www.samajalive.in
Sunday, December 7, 2025
26.1 C
Bhubaneswar

ଆଦିବାସୀଙ୍କ ବିକାଶ ପାଇଁ ଉଦ୍ୟମ ଅବ୍ୟାହତ ରହିବ: ନବୀନ

ଭୁବନେଶ୍ୱର : ଅାମେ କାମରେ ବିଶ୍ବାସ କରୁ। ରାଜ୍ୟର ସାମୂହିକ ବିକାଶ ଆମର ଲକ୍ଷ୍ୟ। ଜନଜାତି ସଂପ୍ରଦାୟକୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ବିଜୁ ଜନତା ଦଳ କାମ କରିଚାଲିଛି। ଜନଜାତିଙ୍କ ବିକାଶ ଆମର ମୂଳଲକ୍ଷ୍ୟ। ଶିକ୍ଷା ହେଉଛି ବିକାଶର ମାପକାଠି। ଜନଜାତିଙ୍କ ଶିକ୍ଷା ବିକାଶ କ୍ଷେତ୍ରରେ ଅଧିକ ଗୁୁରତ୍ବ ଦେଇଛୁ। ଏହାର ସୁଫଳ ମଧ୍ୟ ମିଳିଛି। ବିଜୁ ଜନତା ଦଳ ହେଉଛି ଆପଣଙ୍କ ଦଳ। ଆପଣମାନଙ୍କ ସ୍ବାର୍ଥ ପାଇଁ କାର୍ୟ୍ୟ କରୁଛି। ଆଗକୁ ଏହା ଅବ୍ୟାହତ ରହିବ ବୋଲି ବିଶ୍ବ ଆଦିବାସୀ ଦିବସ ଅବସରରେ ବିଜୁ ଜନତା ଦଳ ଆଦିବାସୀ ସାମ୍ମୁଖ୍ୟ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଆଦିବାସୀ ପ୍ରତିନିଧି ସମାବେଶକୁ ଉଦଘାଟନ କରି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।
ଆଦିବାସୀ ପଡ଼ିଆରେ ଆୟୋଜିତ ଏହି ସମାବେଶରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆଜି ବିଶ୍ବ ଆଦିବାସୀ ଦିବସ ଏବଂ କ୍ରାନ୍ତି ଦିବସ ପାଳନ କରାଯାଉଛି। ଏଭଳି ଏକ ଦିନରେ ଭୁବନେଶ୍ବରରେ ମହାନ ବିପ୍ଲବୀ ନେତା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ସେ ଅତ୍ୟନ୍ତ ଖୁସି ବୋଲି ପ୍ରକାଶ କରିଥିଲେ। ଜନଜାତି ସଂପ୍ରଦାୟର ସଂଗ୍ରାମୀ ବିର୍ସା ମୁଣ୍ଡା ଓ ଦେଶ ପାଇଁ ଜୀବନ ଦେଇଥିବା ମହାନ ସଂଗ୍ରାମୀ ଲକ୍ଷ୍ମଣ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ବିଜୁ ଜନତା ଦଳ ଆଦିବାସୀଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶକୁ ନଜରରେ ରଖି କାର୍ୟ୍ୟ କରୁଛି। ମାଲକାନଗିରିର ସ୍ବାଭିମାନ ଅଞ୍ଚଳକୁ ଗୁରୁପ୍ରିୟା ସେତୁ ବିକାଶର ମାର୍ଗ ପାଲଟିଛି। ସ୍ବାଭିମାନ ଅଞ୍ଚଳର ଆଦିବାସୀଙ୍କ ବିକାଶ ପାଇଁ ଅନେକ ଯୋଜନା ହାତକୁ ନିଆଯାଇଥିବା ସେ କହିଥିଲେ।
ଅନୁସୂଚିତ ଜନଜାତି ଓ ଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ରମେଶଚନ୍ଦ୍ର ମାଝି କହିଥିଲେ, ଓଡ଼ିଶାରେ ମୋଟ ୬୨ଟି ଅନୁସୂଚିତ ଜନଜାତି ସଂପ୍ରଦାୟର ଅଧିବାସୀ ବସବାସ କରୁଛନ୍ତି। ୫୦%ରୁ ଅଧିକ ଆଦିବାସୀ ବସବାସ କରୁଥିବା ୯ଟି ଜିଲାରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ସଂପୃକ୍ତ ଜିଲାର ୧୧୭ଟି ବ୍ଲକକୁ ବିକାଶମୂଳକ କାର୍ୟ୍ୟ ପାଇଁ ଦେଢ଼ କୋଟି ଲେଖାଏଁ ଟଙ୍କା ଦିଆଯାଇଛି। ବିଜେଡି ସରକାର ୨୬୦୦ଟି ହଷ୍ଟେଲ ନିର୍ମାଣ କରିଛି। ସାଢ଼େ ୫ ଲକ୍ଷ ଆଦିବାସୀ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ ସୁବିଧା ପାଇପାରିଛନ୍ତି। ରାଜ୍ୟ ସରକାର ସେମାନଙ୍କୁ ହଜାରେ କୋଟି ଟଙ୍କାର ବୃତ୍ତି ଦେଉଛନ୍ତି। ସରକାର ୪ଲକ୍ଷରୁ ଊର୍ଦ୍ଧ୍ବ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଛନ୍ତି। ସାମାଜିକ ଓ ସାଂସ୍କୃତିକ ବିକାଶ ଧାରାରେ ଆଦିବାସୀଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ ଜାରି ରଖିଥିବା ସେ କହିଥିଲେ।
ବିଜୁ ଜନତା ଦଳ ଆଦିବାସୀ ସାମ୍ମୁଖ୍ୟର ଆବାହକ ସୁଦାମ ମାର୍ଣ୍ଡି ଆଦିବାସୀ ବସ୍ତ୍ର ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଭାବେ ଆଦିବାସୀଙ୍କ ପାରମ୍ପରିକ ବସ୍ତ୍ର ପ୍ରଦାନ କରାଯାଇଥିଲା। ଶ୍ରୀ ମାର୍ଣ୍ଡି କହିଥିଲେ, ନବୀନ ପଟ୍ଟନାୟକ ଆଦିବାସୀଙ୍କ ସହ ଅଛନ୍ତି। ରାଜ୍ୟର ବିକାଶ ପାଇଁ ତାଙ୍କୁ ସବୁବେଳେ ସହଯୋଗ ଯୋଗାଇ ଦେବୁ। ସାମ୍ମୁଖ୍ୟର ଉପ ସଭାପତି ସାଂସଦ ଝିନ୍ନ ହିକକା ଆଦିବାସୀଙ୍କ ସମସ୍ୟାର ସମାଧାନ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଯେଉଁ ଉଦ୍ୟମ କରିଛନ୍ତି ତା’ର ଭୂୟସୀ ପ୍ରଶଂସା କରିଥିଲେ।
ଅନ୍ୟତମ ଉପ ସଭାପତି ବିଧାୟକ ବଳଭଦ୍ର ମାଝି କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀଙ୍କ ସହ ସବୁବେଳେ ରହି ଆସିଛନ୍ତି। ସ୍ବର୍ଗତ ବିଜୁ ପଟ୍ଟନାୟକ ଆଦିବାସୀ ମହିଳାଙ୍କୁ ପୁଲିସ ଅଧିକାର ଦେଇଥିଲେ। ନବୀନ ବାବୁ ୯ଟି ଜିଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି ଜାତୀୟ ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି। ତାଙ୍କ ଉଦ୍ୟମରେ ବର୍ଷକୁ ୫ ହଜାର ଆଦିବାସୀ ଛାତ୍ରଛାତ୍ରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ ସୁଯୋଗ ପାଇଛନ୍ତି। ନବୀନଙ୍କ ସାଙ୍ଗରେ ରହି ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ଶପଥ ନେବାକୁ ସେ ଉପସ୍ଥିତ ଥିବା ୫ ହଜାରରୁ ଊର୍ଦ୍ଧ୍ବ ଆଦିବାସୀ ସଂପ୍ରଦାୟର ପ୍ରତିନିଧିଙ୍କୁ ଆହ୍ବାନ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଆଦିବାସୀଙ୍କ ପାଇଁ ବିଜେଡି ସରକାରର ଅବଦାନ ସମ୍ପର୍କରେ ସୂଚନା ଦେଇଥିଲେ। ସମାବେଶରେ ଦଳର ବହୁ ସାଂସଦ, ବିଧାୟକ ଏବଂ ବିଭିନ୍ନ ଜିଲାରୁ ଆସିଥିବା ଆଦିବାସୀ ପ୍ରତିନିଧି ଯୋଗ ଦେଇଥିଲେ। ସାଂସ୍କୃତିକ କାର୍ୟ୍ୟକ୍ରମରେ ଆଦିବାସୀ ବିଧାୟକ ଓ ନେତା ଆଦିବାସୀଙ୍କ ପାରମ୍ପରିକ ନୃତ୍ୟରେ ସାମିଲ ହୋଇଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories