ନୂଆଦିଲ୍ଳୀ: ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ କାର୍ଯ୍ୟରେ ଯୋଗ ଦେଇଥିବା ସିବିଆଇ ନିର୍ଦେଶକ ଆଲୋକ ବର୍ମା ପ୍ରଥମ ଦିନରେ ହିଁ କେତେକ ବଦଳି ନିର୍ଦେଶକୁ ବାତିଲ୍ କରିଛନ୍ତି। ଯେଉଁମାନଙ୍କର ବଦଳି ନିର୍ଦେଶ ବାତିଲ ହୋଇଛି ସେମାନଙ୍କ ମଧ୍ୟରେ ବର୍ମାଙ୍କ ଅନୁଗତ ଥିବା କୁହାଯାଉଛି।
ସୂଚନାଯୋଗ୍ୟ, ଆଲୋକ ବର୍ମା ଓ ସିବିଆଇର ନଂ ଦୁଇ କୁହାଯାଉଥିବା ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ମଧ୍ୟରେ ଆରୋପ ଓ ପ୍ରତିଆରୋପ ତୀବ୍ର ହେବାରୁ ଉଭୟଙ୍କୁ କେନ୍ଦ୍ର ସରକାର ବାଧ୍ୟତାମୂଳକ ଛୁଟିରେ ଯିବା ପାଇଁ ନିର୍ଦେଶ ଦେଇଥିଲେ। ଏହାପରେ ଅକ୍ଟୋବର ୨୪ ତାରିଖ ମଧ୍ୟରାତ୍ରିରେ ଏମ ନାଗେଶ୍ୱର ରାଓଙ୍କୁ ଅସ୍ଥାୟୀ ସିବିଆଇ ନିର୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ଶ୍ରୀ ବର୍ମା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ସୁପ୍ରିମକୋର୍ଟ ଗତ ୮ ତାରିଖରେ କେନ୍ଦ୍ର ସରକାରଙ୍କ ନିର୍ଦେଶକୁ ଖାରଜ କରି ଆଲୋକ ବର୍ମାଙ୍କୁ କେତେକ ନିର୍ଦ୍ଦିଷ୍ଟ ସର୍ତ୍ତରେ କାର୍ଯ୍ୟରେ ଯୋଗ ଦେବାକୁ ଅନୁମତି ଦେଇଥିଲେ। ଆଲୋକ ବର୍ମା ଛୁଟିରେ ଯିବା ପରେ କେତେକ ସିବିଆଇ ଅଧିକାରୀଙ୍କୁ ବଦଳି କରାଯାଇଥିଲା। ତେବେ କାର୍ଯ୍ୟରେ ଯୋଗ ଦେବାର ମାତ୍ର କିଛି ଘଣ୍ଟା ପରେ ଆଲୋକ ବର୍ମା ସେମାନଙ୍କ ମଧ୍ୟରୁ ସିବିଆଇ ଡିଏସ୍ପି ଏ କେ ବାସି, ଏସ୍ପି ଏସ୍ ଏସ୍ ଗୁର୍ମ, ଡିଆଇଜି ଏମ କେ ସିହ୍ନା ଓ ଯୁଗ୍ମ ନିର୍ଦେଶକ ଏ କେ ଶର୍ମାଙ୍କ ବଦଳି ଆଦେଶକୁ ଶ୍ରୀ ବର୍ମା ବାତିଲ କରିଛନ୍ତି। ଏହି ସବୁ ଅଧିକାରୀ ଆସ୍ଥାନାଙ୍କ ବିରୋଧରେ ଆଗତ ଅଭିଯୋଗର ତଦନ୍ତ କରୁଥିଲେ। ଜାତୀୟ ସୁରକ୍ଷା ପରାମର୍ଶଦାତା ଏ କେ ଡୋଭାଲ୍, କେନ୍ଦ୍ର ମନ୍ତ୍ରୀ ହରିଭାଇ ପାର୍ଥିଭାଇ ଚୌଧୁରୀ ଓ ମୁଖ୍ୟ ଭିଜିଲାନ୍ସ ଆୟୁକ୍ତ କେ ଭି ଚୌଧୁରୀଙ୍କ ବିରୋଧରେ ଡିଆଇଜି ଏମ କେ ସିହ୍ନା ସିବିଆଇ କୁ ପ୍ରଭାବିତ କରୁଥିବା ଅଭିଯୋଗ ଆଣିଥିଲେ।
ଅନୁଗତଙ୍କ ବଦଳି ନିର୍ଦେଶ ବାତିଲ୍ କଲେ ବର୍ମା
Popular Categories



