ଭାରତର ଜାତୀୟ ଚେତନାକୁ ପୁନର୍ଜୀବିତ କରି ଆସୁଛି ମହାକୁମ୍ଭର ପରମ୍ପରା – ମୋଦୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମହାକୁମ୍ଭର ପରମ୍ପରା ହଜାର ହଜାର ବର୍ଷ ଧରି ଭାରତର ଜାତୀୟ ଚେତନାକୁ ପୁନର୍ଜୀବିତ କରି ଆସୁଛି ଏବଂ ଦେଶ ଓ ସମାଜକୁ ନୂତନ ମାର୍ଗ ସୂଚାଉଛି। ୧୪୪ ବର୍ଷ ପରେ ଏଥର ଏଭଳି ମହାକୁମ୍ଭ ଆସିଛି ଏବଂ ଭାରତର ବିକାଶ ଯାତ୍ରାରେ ଏକ ନୂଆ ଅଧ୍ୟାୟର ବାର୍ତ୍ତା ଦେଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ସେ କହିଛନ୍ତି, ବାର୍ତ୍ତା ହେଉଛି ବିକଶିତ ଭାରତର। ଶ୍ରୀ ମୋଦି ଆଜି ନିଜକ ବ୍ଲଗରେ ଏହି କଥା ଲେଖିଛନ୍ତି। ମହାକୁମ୍ଭରେ ସାଧୁ, ସନ୍ଥ, ଶ୍ରଦ୍ଧାଳୁଙ୍କ ସମେତ ବିଦେଶରୁ ମଧ୍ୟ ଶ୍ରଦ୍ଧାଳୁମାନେ ସଙ୍ଗମରେ ବୁଡ଼ ପକାଇବାକୁ ଆସିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରୟାଗରାଜ ଥିଲା ଏକତାର ମହାକୁମ୍ଭ ଯେଉଁଠାରେ ଏହି ପବିତ୍ର ମହାକୁମ୍ଭ ଉପଲକ୍ଷେ ୧୪୦ କୋଟି ଭାରତୀୟଙ୍କ ଭାବନା ଏକ ହୋଇଥିଲା। ସେ କହିଛନ୍ତି ଯେ ସଙ୍ଗମସ୍ଥଳରେ ଭାବନାର ଲହରୀ ବଢିବାରେ ଲାଗିଛି। ଗଙ୍ଗା, ଯମୁନା ଓ ସରସ୍ୱତୀଙ୍କ ପବିତ୍ର ସଙ୍ଗମ ସ୍ଥଳ ସଙ୍ଗମରେ ସ୍ନାନ କରି ପ୍ରତ୍ୟେକ ଶ୍ରଦ୍ଧାଳୁ ଗୋଟିଏ ଉଦ୍ଦେଶ୍ୟ ନେଇ ଆସିଥିଲେ ବୋଲି ଶ୍ରୀ ମୋଦୀ କହିଛନ୍ତି। ଏହା ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କୁ ଉତ୍ସାହ, ଶକ୍ତି ଓ ଆତ୍ମବିଶ୍ୱାସରେ ଭରି ଦେଇଥିଲା। ପ୍ରୟାଗରାଜରେ କିପରି କୋଟି କୋଟି ଲୋକ ନଦୀର ସଙ୍ଗମ କୂଳରେ ଏକାଠି ହୋଇଥିଲେ ତାହା ସାରା ବିଶ୍ୱ ଆଶ୍ଚର୍ଯ୍ୟରେ ଦେଖିଛି। ପ୍ରଧାନମନ୍ତ୍ରୀ କହିଥିଲେ, ଏମାନଙ୍କ ପାଖରେ କୌଣସି ଆନୁଷ୍ଠାନିକ ନିମନ୍ତ୍ରଣ ନଥିଲା, କେବେ ଯିବେ ସେ ନେଇ କୌଣସି ଆଗୁଆ ସୂଚନା ନଥିଲା। ତଥାପି କୋଟି କୋଟି ଲୋକ ନିଜ ଇଚ୍ଛାରେ ମହାକୁମ୍ଭକୁ ବାହାରି ପବିତ୍ର ଜଳରେ ଗାଧୋଇବାର ଆନନ୍ଦ ଅନୁଭବ କରିଥିଲେ। ଏହି ଏକତାର ମହାକୁମ୍ଭ ଦେଶକୁ ନୂଆ ସଂକଳ୍ପ ନେଇ ଆଗକୁ ବଢ଼ିବାରେ ସହାୟକ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଏକତାକୁ ମାର୍ଗଦର୍ଶକ ନୀତି କରିବାକୁ ମୋଦି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଦେଶ ସେବା ହିଁ ଈଶ୍ୱରଙ୍କ ସେବା ବୋଲି ବୁଝି ସମସ୍ତେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି।
Comments are closed.