www.samajalive.in
Monday, December 15, 2025
27.1 C
Bhubaneswar

ପାହାଡିଆ ଅଞ୍ଚଳ ଅଭିମୁଖେ ଗୋରୁଗୋଠ ଓ ଗୋପାଳକ

ପିପିଲି : ଚାରଣଭୂମି ଜଳମଗ୍ନ ହେବା କାରଣରୁ ପୁରୀ ଜିଲାର ବିଭିନ୍ନ ଅଞ୍ଚଳର ଗୋପାଳକ ମାନେ ସେମାନଙ୍କ ଗୋରୁଗୋଠକୁ ନେଇ ଏବେ ପାହାଡିଆ ଅଞ୍ଚଳ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ପ୍ରତ୍ୟେକ ବର୍ଷ ୬ମାସ କାଳ ଏମାନେ ପାହାଡିଆ ଅଞ୍ଚଳରେ ବାସ କରୁଥିବା ବେଳେ ଜାନୁଆରୀରୁ ଫେବୃଆରୀ ମାସରେ ଘରକୁ ବାହୁଡିଥାନ୍ତି। ଏହାକୁ ଗାଉଁଲି ଭାଷାରେ ପରଙ୍ଗ ବା ପରଦେଶ ଯାତ୍ରା କୁହାଯାଏ ।
ପୁରୀ ଜିଲାର ଚନ୍ଦନପୁର, ସତ୍ୟବାଦୀ, ବ୍ରହ୍ମଗିରି, କଣାସ ଓ ଧନୁଆ ବନ୍ୟା ପ୍ରଭାବିତ ଆଦି ଅଞ୍ଚଳରେ ବର୍ଷାଋତୁରେ ଚାରଣଭୂମି ଜଳମଗ୍ନ ହେବା କାରଣରୁ ଗୋରୁ, ଗାଇଙ୍କର ଖାଦ୍ୟାଭାବ ଦେଖାଦେଇଥାଏ । ଏପରିକି ଗୋରୁ, ଗାଇଙ୍କୁ ବାହାରେ ରଖିବା ପାଇଁ ଶୁଖିଲା ସ୍ଥାନର ଅଭାବ ମଧ୍ୟ ଏହି ସବୁ ଅଞ୍ଚଳରେ ରହିଛି । ଏହି ସବୁ ଜଳମଗ୍ନ ଚାଷଜମି ଅଞ୍ଚଳର ଗୋପାଳକ ମାନେ ସେମାନଙ୍କ ଗୋରୁ, ଗାଇ, ଛେଳି, ମେଣ୍ଢା ଆଦିଙ୍କୁ ସାଙ୍ଗରେ ନେଇ ଜଟଣୀ, ଖୋର୍ଦ୍ଧା ଓ ଚନ୍ଦକା ଆଦି ପାହାଡିଆ ଅଞ୍ଚଳକୁ ଚାଲିଯାଇଥାନ୍ତି । ସେଠାରେ ସେମାନେ ଅସ୍ଥାୟୀ ଗୁହାଳଘର ନିର୍ମାଣ କରି ଗୋରୁ,ଗାଇଙ୍କୁ ପାଳନ କରିଥାନ୍ତି । ବିଶେଷ କରି କ୍ଷୀର ବିକ୍ରୀ କରି ସେମାନେ ନିଜର ଖର୍ଚ୍ଚ ତୁଳାଇବା ସହ ବଳକା ଟଙ୍କାକୁ ଘରକୁ ମଧ୍ୟ ପଠାଇଥାନ୍ତି । ଗୋପାଳକ ମାନେ ପାଳି କରି ପ୍ରତି ମାସେ, ଦୁଇମାସରେ ଘରକୁ ଯିବା ଆସିବା ମଧ୍ୟ କରିଥାନ୍ତି । ବର୍ଷାଋତୁ ସରିଲା ପରେ ବୁଡି ଅଞ୍ଚଳର ଜମିରୁ ପାଣି ଶୁଖି ଘାସ କଅଁଳିବା ପରେ ପୁଣି ଗୋରୁ ଗାଇଙ୍କୁ ନେଇ ଏହି ଗୋପାଳକ ମାନେ ଘରକୁ ବାହୁଡିଥାନ୍ତି । ଜୁଲାଇରୁ ଅଗଷ୍ଟ ମାସ ମଧ୍ୟରେ ଏହି ଗୋପାଳକ ମାନେ ଗୋରୁ, ଗାଇଙ୍କୁ ନେଇ ପାହାଡିଆ ଅଞ୍ଚଳ ଅଭିମୁଖେ ଯିବା ଓ ଜାନୁଆରୀରୁ ଫେବୃଆରୀ ମାସ ମଧ୍ୟରେ ଘରକୁ ବାହୁଡିବାର ଦୃଶ୍ୟ ପ୍ରତ୍ୟେକ ବର୍ଷ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଓ ପିପିଲି-ଖୋର୍ଦ୍ଧା ରାଜ୍ୟ ରାଜପଥରେ ଦେଖିବାକୁ ମିଳେ।

ପାହାଡିଆ ଅଞ୍ଚଳରେ ଅସ୍ଥାୟୀ ଭାବେ ବାସ କରୁଥିବା ଏହି ଗୋପାଳକମାନେ ସେହି ଅଞ୍ଚଳବାସୀଙ୍କ ସହ ଏକପ୍ରକାର ବନ୍ଧୁତା ମଧ୍ୟ ସ୍ଥାପନ କରିଥାନ୍ତି। ଚନ୍ଦନପୁର ଅଞ୍ଚଳର ୬୫ ବର୍ଷୀୟ ଗୋପାଳକ ଗୋବିନ୍ଦ ବେହେରାଙ୍କୁ ଏ ସଂପର୍କରେ ପଚାରିବାରେ ସେ କହିଥିଲେ ଯେ, ୪୫ବର୍ଷରୁ ଉର୍ଦ୍ଧ ସମୟ ଧରି ପ୍ରତିବର୍ଷ ସେ ଗୋରୁଗୋଠ ସହ ଖୋର୍ଦ୍ଧାର ତାପଙ୍ଗ ଅଞ୍ଚଳକୁ ପରଙ୍ଗରେ ଯାଉଛନ୍ତି। ସେତେବେଳେ ରାସ୍ତାଘାଟର ସୁବିଧା ନଥିବାରୁ ଓ ଠିକ୍‌‌ ସମୟରେ ବର୍ଷା ହେଉଥିବାରୁ ଏହି ପରଙ୍ଗ ଯାତ୍ରା ଜୁନ୍‌‌ମାସ ତୃତୀୟ ସପ୍ତାହରୁ ଆରମ୍ଭ ହେଉଥିଲା ଓ ତାପଙ୍ଗ ଅଞ୍ଚଳରେ ପହଞ୍ଚିବାକୁ ତାଙ୍କୁ ୫ରୁ ୭ଦିନ ଲାଗୁଥିଲା। ତେବେ ଏବେ କିଛି ବର୍ଷ ହେଲା ବିଳମ୍ବିତ ମୌସୁମୀ ଓ କମ୍‌‌ ବର୍ଷା ଯୋଗୁଁ ସେମାନେ ଜୁଲାଇରୁ ଅଗଷ୍ଟ ମାସ ମଧ୍ୟରେ ଏହି ଯାତ୍ରା ଆରମ୍ଭ କରୁଛନ୍ତି। ଉନ୍ନତ ରାସ୍ତାଘାଟ ଯୋଗୁଁ ତାଙ୍କୁ ଏବେ ଗୋରୁଗୋଠଙ୍କ ସହ ରାସ୍ତାରେ ଚାଲିଚାଲି ଚନ୍ଦନପୁରରୁ ତାପଙ୍ଗ ପହଞ୍ଚିବାକୁ ଅଢେଇରୁ ୩ଦିନ ସମୟ ଲାଗୁଛି ବୋଲି ଗୋବିନ୍ଦ କହିଛନ୍ତି । ଏହି ୬ମାସ ସେ ନିଜ ପରିବାର ଠାରୁ ଦୂରରେ ରହୁଥିଲେ ମଧ୍ୟ ତାପଙ୍ଗ ଅଞ୍ଚଳରେ ଥିବା ତାଙ୍କର ବନ୍ଧୁବାନ୍ଧବଙ୍କ ସହ ସେ ପ୍ରାୟ ଦେଖାହୁଅନ୍ତି ଓ ଖୁସିଗପ କରନ୍ତି ବୋଲି କହିଛନ୍ତି । ଇତିମଧ୍ୟରେ ତାଙ୍କ ଅଞ୍ଚଳର ବହୁ ପୁଅ ଓ ଝିଅଙ୍କର ବିବାହ ସେ ତାପଙ୍ଗ ଅଞ୍ଚଳରେ କରାଇଥିବାର ଗର୍ବର ସହ କୁହନ୍ତି।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories