www.samajalive.in
Saturday, December 6, 2025
15.1 C
Bhubaneswar

ଚମ୍ପିୟାନ୍ସ ଟ୍ରଫି: ଆଜି ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ ଲଢ଼େଇ

ଦୁବାଇ : ଚଳିତ ଚମ୍ପିଆନ୍‌ସ ଟ୍ରଫି ଏବେ ନକ୍‌ଆଉଟ୍‌ ପର୍ଯ୍ୟାୟ​‌ରେ ପ୍ରବେଶ କରିଛି। ଏବେ ୪ଟି ଦଳ ଟାଇଟଲ ଦୌଡ଼ରେ ରହିଛନ୍ତି। ଚଳିତ ସଂସ୍କରଣରେ ଏକମାତ୍ର ଦଳ ଭାବେ ସମସ୍ତ ଲିଗ୍‌ ଜିତିଥିବା ଭାରତ ଆଜି  ପ୍ରଥମ ସେମିଫାଇନାଲ ଖେଳିବାକୁ ଯାଉଛି। ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଏହି ସେମିଫାଇନାଲ ଖେଳିବ। ଏହି ମ୍ୟାଚ୍‌ ୨୦୨୩ ଦିନିକିଆ ବିଶ୍ବକପ୍‌ ଫାଇନାଲର ପୁନରାବୃତ୍ତି ହେବାକୁ ଯାଉଛି। ଉକ୍ତ ଫାଇନାଲରେ ଭାରତକୁ ପରାସ୍ତକରି ଅଷ୍ଟ୍ରେଲିଆ ଚମ୍ପିଆନ୍ ହୋଇଥିଲା। ଏହାର ପ୍ରତିଶୋଧ ଲକ୍ଷ୍ୟ ନେଇ ଭାରତ ଖେଳିବ। ସୂଚନାଯୋଗ୍ୟ; ଚମ୍ପିଆନ୍‌ସ ଟ୍ରଫି ଇତିହାସରେ ଅଷ୍ଟ୍ରେଲିଆ ଓ ଭାରତ ଦୁଇ ସଫଳତମ ଦଳ। ଉଭୟ ଦଳ ୨ ଥର ଲେଖାଏଁ ଚମ୍ପିଆନ୍ ହୋଇଛନ୍ତି। ତେଣୁ କ୍ରିକେଟ୍‌ ଦୁନିଆର ଏହି ଦୁଇ ମହାଶକ୍ତି ମଧ୍ୟ‌େ​‌ର ଲଢ଼େଇକୁ ସାରା ବିଶ୍ବ ଅପେକ୍ଷା କରିଛି। ପାକିସ୍ତାନରେ ଚମ୍ପିଆନ୍‌ସ ଟ୍ରଫି ଆୟୋଜନ ଭାରତ ପାଇଁ ପରୋକ୍ଷରେ ଆଶୀର୍ବାଦ ହୋଇଛି। ଭାରତ ତା’ର ସମସ୍ତ ମ୍ୟାଚ୍‌ ଦୁବାଇର ଗୋଟିଏ ଷ୍ଟାଡିୟମ୍‌ରେ ଖେଳୁଛି। ତେଣୁ ଏଠାକାର ପିଚ୍ ଓ ବାତାବରଣ ସହ ଭାରତ ଭଲ ଭାବେ ପରିଚିତ। ଏଠାରେ ଭାରତ ତା’ର ୩ଟିଯାକ ଲିଗ୍‌ ମ୍ୟାଚ୍‌ ସହଜରେ ଜିତିଛି। ଶେଷ ଲିଗ୍‌ ମ୍ୟାଚ୍‌ରେ ଭାରତକୁ ନ୍ୟୁଜିଲାଣ୍ଡ କଡ଼ା ଆହ୍ବାନ ଦେବ ବୋଲି ଆଶା ଥିଲା। ହେଲେ ଉକ୍ତ ମ୍ୟାଚ୍‌ରେ ଭାରତ ତା’ର ଅକାଟ୍ୟ ଅସ୍ତ୍ର ବା ସ୍ପିନ୍‌ବ୍ୟୁହ ରଚନା କରିଥିଲା। ମାତ୍ର ଜଣେ ପେସ୍‌ ବୋଲର ଓ ୪ ଜଣ ସ୍ପିନରଙ୍କୁ ନେଇ ଭାରତ ଖେଳିଥିଲା। ଏହି ୪ ସ୍ପିନର ମିଳିତ ଭାବେ ୯ଟି ୱିକେଟ୍‌ ନେବାରୁ ଭାରତ ୪୪ ରନ୍‌ରେ ଜିତି ପାରିଥିଲା। ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ସେମିଫାଇନାଲରେ ଭାରତୀୟ ଦଳ ଏହି ରଣନୀତି ଆପଣାଇଲେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। କାରଣ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ପରି ଫାଇନାଲରେ ମଧ୍ୟ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ର ପିଚ୍‌ ଶୁଖିଲା ରହିବ ଏବଂ ସ୍ପିନରଙ୍କୁ ସୁହାଇବ। ଫଳରେ ଭାରତ ତା’ର ଏକାଦଶରେ କିଛି ପରିବର୍ତ୍ତନ କରିନପାରେ। ଅଷ୍ଟ୍ରେଲିଆ ଦଳରେ ପ୍ରମୁଖ ୬ ଜଣ ଖେଳାଳି ନଥିଲେ ହେଁ ଅଦ୍ୟାବଧି ଏହା ଭଲ ପ୍ରଦର୍ଶନ କରିଛି। ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆର ପ୍ରଥମ ଲିଗ୍‌ ମ୍ୟାଚ୍‌ରେ ଫଳାଫଳ ବାହାରିଥିବା ବେଳେ ବାକି ୨ଟି ମ୍ୟାଚ୍‌ ବାତିଲ ହୋଇଛି। ତେଣୁ ମ୍ୟାଚ୍‌ ଅଭ୍ୟାସ ପ୍ରସଙ୍ଗରେ ଭାରତଠାରୁ ଅଷ୍ଟ୍ରେଲିଆ ପଛରେ ରହିବ। ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ବିଜୟ ଅଦ୍ୟାବଧି ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଇଂଲଣ୍ଡ ୮ ୱିକେଟ୍‌ରେ ୩୫୧ ରନ୍‌ କରିଥିଲା। ଅଷ୍ଟ୍ରେଲିଆ ୧୩୬ ରନ୍‌ରେ ୪ଟି ୱିକେଟ୍‌ ହରାଇବା ପରେ ଜୋସ୍‌ ଇଙ୍ଗଲିସ ୮୬ ବଲ୍‌ରୁ ଅପରାଜିତ ୧୨୦ ରନ୍‌ କରିବାରୁ ଏହା ଜିତିଥିଲା। ଶ୍ରୀଲଙ୍କା ଓ ପାକିସ୍ତାନଠାରୁ ଦିନିକିଆ ଶୃଙ୍ଖଳା ହାରିବା ସତ୍ତ୍ବେ ବିଶ୍ବ ଚମ୍ପିଆନ୍‌ ଅଷ୍ଟ୍ରେଲିଆକୁ ଦୁର୍ବଳ ମଣିବା ଠିକ୍‌ ହେବନାହିଁ। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ସମ୍ପୂର୍ଣ୍ଣ ବାତିଲ ପରେ ଶେଷ ମ୍ୟାଚ୍‌ରେ ଆଫ୍‌ଗାନିସ୍ତାନକୁ ୨୭୩ ରନ୍‌ରେ ଅଷ୍ଟ୍ରେଲିଆ ରୋକିଥିଲା। ପରେ ୧୩ ଓଭର ପୂରିବା ପୂର୍ବରୁ ଏହା ୧୦୯ ରନ୍‌ରେ ପହଞ୍ଚି ସାରିଥିଲା। ଅଷ୍ଟ୍ରେଲିଆର ଦୁଇ ବାମହାତି ପେସ୍‌ ବୋଲର ସ୍ପେନ୍‌ସର ଜନ୍‌ସନ ଓ ବେନ୍‌ ଡ୍ବାର୍‌ସିଅସ୍ ଭଲ ବୋଲିଂ କରୁଛନ୍ତି। ତେବେ ଦୁବାଇ ପିଚ୍‌ରେ ଭାରତକୁ ଅସୁବିଧା​‌ରେ ପକାଇ ପାରନ୍ତି ଲେଗ୍‌ସ୍ପିନର ଆଡାମ୍ ଜାମ୍ପା। ଭାରତୀୟ ସ୍ପିନ୍‌ ଆକ୍ରମଣ ଯୋଜନାକୁ ପଣ୍ଡ କରିପାରନ୍ତି ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ଓ ମାର୍ନସ ଲାବୁସେନ୍‌। ଦୁହେଁ ସ୍ପିନ୍ ବିପକ୍ଷରେ ଭଲ ବ୍ୟାଟ୍‌ସମ୍ୟାନ। ତେବେ ଭାରତକୁ ମନେ ରଖିବାକୁ ହେବ ଯେ ଗତ ୨ ବର୍ଷରେ ଭାରତକୁ ନିୟମିତ ଭାବେ ନାକେଦମ୍ କରିଛନ୍ତି ଓପ୍‌ନର ଟ୍ରାଭିସ୍‌ ହେଡ୍‌। ତାଙ୍କୁ ଜଲ୍‌ଦି ଆଉଟ୍‌ କରିବାକୁ ଭାରତ ଚାହିଁବ। ଆଇସିସି ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ଏକ ଭଲ ଦଳ। ଅଷ୍ଟ୍ରେଲିଆର ଓପ୍‌ନର ମାଥ୍ୟୁ ସର୍ଟ ଆହତ ହୋଇଥିବାରୁ ଜୋସ୍‌ ଇଙ୍ଗ୍‌ଲିସ ଓପନ୍‌ କରିପାରନ୍ତି। ଫଳରେ ଦଳରେ ସଦ୍ୟ ସାମିଲ ହୋଇଥିବା ନୂଆ ଅଲ୍‌ରାଉଣ୍ଡର କୁପର କନୋଲି ମଧ୍ୟକ୍ରମରେ ଖେଳିପାରନ୍ତି। ହେଲେ ସମସ୍ତ କଥା ବିଚାର କଲେ ମଙ୍ଗଳବାର ସେମିଫାଇନାଲ ଜିତିବା ପାଇଁ ଭାରତୀୟ ଦଳ ଫେଭରିଟ୍‌।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories