ଅଚଳ ହେବ ଟିଟୋ ବ୍ୟାଙ୍କ ଆକାଉଣ୍ଟ
ଭୁବନେଶ୍ୱର : କେନ୍ଦ୍ରାପଡ଼ାର ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍ ସୟଦ ଉସ୍ମାନ୍ ଅଲ୍ଲୀକୁ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ୫ ଦିନିଆ ହେପାଜତରେ ଆଣିବା ପରେ ତା’ର ଏକାଧିକ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ଓ ସହଯୋଗୀଙ୍କ ଉପରେ ଚଢଉ ଜାରି ରଖିଛି । ଗତକାଲି ରାତିରେ ଏସ୍ଟିଏଫ ତା’ର ସହଯୋଗୀ କ୍ଷୀରୋଦକୁ କେନ୍ଦ୍ରାପଡ଼ା ସାନମଙ୍ଗଳା ଘରୁ ଉଠାଇ ନେଇଛି । ଟିଟୋର ବ୍ୟସାୟିକ ପ୍ରତିଷ୍ଠାନ ଓ ଘରୁ ଜବତ ହୋଇଥିବା ୧୨ଟି ବ୍ୟାଙ୍କ ପାସବୁକ୍କୁ ଆଜି ଯାଞ୍ଚ କରାଯାଇଛି । ବିଶେଷକରି ବିଦେଶରେ ତା’ର ପୁଞ୍ଜି ଲାଗିଥିବା ଖବର ଏସ୍ଟିଏଫର ମୁଣ୍ଡ ବିନ୍ଧାର କାରଣ ହୋଇଛି । ଏ ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରାଯିବା ସହ ତୁରନ୍ତ ଟିଟୋର ସମସ୍ତ ଆକାଉଣ୍ଟକୁ ଅଚଳ କରିବା ପାଇଁ କାର୍ୟ୍ୟାନୁଷ୍ଠନ ଆରମ୍ଭ ହୋଇଛି ବୋଲି ଡିଆଇଜି ହିମାଂଶୁ ଲାଲ କହିଛନ୍ତି।
ଶୁକ୍ରବାର ତା’ର ବାସଭବନକୁ ମିଶାଇ ୮ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ବିଶେଷକରି ତା’ ଘର, ବ୍ୟବସାୟିକ ପ୍ରତିଷ୍ଠାନ ଓ କାର୍ୟ୍ୟାଳୟ ଉପରେ ଅତର୍କିତ ଚଢଉ ହୋଇଥିଲା । ସେଠାରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର,କମ୍ପ୍ୟୁଟର,ଲାପ୍ଟପ,୩୫ଟି ଗାଡ଼ି (ଟିପର ଓ ଜେସିବି ମେସିନ) ଜବତ କରାଯାଇଥିଲା । ସେହିପରି ଟିଟୋର କୋବ୍ରା ଟ୍ରାନ୍ସପୋର୍ଟ ଅଫିସ, କେନ୍ଦ୍ରାପଡ଼ା ବାଇପାସ୍ରେ ଥିବା ସମ୍ବୁଲ ଟ୍ରେଡର୍ସ ଅନୁଷ୍ଠାନ, ପଟ୍ଟାମୁଣ୍ଡାଇଠାରେ ଥିବା ବାଇକ୍ ଶୋ’ରୁମ୍, କେନ୍ଦ୍ରାପଡା ଓ ପାରାଦ୍ୱୀପଠାରେ ଥିବା ପେଟ୍ରୋଲ୍ପମ୍ପ,ଷ୍ଟିଭେଡର୍ସ ଅଫିସ ବେନାଜିର ଇନ୍ଫ୍ରା ପ୍ରାଇଭେଟ୍ ଲିମିଟେଡ଼ ଉପରେ ଚଢ଼ଉ କରାଯିବା ସହ ରାତିରେ କେନ୍ଦ୍ରାପଡ଼ା ବାଇପାସ ଓ ପାରାଦ୍ୱୀପରେ ଥିବା ପେଟ୍ରୋଲପମ୍ପକୁ ମଧ୍ୟ ସିଲ୍ କରାଯାଇଥିଲା।
ବିଶେଷକରି ଟିଟୋ ବ୍ୟବସାୟ ଓ ବ୍ୟାଙ୍କ ଜମା ଜାଣିବାକୁ ତା’ର ସମ୍ପର୍କୀୟ ଓ ସହଯୋଗୀଙ୍କ ଘର ଉପରେ ଚଢ଼ଉ କରାଯାଇଥିଲା । କେନ୍ଦ୍ରାପଡ଼ା ଦିଲାରପୁରସ୍ଥିତ ତା’ର ଭାଇ ଘର ଉପରେ ମଧ୍ୟ ଚଢ଼ଉ କରାଯାଇଥିଲା। ଟିଟୋର ଆୟବ୍ୟୟର ହିସାବ ପାଇବାକୁ ଏସ୍ଟିଏଫ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ନିକଟରୁ ହାସଲ କରିଥିବା ଦସ୍ତାବିଜକୁ ମଧ୍ୟ ଯାଞ୍ଚ କରାଯାଉଛି ବୋଲି ଏସ୍ଟିଏଫ ପକ୍ଷରୁ କୁହାଯାଇଛି।