍ତି। ସେହି ମାସ ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ଖଣ୍ଡପୀଠ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋକୁ ଏହାର ତଦନ୍ତ ଦାୟିତ୍ୱ ଅର୍ପଣ କରିବା ସହିତ କେନ୍ଦ୍ର ସରକାରଙ୍କୁ ମାମଲାର ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇ ନଭେମ୍ବର ୩କୁ ପରବର୍ତ୍ତୀ ଶୁଣାଣି ତାରିଖ ଧାର୍ଯ୍ୟ କରିଥିଲେ। ଖଣ୍ଡପୀଠର ଅଧ୍ୟକ୍ଷ ବିଚାରପତି ସୂର୍ଯ୍ୟକାନ୍ତ ନଭେମ୍ବର ୩ ତାରିଖ ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ଦାଖଲ ହୋଇଥିବା ରିପୋର୍ଟ ଆଧାରରେ ଉଦ୍‌‌ବେଗ ପ୍ରକାଶ କରି କହିଥିଲେ- ‘ଅାପରାଧିକ କ୍ଷେତ୍ରରେ ଡିଜିଟାଲ ଆରେଷ୍ଟ ଦେଶ ପାଇଁ ସବୁଠାରୁ ବଡ଼ ଆହ୍ୱାନ। ରିପୋର୍ଟରେ ଯାହା ଉଲ୍ଲେଖ ଅଛି, କେବଳ ଆମ ଦେଶରେ ତିନି ହଜାର କୋଟି ଟଙ୍କା ହଡ଼ପ କରାଯାଇଛି। ଆମେ ଯାହା ଆଶଙ୍କା କରୁଥିଲୁ, ତାହାଠାରୁ ବହୁ ଅଧିକ।’

ଅପରାଧୀମାନେ ଚତୁରତାର ସହ ବରିଷ୍ଠ ବ୍ୟକ୍ତିମାନଙ୍କୁ ଭୟ ଦେଖାଇ, ଧମକେଇ କିପରି ମୋଟା ଅଙ୍କର ଅର୍ଥ ଆଦାୟ କରିପାରନ୍ତି, ଡିଜିଟାଲ ଆରେଷ୍ଟ ତାହାର ଦୃଷ୍ଟାନ୍ତ। ଏ ପର୍ଯ୍ୟନ୍ତ ଆମ ଦେଶରେ ଏହି ପ୍ରକାର ଠକାମିରେ ସର୍ବବୃହତ୍‌ ପରିମାଣ ହେଉଛି ଜଣେ ମୁମ୍ବଇ ବ୍ୟବସାୟୀଙ୍କର ୫୮.୧୩ କୋଟି ଟଙ୍କା। ନିଜକୁ ପ୍ରବର୍ତ୍ତନ ନିର୍ଦେଶାଳୟର ପଦସ୍ଥ ଅଧିକାରୀ ଭାବେ ପରିଚୟ ଦେଇ ଚଳିତ ବର୍ଷ ଅଗଷ୍ଟ ୧୯ ତାରିଖରେ ଜଣେ ବ୍ୟକ୍ତି ବ୍ୟବସାୟୀଙ୍କୁ ଭିଡିଓ କଲ୍‌‌ କରି ସେ (ବ୍ୟବସାୟୀ) ଟଙ୍କା ହେରଫେର ମାମଲାରେ ଜଡ଼ିତ ଥିବାର ଜଣାଇଥିଲେ। ଏହା ପରେ ଆଉ ଜଣେ ବ୍ୟକ୍ତି ନିଜକୁ କେନ୍ଦ୍ର ତଦନ୍ତ ବ୍ୟୁରୋର ଅଧିକାରୀ ଭାବେ ପରିଚୟ ଦେଇ ତାଙ୍କ ବ୍ୟବସାୟର ଗୁପ୍ତ ତଥ୍ୟ ସମ୍ପର୍କରେ ଜେରା କରିଥିଲେ। କିଛି ଦିନ ପରେ ବମ୍ବେ ହାଇକୋର୍ଟର ଜଣେ ନକଲି ଅଧିକାରୀ ବିଚାରପତିଙ୍କ ଦସ୍ତଖତ ସମ୍ବଳିତ ଆରେଷ୍ଟ ୱାରେଣ୍ଟ ଦେଖାଇଥିଲେ। ସମ୍ପତ୍ତି ଜବତ ସହିତ ଆରେଷ୍ଟ କରିବାର ଧମକ ଦେଇ ଶଠମାନେ ବ୍ୟସାୟୀଙ୍କଠାରୁ ବ୍ୟାଙ୍କ ମାଧ୍ୟମରେ ବିଭିନ୍ନ କିସ୍ତିରେ ଅର୍ଥ ହଡ଼ପ କରିନେଇଥିଲେ। ଏ ସମସ୍ତ ପ୍ରକ୍ରିୟା ଅଗଷ୍ଟ ମାସ ୧୯ ତାରିଖରୁ ଅକ୍ଟୋବର ୯ ତାରିଖ ମଧ୍ୟରେ ସଂଗଠିତ ହୋଇଥିଲା। ସମସ୍ତ ଅର୍ଥ ହରିଲୁଟ ହେବା ପରେ ସେହି ବ୍ୟବସାୟୀ ସାଇବର ଥାନାରେ ଅଭିଯୋଗ କରିଥିଲେ। ବିଡ଼ମ୍ବନା, ସେହି ବ୍ୟବସାୟୀଙ୍କର ପତ୍ନୀ ହେଉଛନ୍ତି ବ୍ୟାଙ୍କ କର୍ମଚାରୀ। ମହାରାଷ୍ଟ୍ର ପୁଲିସ, ତତ୍ପରତାର ସହିତ ଏହି ମାମଲାରେ ଜଡିତ ୭ ଜଣଙ୍କୁ ଗିରଫ କରି ୩.୫ କୋଟି ଟଙ୍କା ଉଦ୍ଧାର କରିଛନ୍ତି। ପୁଲିସ ତଥ୍ୟ ଅନୁଯାୟୀ ବିଭିନ୍ନ ସମୟରେ ୬୫୦୦ ବେନାମୀ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସେହି ସମସ୍ତ ଟଙ୍କା ବିଦେଶକୁ ଚାଲାଣ ହୋଇଛି।
୨୦୨୫ ମସିହା ଜୁଲାଇ ମାସରେ ସଦସ୍ୟ ଅଜୟ କୁମାର ମଣ୍ଡଳଙ୍କର ପ୍ରଶ୍ନ ଆଧାରରେ ଗୃହ ରାଷ୍ଟ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାର ଲୋକସଭାରେ ଉତ୍ତର ରଖିଥିଲେ – ‘୨୦୨୨ ମସିହାରୁ ୨୦୨୫ ମସିହା ଫେବୃଆରୀ ପର୍ଯ୍ୟନ୍ତ ସମୁଦାୟ ଦୁଇ ଲକ୍ଷ ଚାଳିଶ ହଜାର ଡିଜିଟାଲ ଆରେଷ୍ଟ ଅଭିଯୋଗ ରେକର୍ଡ଼ କରାଯାଇଛି ଏବଂ ସେହି ସମୟରେ ଶଠମାନେ ଦୁଇ ହଜାର ପାଞ୍ଚ ଶହ ଛସ୍ତରି କୋଟି ଟଙ୍କା ହଡ଼ପ କରିଛନ୍ତି। ଏହି ସମୟ ସୀମାରେ ଅପରାଧ ସଂଖ୍ୟା ତିନିଗୁଣ ବୃଦ୍ଧି ପାଇଥିବାବେଳେ, ଅର୍ଥ ପରିମାଣ ଆକାଶଛୁଆଁ ୨୧ଗୁଣ ଟପି ଯାଇଛି। କେବଳ ୨୦୨୪ ମସିହାରେ ଅଭିଯୋଗ ସଂଖ୍ୟା ହେଉଛି ୧.୨ ଲକ୍ଷ ଏବଂ ଲୁଟ୍‌‌ ପରିମାଣ ୧୯୩୫ କୋଟି ଟଙ୍କା।’ ମୁଖ୍ୟତଃ ବରିଷ୍ଠ ନାଗରିକମାନେ ହିଁ ଏହାର ଶିକାର ହୋଇଛନ୍ତି।

ସାଇବର ଅପରାଧ ହେଉ ଅବା ଡିଜିଟାଲ ଆରେଷ୍ଟ, ଅପରାଧୀମାନେ ବ୍ୟାଙ୍କ ମାଧ୍ୟମରେ ହିଁ ଅର୍ଥ ଲୁଟ କରନ୍ତି। ତେଣୁ ଅଜାଣତରେ ଅବା ସମ୍ପୃକ୍ତିରେ, ଏହି ଅପରାଧରେ ବ୍ୟାଙ୍କର ପ୍ରମୁଖ ଭୂମିକା ରହିଛି। ବ୍ୟାଙ୍କରେ ଯେଉଁ ଆକାଉଣ୍ଟ ଦୀର୍ଘ ଦିନ ଧରି ଅଚଳ ହୋଇ ପଡ଼ିଥାଏ ଅପରାଧୀମାନେ ସେହିଭଳି ଆକାଉଣ୍ଟ ସନ୍ଧାନରେ ଥାଆନ୍ତି। ଚଳିତ ନଭେମ୍ବର ମାସ ପ୍ରଥମ ସପ୍ତାହରେ ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଭାରତୀୟ ଷ୍ଟେଟ୍‌‌ ବ୍ୟାଙ୍କର ଲେଜିସଲେଟିଭ୍‌‌ ଆସେମ୍ବ୍ଲି ଶାଖାରୁ ୫୭ ଲକ୍ଷ ଟଙ୍କା ହଡପ ହୋଇଛି। ଦୀର୍ଘ ବର୍ଷ ଧରି ସେ ଆକାଉଣ୍ଟ ନିଷ୍କ୍ରିୟ ଥିଲା। ଦୁର୍ବୃତ୍ତମାନେ ସାଂସଦଙ୍କର ନକଲି ଆଧାର କାର୍ଡ, ପାନ୍‌‌ କାର୍ଡ ଏବଂ ଫୋନ୍‌‌ ନମ୍ବର ଦେଇ ଆକାଉଣ୍ଟ ସକ୍ରିୟ କରି ଟଙ୍କା ଉଠେଇ ନେଇଛନ୍ତି। ଡିଜିଟାଲ ଆରେଷ୍ଟ ପ୍ରକ୍ରିୟା ଗୁରୁତରସ୍ତରରେ ପହଞ୍ଚିବା ପରେ ଚଳିତ ବର୍ଷ ନଭେମ୍ବର ୧୦ ତାରିଖ ସୁଦ୍ଧା ବିଭିନ୍ନ ବ୍ୟାଙ୍କର ଚାରି ଲକ୍ଷ ପଚାଶ ହଜାର ନକଲି ଆକାଉଣ୍ଟଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବର୍ତ୍ତମାନ ପ୍ରଯୁକ୍ତି ବିଦ୍ୟା ଏବଂ କୃତ୍ରିମ ବୁଦ୍ଧିମତ୍ତାର ସହାୟତାରେ ସମସ୍ତ ବ୍ୟାଙ୍କର ପ୍ରତିଟି ଆକାଉଣ୍ଟ ଉପରେ ନଜର ରଖି ହେବ। ଯେଉଁ ଖାତା ବହୁ ଦିନ ନିଷ୍କ୍ରିୟ ରହିବା ପରେ ହଠାତ୍‌‌ ସକ୍ରିୟ ହୋଇ ଉଠେ, ସେଗୁଡିକ ଉପରେ ବିଶେଷ ଧ୍ୟାନ ରଖିବାର ଆବଶ୍ୟକତା ରହିଛି।

ଡିଜିଟାଲ ଆରେଷ୍ଟ ରୋକିବାରେ ଆମର, ସାଧାରଣ ଜନତାଙ୍କର ବଡ଼ ଭୂମିକା ରହିଛି। ପାଠକବନ୍ଧୁଙ୍କର ମନେଥିବ, କିଛି ବର୍ଷ ପୂର୍ବେ ଲଟେରି ସ୍କାମରେ ବହୁ ବରିଷ୍ଠ ବ୍ୟକ୍ତି ଜୀବନବ୍ୟାପୀ ସଞ୍ଚୟ ହରାଇଥିଲେ। ଟେଲିଫୋନ୍‌‌ରେ ବାର୍ତ୍ତା ଆସିବ, ରିଜର୍ଭ ବ୍ୟାଙ୍କ ଦ୍ୱାରା ଆୟୋଜିତ ଲଟେରିରେ ଆପଣ କୋଟିଏ ଟଙ୍କା ଜିତିଛନ୍ତି। ପ୍ରୋସେସିଂ ଫି ବାବଦକୁ ଏକ ଲକ୍ଷ ଟଙ୍କା ଏହି ବ୍ୟାଙ୍କ ଆକାଉଣ୍ଟରେ ଜମା କରନ୍ତୁ। ଅନୁରୋଧ : ଆପଣଙ୍କ ନିଜର ସୁରକ୍ଷା ପାଇଁ ଏହା ଗୋପନ ରଖିବେ। ବହୁ ବ୍ୟକ୍ତି ଲୋଭର ବଶବର୍ତ୍ତୀ ହୋଇ ସର୍ବସ୍ୱ ହରାଇ ତଳିତଳାନ୍ତ ହୋଇଛନ୍ତି। ଏବେ ଭୟରେ ଥରହର ହୋଇ ସର୍ବସ୍ୱ ଟେକି ଦେଉଛନ୍ତି। ଲୋଭ ଓ ଭୟ – ଏ ଦୁଇଟି ଅବଗୁଣ ହିଁ ଆମକୁ ସର୍ବସ୍ୱାନ୍ତ କରୁଛି। ଅଜଣା ଉତ୍ସରୁ ଆସିଥିବା ଲିଙ୍କ୍‌‌ରେ କ୍ଳିକ୍‌‌ ମାରିବା ନାହିଁ – ଏହା ଆମର ସଂକଳ୍ପ ହେଲେ, ଆମକୁ କେହି ଠକେଇ ପାରିବେ ନାହିଁ। ଫୋନ୍‌‌ ଏବଂ ଭିଡିଓ କଲ୍‌‌ରେ ଜଣେ ଗିରଫ କରିବା ପାଇଁ ଏବଂ ସମ୍ପତ୍ତି ଜବତ କରିବା ପାଇଁ ଧମକ ଦେଇ ପାରନ୍ତି, କିନ୍ତୁ ଫୋନ୍‌‌ରେ କେହି ଆରେଷ୍ଟ କରିପାରିବେ ନାହିଁ କିମ୍ବା ସମ୍ପତ୍ତି ନେଇପାରିବେ ନାହିଁ। ଚଳିତ ନଭେମ୍ବର ୧ମ ସପ୍ତାହରେ ଭୁବନେଶ୍ୱରର ଜଣେ ବରିଷ୍ଠ ନାଗରିକ ଦୀର୍ଘ ଦଶ ଦିନ କାଳ ଡିଜିଟାଲ ଆରେଷ୍ଟ ରହି ଏକ କୋଟି ପଚାଶ ଲକ୍ଷ ଟଙ୍କା ହରାଇଛନ୍ତି। ଯଦି ସେହି ସମୟରେ ସେ ସତର୍କ ହୋଇ ତତ୍ପରତା ଦେଖାଇଥାନ୍ତେ, ହୁଏତ ଠକାମିରୁ ରକ୍ଷା ପାଇପାରିଥାନ୍ତେ। ଏବେ ଆମ ସମସ୍ତଙ୍କ ପାଳି- ସତର୍କ ରହିଲେ ହିଁ ସୁରକ୍ଷିତ ରହିବା।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories