www.samajalive.in
Friday, December 5, 2025
20.1 C
Bhubaneswar

ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନ: ନିରବ ଜନତା, ଚିନ୍ତାରେ ନେତା

ନୂଆପଡ଼ା: ଚଳିତ ମାସ ୧୧ ତାରିଖରେ ଅର୍ଥାତ ରାତି ପାହିଲେ ବହୁଚର୍ଚ୍ଚିତ ନୂଆପଡ଼ା ଉପନିର୍ବାଚନରେ ୨.୫୦ ଲକ୍ଷରୁ ଊର୍ଦ୍ଧ୍ବ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ପ୍ରଚାରର ଶେଷ ଦିନରେ ବିଜେପି, ବିଜେଡି, କଂଗ୍ରେସ ସମେତ ସମାଜବାଦୀ ପାର୍ଟି ଓ ସ୍ବାଧୀନ ପ୍ରାର୍ଥୀ ବିଭିନ୍ନ ଶୈଳୀରେ ପ୍ରଚାର କରିବା ସହ ଭୋଟରଙ୍କ ଆସ୍ଥାଭାଜନ ହେବାକୁ ଆପ୍ରାଣ ଉଦ୍ୟମ କରିଥିଲେ। ଏହି ଉପନିର୍ବାଚନ ତିନି ପ୍ରମୁଖ ଦଳ ଯଥା ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଥିବାରୁ କେହି ସୁଯୋଗ ହାତଛଡ଼ା କରିବାକୁ ଚାହଁୁନାହାନ୍ତି। ଜନତା ନିର୍ବାଚନକୁ ନେଇ ନିରବ ଥିବାବେଳେ ନେତାଙ୍କ ଚିନ୍ତା ବଢ଼ିବାରେ ଲାଗିଛି; ତଥାପି କେହି ବିଜୟ ଆଶା ଛାଡ଼ି ନାହାନ୍ତି।

୨୦୨୪ ସାଧାରଣ ନିର୍ବାଚନ‌ ପରେ ଏହା ହେଉଛି ପ୍ରଥମ ଉପନିର୍ବାଚନ। ରାଜ୍ୟରେ ବିଜେପି ସରକାରକୁ ଆସିଥିବାରୁ ଏହି ଉପନିର୍ବାଚନ ଜିତିବା ଦଳ ପାଇଁ ସମ୍ମାନର ବିଷୟ ହୋଇଛି। ସେହିପରି ବିଜେଡି ପାଇଁ ନୂଆପଡ଼ା ଆସନ ବଜାୟ ରଖିବା ଆହ୍ବାନ ପାଲଟିଛି। ଦଳ କ୍ଷମତାରୁ ଯିବାର ପ୍ରାୟ ଦେଢ଼ ବର୍ଷ ପରେ ପୁଣି ଲୋକଙ୍କ ଭରସା ଜିତିବାକୁ ପ୍ରାଣମୂର୍ଚ୍ଛା ପ୍ରୟାସ ଜାରି ରଖିଛି। ଅନ୍ୟପକ୍ଷରେ ପିସିସି ସଭାପତି ଦାୟିତ୍ବ ନେବା ପରେ ଭକ୍ତଚରଣ ଦାସଙ୍କ ନେତୃତ୍ବରେ କଂଗ୍ରେସ ଏହି ଉପନିର୍ବାଚନ ଲଢ଼ୁଛି। ଏହି ଉପନିର୍ବାଚନ ଜିତି କଂଗ୍ରେସ ପୁନର୍ବାର ଲୋକଙ୍କ ଆସ୍ଥାଭାଜନ ହେବାକୁ ପ୍ରଚେଷ୍ଟା କରୁଛି। ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ପ୍ରାୟ ୪୫ ହଜାରରୁ ଅଧିକ ଯାଦବ ଭୋଟ୍ ରହିଥିବାରୁ ସମାଜବାଦୀ ପାର୍ଟି ମଧ୍ୟ ଏହି ମଇଦାନରେ ବଳ କଷୁଛି।

- Advertisement -

ନୂଆପଡ଼ା ଭୋଟ୍‌ ଗ୍ରହଣକୁ ଆଉ ମାତ୍ର କିଛି ଘଣ୍ଟା ବାକି ଥିବାବେଳେ ଭୋଟରଙ୍କ ନିରବତା ରାଜନୈତିକ ଦଳ ଓ ନେତାଙ୍କ ହୃଦ୍‌ସ୍ପନ୍ଦନ ବଢ଼ାଇ ଦେଇଛି। କିଏ ଏଠାରେ ବାଜିମାତ କରିବ ତାହା ଏବେ ବି ଅସ୍ପଷ୍ଟ ରହିଛି; କିନ୍ତୁ ତିନି ପ୍ରମୁଖ ଦଳ ବିଜୟକୁ ନେଇ ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି। ଗ୍ରାମାଞ୍ଚଳରେ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ନେଇ ଚର୍ଚ୍ଚା ହେଉଥିବାବେଳେ ସହରାଞ୍ଚଳରେ ସ୍ଥିତି ରୋଚକ ରହିଛି। ନୂଆପଡ଼ା, ଛତିଶଗଡ଼ ସୀମାନ୍ତବର୍ତ୍ତୀ ହୋଇଥିବାରୁ ଏଠାରେ ଏକାଧିକ ଭାଷାଭାଷୀ ଲୋକ ରହୁଛନ୍ତି। ମୋଟ ୩୫୮ ବୁଥ୍‌ରୁ ପ୍ରାୟ ୧୫୦ ବୁଥ୍‌ରେ ‘ଲରିଆ’ ଭାଷାଭାଷୀ ଅଛନ୍ତି। ସେମାନେ ଓଡ଼ିଆ, ସମ୍ବଲପୁରୀ, ହିନ୍ଦୀ ଓ ଛତିଶଗଡ଼ି ଭାଷା ମିଶାମିଶି କରି କଥାବାର୍ତ୍ତା କରୁଛନ୍ତି। ମୁଖ୍ୟତଃ ନୂଆପଡ଼ା ବ୍ଲକରେ ଅଧିକାଂଶ ଲରିଆ ଭାଷାଭାଷୀ ବସବାସ କରୁଥିବାବେଳେ ଖରିଆର ରୋଡ୍‌ ଏନ୍‌ଏସି ଅଞ୍ଚଳରେ ଅଧିକାଂଶ ହିନ୍ଦୀ କହୁଥିବା ମତଦାତା ରହିଛନ୍ତି। ରାୟପୁର ସହ ନୂଆପଡ଼ା ଅଧିବାସୀଙ୍କ ବାଣିଜ୍ୟିକ, ପାରିବାରିକ ସମ୍ପର୍କ ରହିଛି। ସେମାନଙ୍କ ଭୋଟ୍ ହାତେଇବା ପାଇଁ ସବୁ ଦଳ ପ୍ରଚେଷ୍ଟା କରୁଛନ୍ତି। ଦୁଇ ଜାତୀୟ ଦଳ କଂଗ୍ରେସ ଓ ବିଜେପିର ଛତିଶଗଡ଼ ନେତା ଏଠାରେ ପ୍ରଚାର କରିବା ସହ ନିର୍ବାଚନ ପରିଚାଳନାରେ ପ୍ରମୁଖ ଭୂମିକା ତୁଲାଉଛନ୍ତିି। ବିଜେପି ପ୍ରାର୍ଥୀଙ୍କ ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ମନ୍ତ୍ରୀ ଓ ନେତା ପ୍ରଚାରରେ ସାମିଲ ହୋଇଥିବାବେଳେ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ସେଠାକାର କେତେକ ଦଳୀୟ ନେତା ଓ ବିଧାୟକ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ।

ନୂଆପଡ଼ା ନିର୍ବାଚନମଣ୍ଡଳୀରେ ପ୍ରାୟ ୪୫ ହଜାରରୁ ଅଧିକ ଯାଦବ ଭୋଟ୍ ରହିଛି। ୨୦୨୪ ସାଧାରଣ ନିର୍ବାଚନରେ ଯାଦବ ଭୋଟ୍ ହାତେଇବାକୁ ଲମ୍ବୋଦର ନିଆଲଙ୍କୁ ବିଜେଡି ସାଂସଦ ପ୍ରାର୍ଥୀ କରିଥିଲା। ମାତ୍ର ଏହି ଉପନିର୍ବାଚନ ସମୟରେ ଶ୍ରୀ ନିଆଲ ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି। ଲମ୍ବୋଦରଙ୍କ ସମେତ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ୍‌, ହିତେଶ ବଗର୍ତ୍ତିଙ୍କ ଭଳି ନେତା ଯାଦବ ଭୋଟ୍‌ ବିଜେପି ସପକ୍ଷକୁ ଟାଣିବାକୁ ଉଦ୍ୟମ ଚଳାଇଛନ୍ତି। ସେହିପରି ବିଜେଡି ନନ୍ଦଲାଲ ସିଂ, ରାଜୁ ଘିବେଲାଙ୍କ ଭଳି ଯାଦବ ନେତାଙ୍କୁ ପ୍ରଚାରରେ ସାମିଲ କରି ଯାଦବ ଭୋଟ୍‌ ନେବାକୁ ପ୍ରଚେଷ୍ଟା କରିଛି। ବିଜେଡି-ବିଜେପିକୁ ଟକ୍କର ଦେଇ କଂଗ୍ରେସ ମଧ୍ୟ ପ୍ରଚାର କରୁଛି।

ଅନ୍ୟପକ୍ଷରେ ଜାତୀୟ ରାଜନୀତିରେ ଯାଦବ ନେତା ଭାବେ ପରିଚିତ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ନୂଆପଡ଼ା ଆସି ଦଳୀୟ ପ୍ରାର୍ଥୀ ରମାକାନ୍ତ ହାତୀଙ୍କ ପାଇଁ ଶେଷଦିନରେ ଭୋଟ୍‌ ମାଗିଛନ୍ତି। ଯାଦବ ଭୋଟ୍ ହାତେଇବାକୁ ସବୁ ଦଳ ଆପ୍ରାଣ ଉଦ୍ୟମ କରୁଥିଲେ ମଧ୍ୟ ମତଦାତା କୁଆଡ଼େ ଢଳି‌େ‌ବ ତାହା ଚର୍ଚ୍ଚାର ବିଷୟ ହୋଇଛି। ଏହି ଉପନିର୍ବାଚନରେ ‘ଲରିଆ’ ଓ ଯାଦବ ଭୋଟ୍ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି। ଏହି ଭୋଟ୍‌ ଯେଉଁ ଦଳ ସପକ୍ଷକୁ ଯିବ ସେ ଦଳର ପ୍ରାର୍ଥୀ ନିର୍ବାଚନରେ ବାଜିମାତ୍‌ କରି‌େ‌ବ ବୋଲି ସମଗ୍ର ନିର୍ବାଚନମଣ୍ଡଳୀରେ ଆଲୋଚନା ହେଉଛି।

ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩ ଥର ପ୍ରଚାର କରିଛନ୍ତି। ଉପନିର୍ବାଚନ ଘୋଷଣା ହେବା ପୂର୍ବରୁ ମୋହନ ୨ ଥର ନୂଆପଡ଼ା ଯାଇଥିଲେ। ମୁଖ୍ୟମନ୍ତ୍ରୀ ମୋହନଙ୍କ ସମେତ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ଦଳର ତୁଙ୍ଗନେତା, ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ମାରାଥନ ପ୍ରଚାର କରିଥିଲେ। ସେହିପରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଦଳର ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦୁଇଥର ପ୍ରଚାର କରିଛନ୍ତି। କୋମନାରେ ସାଧାରଣ ସଭା କରିବା ସହ ଖରିଆର ରୋଡ୍ ଓ ନୂଆପଡ଼ାରେ ରୋଡ୍‌ ଶୋ’ ଏବଂ ସଭା କରି ଭୋଟ ମାଗିଥିଲେ ନବୀନ। ଦଳର ଟାଣୁଆ ନେତା, ବିଧାୟକ, ପୂର୍ବତନ ମନ୍ତ୍ରୀ ପ୍ରମୁଖ ପ୍ରଚାରର ମଙ୍ଗ ଧରିଥିଲେ। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ ପିସିସି ସଭାପତି ଭକ୍ତଚରଣ ଦାସ ପ୍ରଚାରର ନେତୃତ୍ବ ନେଇଥିବାବେଳେ ଦଳର ବିଧାୟକ, ଏକମାତ୍ର ସାଂସଦ ସପ୍ତଗିରି ଉଲାକାଙ୍କ ସମେତ ଏକାଧିକ ପୂର୍ବତନ ପିସିସି ସଭାପତି, ପୂର୍ବତନ ମନ୍ତ୍ରୀ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭୋଟ୍‌ ମାଗିଥିଲେ। ତିନି ଦଳର ହେଭିୱେଟ୍‌ ନେତା ମାରାଥନ ପ୍ରଚାର କରିଥିବାବେଳେ କେଉଁ ଦଳ ବାଜି ମାରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories