www.samajalive.in
Sunday, December 14, 2025
19.1 C
Bhubaneswar

ଆଜି ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା

ଅଯୋଧ୍ୟା : କୋଟି କୋଟି ଭାରତୀୟଙ୍କର ଦୀର୍ଘ ପ୍ରାୟ ୫୦୦ ବର୍ଷର ଏକ ବଡ ସ୍ବପ୍ନ ସାକାର ହେବାକୁ ଯାଉଛି। ଉତ୍ତରପ୍ରଦେଶ ଅଯୋଧ୍ୟାରେ ନିର୍ମିତ ଶ୍ରୀରାମ ମନ୍ଦିର ସୋମବାର ପ୍ରତିଷ୍ଠା କରାଯିବ। ମନ୍ଦିର ପ୍ରତିଷ୍ଠା ସହିତ ଏଠାରେ ବିରାଜମାନ କରିଥିବା ପ୍ରଭୁ ରାମଲାଲାଙ୍କ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା କରାଯିବ। ଏଥିପାଇଁ ଅଯୋଧ୍ୟା ସମେତ ସମଗ୍ର ଦେଶ ଉତ୍ସବ ମୁଖର ହୋଇଉଠିଛି। ଚାରିଆଡେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।  ଦେଶର ସମସ୍ତ ମଠ, ମନ୍ଦିର ଓ ଧାର୍ମିକ ଅନୁଷ୍ଠାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଯଜମାନଭାବେ ଯୋଗ ଦେଇ ମନ୍ଦିର ପ୍ରତିଷ୍ଠା କରିବେ। ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହିତ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସରସଂଘଚାଳକ ମୋହନ ଭାଗବତ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଭାପତି ମହନ୍ତ ନିତ୍ୟଗୋପାଳ ଦାସ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେବେ।

ଏହି ପ୍ରତିଷ୍ଠା ଉତ୍ସବ ନିମନ୍ତେ ଗତ ମଙ୍ଗଳବାର ଠାରୁ ବିଭିନ୍ନ ପ୍ରକାର ପୂଜାବିଧି ଓ ହୋମ ଯଜ୍ଞ ଚାଲିଛି। ଏହି ପୂଜାପାଠରେ ୧୨୧ ଜଣ ବ୍ରାହ୍ମଣ ନିୟୋଜିତ ହୋଇଛନ୍ତି। ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାର୍ଯ୍ୟକ୍ରମ ସୋମବାର ଅପରାହ୍ଣ ୧୨ଟା ୨୦ରୁ ଅପରାହ୍ଣ ୧ଟା ମଧ୍ୟରେ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମ ଅନୁଯାୟୀ ପୂର୍ବାହ୍ନ ୧୧ଟା ୩୦ରେ ଅତିଥିମାନଙ୍କର ଆଗମନ ହେବ। କାର୍ଯ୍ୟକ୍ରମ ଶେଷରେ ଅତିଥିମାନେ ଉଦ୍‌ବୋଧନ ଦେବେ। ପରେ ସାଧୁସନ୍ଥ ଓ ଅନ୍ୟାନ୍ୟ ଆମନ୍ତ୍ରିତ ଅତିଥିମାନେ ପ୍ରଭୁ ରାମଲାଲାଙ୍କୁ ଦର୍ଶନ କରିବେ।
ସୋମବାର ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମକୁ ସକାଳ ୭ଟାରୁ ଦୂରଦର୍ଶନ, ଅନ୍ୟାନ୍ୟ ଟିଭି ଚାନେଲ, ୟୁଟ୍ୟୁବ୍ ଚାନେଲରେ ସିଧା ପ୍ରସାରଣ କରାଯିବ। ଏହି ଆଧ୍ୟାତ୍ମିକ ମୁହୂର୍ତ୍ତର ଟେଲିଭିଜନ ପ୍ରସାରଣକୁ ଦେଖିବା ଲାଗି ଦେଶବ୍ୟାପୀ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡିକ ପକ୍ଷରୁ ଛୁଟି ଘୋଷଣା କରାଯାଇଛି। ଏହି ଭବ୍ୟ ଉତ୍ସବରେ ଯୋଗ ଦେବା ଲାଗି ଦେଶ ବିଦେଶରୁ ହଜାର ହଜାର ସାଧୁ ସନ୍ଥ, ପଣ୍ଡିତ, ଅତିଥି ଅଯୋଧ୍ୟାରେ ପହଞ୍ଚିଛନ୍ତି। ଏଥିପାଇଁ ମନ୍ଦିର ନିର୍ମାଣ କମିଟି, ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ, ବିଶ୍ବ ହିନ୍ଦୁ ପରିଷଦ, କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

- Advertisement -

ଶ୍ରୀରାମ ମନ୍ଦିର ସହିତ ଅଯୋଧ୍ୟା ନଗରୀକୁ ଫୁଲ ଓ ରଙ୍ଗିନ ଆଲୋକମାଳାରେ ସଜ୍ଜିତ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ପାଇଁ ଅଯୋଧ୍ୟାରେ ୧୩ ହଜାର ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଏପରିକି କୌଣସି ପ୍ରକାର ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ଅଗ୍ନିଶମ ଓ ଏନଡିଆରଏଫ୍‌ ବାହିନୀ ନିୟୋଜିତ କରାଯାଇଛି। ଭିଭିଆଇପିଙ୍କ ଗାଡିଗୁଡିକ ପାର୍କିଂ କରିବା ଲାଗି ୫୧ଟି ସ୍ଥାନ ଚିହ୍ନଟ କରାଯାଇଛି। ଏହିସବୁ ସ୍ଥାନରେ ୨୨,୮୨୫ ଗାଡି ରହିବ। ସୁରକ୍ଷା ଦୃଷ୍ଟିରୁ ନିମନ୍ତ୍ରିତ ଅତିଥିମାନଙ୍କୁ ପୂର୍ବାହ୍ଣ ୧୧ଟା ପୂର୍ବରୁ ଆସନ ଗ୍ରହଣ କରିବାକୁ କୁହାଯାଇଛି। ଏହା ସହିତ ଅତିଥିମାନଙ୍କୁ ସାଥିରେ ଆଣିଥିବା ଫୋନ, କ୍ୟାମେରା, ଜୋତା ଇତ୍ୟାଦି ବସିବା ସ୍ଥାନକୁ ନ ନେବାକୁ କୁହାଯାଇଛି। ଅତିଥିମାନଙ୍କ ନିମନ୍ତେ ସେମାନଙ୍କ ବସିବା ସ୍ଥାନରେ ଖାଦ୍ୟପେୟ ଯୋଗାଇ ଦିଆଯିବ। ଅତିଥିମାନେ ସେମାନଙ୍କ ଆଧାର ପରିଚୟପତ୍ର ଓ ନିମନ୍ତ୍ରଣ ପତ୍ର ଦେଖାଇ ଉତ୍ସବ ସ୍ଥଳକୁ ପ୍ରବେଶ କରିବେ। ଏଥିପାଇଁ ସମସ୍ତଙ୍କୁ ମାର୍ଗଦର୍ଶିକା ଜାରି କରାଯାଇଛି।

ମନ୍ଦିର ପ୍ରତିଷ୍ଠା ଲାଗି ବିଭିନ୍ନ ସ୍ଥାନରୁ ଅନେକ ପ୍ରକାର ଉପହାର ଅଯୋଧ୍ୟାରେ ପହଞ୍ଚିବାରେ ଲାଗିଛି। ଭଗବାନଙ୍କଠାରେ ଲାଗି ହେବା ଲାଗି ପ୍ରସାଦ ଠାରୁ କୁଙ୍କୁମ୍ ମନ୍ଦିରରେ ପହଞ୍ଚିଛି। ମାତା ସୀତାଙ୍କର ଜନ୍ମସ୍ଥାନ ନେପାଳର ଜନକପୁରରୁ ୩୦୦୦ ପ୍ରକାରର ଉପହାର ଆସିଛି। ସେହିପରି ଶ୍ରୀଲଙ୍କାର ପ୍ରତିନିଧି ଅଶୋକ ବନରୁ ସ୍ବତନ୍ତ୍ର ଉପହାର ଆଣିଛନ୍ତି। ସୋମବାର ମନ୍ଦିର ପ୍ରତିଷ୍ଠା ପରେ ଜାନୁଆରୀ ୨୩ ତାରିଖରୁ ମନ୍ଦିରକୁ ସାଧାରଣ ଭକ୍ତଙ୍କ ଦର୍ଶନ ନିମନ୍ତେ ଖୋଲାଯିବ ବୋଲି ମନ୍ଦିର ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories