ପ୍ରଥମ ଟେଷ୍ଟମ୍ୟାଚ୍ ପୂର୍ବରୁ ଚୂଡ଼ାନ୍ତ ଏକାଦଶ ନେଇ କୋହଲିଙ୍କ ମୁଣ୍ଡବ୍ୟଥା
ରାହାଣେ, ରୋହିତ ନା ୫ମ ବୋଲର?
ନର୍ଥ ସାଉଣ୍ଡ (ଆଣ୍ଟିଗ୍ବା) : ଏଠାରେ ଗୁରୁବାରଠାରୁ ଘରୋଇ ୱେଷ୍ଟଇଣ୍ଡିଜ୍ ଦଳ ବିପକ୍ଷରେ ଭାରତ ପ୍ରଥମ ଟେଷ୍ଟମ୍ୟାଚ୍ ଖେଳିବାକୁ ପ୍ରସ୍ତୁତ ହେଉଛି। ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପ୍ ଅନ୍ତର୍ଗତ ଏହି ୨ ମ୍ୟାଚ୍ର ସିରିଜ୍ ଖେଳାଯିବ। ତେବେ ପ୍ରଥମ ଟେଷ୍ଟ ପୂର୍ବରୁ ଭାରତର ଚୂଡ଼ାନ୍ତ ୧୧ ଜଣ ଖେଳାଳିଙ୍କୁ ବାଛିବା ନେଇ ଅଧିନାୟକ ବିରାଟ କୋହଲିଙ୍କ ସହ ଦଳ ମ୍ୟାନେଜମେଣ୍ଟର ମୁଣ୍ଡବିନ୍ଧା ବଢ଼ିବାରେ ଲାଗିଛି। ଚୂଡ଼ାନ୍ତ ଏକାଦଶରେ ଏକାଧିକ ସ୍ଥାନ ପାଇଁ ଭାରତୀୟ ଦଳରେ ଏକାଧିକ ବିକଳ୍ପ ରହିଥିବାରୁ କୋହଲିଙ୍କ ମୁଣ୍ଡବିନ୍ଧା ବଢ଼ିଯାଇଛି।
ତାଙ୍କର ପ୍ରଥମ ଚିନ୍ତା ହେଉଛି ଯେ ଦୁଇ ସିନିୟର ବ୍ୟାଟ୍ସମ୍ୟାନ୍ ଅଜିଙ୍କ୍ୟ ରାହାଣେ ଓ ରୋହିତ ଶର୍ମାଙ୍କୁ ଖେଳାଇବା ନା ଏମାନଙ୍କ ମଧ୍ୟରୁ ଜଣଙ୍କୁ ବସାଇ ୫ମ ବୋଲର ଖେଳାଇବା। ଯଦି ଭାରତ ୪ ଜଣ ବୋଲରଙ୍କୁ ନେଇ ଏହି େଟଷ୍ଟମ୍ୟାଚ୍ ଖେଳିବାକୁ ଚାହିଁବ; ତେବେ ରାହାଣେ ଓ ରୋହିତ ଉଭୟେ ଖେଳିବେ। ତେବେ ୫ମ ବୋଲରଙ୍କୁ ଖେଳାଇଲେ ରୋହିତଙ୍କୁ ବାହାରେ ବସିବାକୁ ପଡ଼ିପାରେ। କାରଣ ଟେଷ୍ଟମ୍ୟାଚ୍ର ରେକର୍ଡକୁ ଦେଖି ରାହାଣେଙ୍କୁ ବସାଇବାର ନିଷ୍ପତ୍ତି ଭାରତ ଆଦୌ ନେବନାହିଁ।
ଦୀର୍ଘ ସାଢ଼େ ୭ ମାସ ପରେ ଭାରତ ଟେଷ୍ଟମ୍ୟାଚ୍ ଖେଳିବାକୁ ଯାଉଛି। ହାର୍ଦିକ ପାଣ୍ଡ୍ୟା ଦଳରେ ଥିବା ବେଳେ ଭାରତକୁ ୫ମ ବୋଲରର ଆବଶ୍ୟକ ପଡ଼ିନଥାଏ। ପାଣ୍ଡ୍ୟା ମଧ୍ୟକ୍ରମରେ ବ୍ୟାଟିଂକରିବା ସହ ବୋଲିଂ କରିଥାଆନ୍ତି। ହେଲେ ଏବେ ସେ ସ୍ଥିତି ନାହିଁ। ଭାରତୀୟ ଏକାଦଶର ପ୍ରଥମ ୪ଟି ସ୍ଥାନ ନେଇ କୌଣସି ଦ୍ବନ୍ଦ୍ବ ନାହିଁ। ପୃଥ୍ବୀ ସ’ଙ୍କ ଅନୁପସ୍ଥିତି ଯୋଗୁଁ ଓପ୍ନର ଭାବେ ମୟଙ୍କ ଅଗ୍ରୱାଲ ଓ କେ.ଏଲ୍. ରାହୁଲ ଖେଳିବା ନିଶ୍ଚିତ। ଚେତେଶ୍ବର ପୂଜାରା ଟେଷ୍ଟ ଦଳର ନିୟମିତ ୩ଂ ଓ ଅଧିନାୟକ ବିରାଟ କୋହଲି ୪ନଂ ବ୍ୟାଟ୍ସମ୍ୟାନ୍। ୫ନଂ ସ୍ଥାନରେ ଅଜିଙ୍କ୍ୟ ରାହାଣେ ଖେଳିପାରନ୍ତି। ଅଭ୍ୟାସ ମ୍ୟାଚ୍ରେ ମଧ୍ୟ ରାହାଣେ ଅର୍ଦ୍ଧଶତକ ମାରିଛନ୍ତି। ୬ନଂ ସ୍ଥାନ ପାଇଁ ଭାରତ ପାଖରେ ୨ ଜଣ ବିକଳ୍ପ ଖେଳାଳି ରହିଛନ୍ତି। ଅଭିଜ୍ଞତା ଦୃଷ୍ଟିରୁ ରୋହିତ ଶର୍ମା ଖେଳିପାରନ୍ତି। ଅନ୍ୟପକ୍ଷରେ ନିକଟ ଅତୀତରେ ଟେଷ୍ଟ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିବା ହନୁମା ବିହାରୀଙ୍କୁ ଖେଳାଇବା କଥା ଭାରତ ବିଚାର କରିପାରେ।
ୱିକେଟ ରକ୍ଷକ ସ୍ଥାନକୁ ନେଇ ମଧ୍ୟ ନିଶ୍ଚିତତା ନାହିଁ। ଦେଢ଼ବର୍ଷ ପରେ ଋଦ୍ଧିମାନ ଶାହା ଦଳକୁ ଫେରିଛନ୍ତି। ଆହତ ହେବା ପୂର୍ବରୁ ଋଦ୍ଧିମାନଙ୍କୁ ଦଳର ପ୍ରଥମ ପସନ୍ଦର ୱିକେଟ ରକ୍ଷକ କୁହା ଯାଉଥିଲା। ତେବେ ତାଙ୍କ ଅନୁପସ୍ଥିତିରେ ସୁଯୋଗର ଚମତ୍କାର ଭାବେ ସଦ୍ବ୍ୟବହାର କରିଛନ୍ତି ଋଷଭ ପନ୍ତ୍। ଭାରତୀୟ ୱିକେଟ ରକ୍ଷକ ଭାବେ ପନ୍ତ୍ ଉଭୟ ଇଂଲଣ୍ଡ ଓ ଅେଷ୍ଟ୍ରଲିଆରେ ଟେଷ୍ଟ ଶତକ ହାସଲ କରିଛନ୍ତି। ଋଦ୍ଧିମାନ ଶାହା ସୁସ୍ଥହେବା ପରେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତ ‘ଏ’ ପାଇଁ ୨ଟି ଅର୍ଦ୍ଧଶତକ ମାରିଛନ୍ତି। ତଥାପି ଋଷଭ ପନ୍ତଙ୍କ ରେକର୍ଡକୁ ଦେଖି ଏହି ବାମହାତିଙ୍କୁ ଖେଳିବାର ସୁଯୋଗ ମିଳିପାରେ। କେବଳ ଭାରତୀୟ ପେସ୍ ବୋଲର ସ୍ଥାନକୁ ନେଇ କୌଣସି ଦ୍ବନ୍ଦ୍ବ ନାହିଁ। ଈଶାନ୍ତ ଶର୍ମା, ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସାମି ଖେଳିବା ନିଶ୍ଚିତ। ତେବେ ଜଣେ ସ୍ପିନର ଖେଳିବେ ନା ଦୁଇଜଣ; ତାହା ଏବେ ପ୍ରଶ୍ନବାଚୀ ପାଲଟିଛି। ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏକାଧିକ ଥର କହି ଆସିଛନ୍ତି ଯେ କୁଲଦୀପ ଯାଦବ ବିଦେଶମାଟିରେ ଦଳର ପ୍ରଥମ ପସନ୍ଦର ସ୍ପିନର। ଭାରତ ଶେଷଥର ପାଇଁ ୱେଷ୍ଟଇଣ୍ଡିଜ୍ ଗସ୍ତେର ଯାଇଥିବା ବେଳେ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିବା ଅଫ୍ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କୁ ବାହାରେ ବସିବାକୁ ପଡ଼ିପାରେ। ତେବେ ଯଦି ଭାରତ ୫ ଜଣ ବିଶେଷଜ୍ଞ ବ୍ୟାଟ୍ସମ୍ୟାନ୍ ଖେଳାଏ; ତେବେ ଅଶ୍ବିନଙ୍କୁ ୨ୟ ସ୍ପିନର ଏବଂ ୫ମ ବୋଲର ଭାବେ ଖେଳିବାକୁ ସୁଯୋଗ ମିଳିପାରେ। ପୁଣି ରବୀନ୍ଦ୍ର ଜାଡ଼େଜା ଭାବେ ଭାରତ ପାଖରେ ଜଣେ ଚମତ୍କାର ବିକଳ୍ପ ରହିଛନ୍ତି। ସ୍ପିନର ଭାବେ ଜାଡ଼େଜାଙ୍କ ଟେଷ୍ଟ ରେକର୍ଡ ଭଲ ଏବଂ ୭ନଂ ସ୍ଥାନରେ ଉପଯୋଗୀ ବ୍ୟାଟିଂ କରିପାରନ୍ତି। ଶେଷରେ ପିଚ୍ ଉପରେ ବହୁତ କିଛି ନିର୍ଭରକରେ। ଯଦି ବ୍ୟାଟିଂ ଉପଯୋଗୀ ପିଚ୍ ମିଳେ; ତେବେ ଭାରତ ୫ ଜଣ ବିଶେଷଜ୍ଞ ବୋଲରଙ୍କୁ ଖେଳାଇପାରେ। କାରଣ ମ୍ୟାଚ୍ ଜିତିବା ପାଇଁ ୨୦ଟି ୱିକେଟ ନେବାକୁ ପଡ଼ିବ।
Comments are closed.