www.samajalive.in
Sunday, December 14, 2025
23.1 C
Bhubaneswar

ଆଜି ବିବୃତି ରଖିବେ ମନ୍ତ୍ରୀ

ଭୁବନେଶ୍ୱର : ବିଧାନସଭାର ପ୍ରଶ୍ନକାଳ ଗୁରୁବାର ସ୍ୱାଭାବିକ ଚାଲିଥିଲେ ହେଁ ଶୂନ୍ୟକାଳ କିନ୍ତୁ ଅଶାନ୍ତ ହୋଇପଡ଼ିଥିଲା। ବିରୋଧୀଙ୍କ ହୋହଲ୍ଲା, ହଟ୍ଟଗୋଳ ଯୋଗୁଁ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ବିରୋଧୀ ଦଳର ସଭ୍ୟମାନେ ଚାଳକଙ୍କ ସମସ୍ୟା ଉଠାଇଥିଲେ। ସରକାରଙ୍କଠାରୁ ଉତ୍ତର ଦାବି କରିଥିଲେ। ହଟ୍ଟଗୋଳ ଅବ୍ୟାହତ ରହିବାରୁ ବାଚସ୍ପତି ବିକ୍ରମକେଶରୀ ଆରୁଖ ଗୃହକୁ ବାରମ୍ବାର ମୁଲତବୀ ରଖିଥିଲେ।
ଗତକାଲିଠାରୁ ଚାଳକ ମହାମଞ୍ଚ ପକ୍ଷରୁ ଚାଲିଥିବା ରାଜ୍ୟବ୍ୟାପୀ ଧର୍ମଘଟ କାରଣରୁ ପରିବହନ ସେବା ଗୁରୁତର ବାଧାପ୍ରାପ୍ତ ହୋଇଛି। ଆଜି ବିଧାନସଭାରେ ଏହି ପ୍ରସଙ୍ଗ ବିରୋଧୀ ଦଳ ଉଠାଇଥିଲେ। ପରିସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ସର୍ବଦଳୀୟ ବୈଠକ ପ୍ରାୟ ୪୦ ମିନିଟ୍ ବସିବା ପରେ ଚାଳକ ମହାସଂଘ ସହିତ ଆଲୋଚନା କରି ଆସନ୍ତାକାଲି ଏ ସମ୍ପର୍କରେ ଗୃହରେ ବିବୃତି ରଖିବାକୁ ବାଚସ୍ପତି ଶ୍ରୀ ଆରୁଖ ପରିବହନ ମନ୍ତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତି।
ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଚାଳକମାନେ ମାସିକ ୬ହଜାରରୁ ୧୫ ହଜାର ଟଙ୍କା ଦରମା ପାଉଛନ୍ତି। ଏହାବ୍ୟତୀତ ସେମାନଙ୍କ ଅନେକ ଦାବି ରହିଛି। ସମସ୍ୟାର ସମାଧାନ ପାଇଁ ସରକାର ଅଧିକାରୀଙ୍କୁ ପଠାଇ ଆଲୋଚନା କରନ୍ତୁ। ବିଧାନସଭା ଚାଲିଥିବାବେଳେ ବସସେବା ବନ୍ଦ ହୋଇପଡ଼ିଛି। ଏପରିକି ୩ ଚକିଆ ବି ଚାଲୁନି। କେବଳ କୌଣସି ପ୍ରସଙ୍ଗରେ ହଟ୍ଟଗୋଳ କଲେ ସରକାରଙ୍କ ଦୃଷ୍ଟିକୁ ଆସୁଛି। ଚାଳକ ମହାସଂଘର ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଆମେ ବାଧ୍ୟ ହୋଇ ଗୃହ ମଧ୍ୟଭାଗକୁ ଯିବୁ ଏବଂ ନ୍ୟାୟ ମାଗିବୁ ବୋଲି ବାଚସ୍ପତିଙ୍କ ଉଦ୍ଦେଶ୍ୟରେ କହିଥିଲେ। ଆଲୋଚନା ପାଇଁ ବିଭାଗୀୟ ସଚିବଙ୍କୁ ଡାକିପାରନ୍ତି ବୋଲି ସେ କହିଥିଲେ। ଶ୍ରୀ ମିଶ୍ର ବକ୍ତବ୍ୟ ରଖୁଥିବାବେଳେ ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବା ସହିତ ଚାଳକ ମହାସଂଘର ଆନ୍ଦୋଳନର ତୁରନ୍ତ ସମାଧାନ ଦାବିରେ ହୋହଲ୍ଲା କରିଥିଲେ। ବିରୋଧୀ ସଭ୍ୟମାନେ ଏଥିଲାଗି ବାଚସ୍ପତି ରୁଲିଂ ଦେବାକୁ ଦାବି କରିଥିଲେ।
ପ୍ରବଳ ହଟ୍ଟଗୋଳରୁ ବାଚସ୍ପତି ଗୃହକୁ ପ୍ରଥମେ ୧୧ଟା ୪୨ରୁ ଗୃହକୁ ୧୦ ମିନିଟ ପାଇଁ ମୁଲତବୀ ରଖିଥିଲେ। ଗୃହକାର୍ଯ୍ୟ ପୁନର୍ବାର ଆରମ୍ଭ ହେବା ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ, ଚାଳକମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଛନ୍ତି। ସେମାନଙ୍କୁ ନ୍ୟାୟ ଦେବା ଦରକାର। ବିଭାଗୀୟ ମନ୍ତ୍ରୀଙ୍କୁ ଡାକି ଏ ଦିଗରେ ସମାଧାନର ବାଟ ବାହାର କରିବାକୁ ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତ ଗୃହରେ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ତାଙ୍କ ପ୍ରକୋଷ୍ଠରେ ସର୍ବଦଳୀୟ ବୈଠକ ଡାକିବା ସହିତ ଗୃହକୁ ମୁଲତବୀ ରଖିଥିଲେ। ସର୍ବଦଳୀୟ ବୈଠକ ପରେ ବାଚସ୍ପତି କହିଥିଲେ ଯେ, ଗୃହର ସଭ୍ୟମାନେ ଚାଳକ ସଂଘ ଆନ୍ଦୋଳନ ନେଇ ଯେଉଁ ଉଦବେଗ ପ୍ରକାଶ କରୁଛନ୍ତି, ତାହା ଦୃଷ୍ଟିକୁ ଆସିଛି। ଚାଳକ ମହାସଂଘ ସହିତ ଆଲୋଚନା କରି ଏ ସଂକ୍ରାନ୍ତରେ ଶୁକ୍ରବାର ପରିବହନ ମନ୍ତ୍ରୀ ଗୃହରେ ବିବୃତି ରଖିବେ ବୋଲି ବାଚସ୍ପତି ରୁଲିଂ ଦେଇଥିଲେ। ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories