ଦୀର୍ଘ ବର୍ଷ ହେବ ନିଜର ପ୍ରାପ୍ୟ ପାଇନଥିବା ଅଭିଯୋଗ ଆଣିଲେ ଶ୍ରମିକ

ଟିଟିଲାଗଡ : ବଲାଙ୍ଗୀର ଜିଲା ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଚୋରମରା ପେପର ମିଲରେ ପୂର୍ବରୁ କାର୍ଯ୍ୟରତ ୨୮୨ଜଣ ଶ୍ରମିକଙ୍କ ମଜୁରି, ଏଲଆଇସି, ଇପିଏଫ ଆଦି ୨୧ଲକ୍ଷ ୬୯ ହଜାର ୬ଶହ ଟଙ୍କା ବକେୟା ପାଉଣା କାରଖାନା ମାଲିକ ଦୀର୍ଘ ୮ ବର୍ଷ ହେବ ପ୍ରଦାନ କରିନଥିବା ପେପର ମିଲ ଶ୍ରମିକ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି। ଗତ ସୋମବାର ଶ୍ରମିକ ଏନେଇ ଟିଟିଲାଗଡ ଉପଜିଲାପାଳଙ୍କ ଠାରେ ଫେରାଦ ହୋଇଥିବା ବେଳେ ମଙ୍ଗଳବାର କାରଖାନା ସମ୍ମୁଖରେ ଧାରଣା ଦେଇଥିଲେ। ଏହାକୁ ନେଇ କାରଖାନା କତୃପକ୍ଷ ଶ୍ରମିକଙ୍କ ନାମରେ ଥାନାରେ ମିଥ୍ୟା ଅଭିଯୋଗ ଦାଖଲ କରିଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ବୁଧବାର ଟିଟିଲାଗଡ ପୁଲିସର ଡାକରା ପାଇ ଗୁରୁବାର ଶତାଧିକ ଶ୍ରମିକ ଥାନାରେ ପହଞ୍ଚିଥିଲେ। ଶ୍ରମିକଙ୍କ ଅଭିଯୋଗ ଅନୁସାରେ, ୨୦୧୦-୧୧ରେ ଏହି କାରଖାନାଟି ମାଲିକ ବନ୍ଦ କରିଦେଇଥିବା ବେଳେ ବକେୟା ମଜୁରି ସମେତ ଇପିଏଫ, ଏଲଆଇସି ପ୍ରିମିୟମ ବାବଦକୁ କାଟି ରଖାଯାଇଥିବା ରାଶି ମଧ୍ୟ ଆତ୍ମସାତ କରାଯାଇଛି। ୩/୪ ମାସର ପାଉଣା ବକେୟା ସହ ଅଚାନକ ନିଯୁକ୍ତି ହରାଇଥିବା ଶ୍ରମିକ ପରିବାର ଭାଙ୍ଗି ପଡିଥିବା ବେଳେ ଏନେଇ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଅଦ୍ୟାବଧି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି।

prayash

ଶ୍ରମିକଙ୍କ ପ୍ରାପ୍ୟ ନେଇ ପୂର୍ବରୁ ଗତ ୧୯.୧.୨୦୧୧ରେ ଟିଟିଲାଗଡ ଉପଜିଲାପାଳ, ବଲାଙ୍ଗୀର ଜିଲା ଶ୍ରମ ଅଧିକାରୀ, କମ୍ପାନୀର ଏମଡି, ଡାଇରେକ୍ଟର, କମର୍ସିଆଲ ମ୍ୟାନେଜର ତଥା ଶ୍ରମିକ ପ୍ରତିନିଧିଙ୍କ ମଧ୍ୟରେ ଉପଜିଲାପାଳଙ୍କ ପ୍ରକୋଷ୍ଠରେ ଏକ ରାଜିନାମା ସାକ୍ଷରିତ ହୋଇଥିବା ଜଣାପଡ଼ିଛି। ରାଜିନାମା ମୁତାବକ କମ୍ପାନୀ କତୃପକ୍ଷ ଶ୍ରମିକଙ୍କୁ ସେମାନଙ୍କ ପ୍ରାପ୍ୟ ୪୫ଦିନ ମଧ୍ୟରେ ପ୍ରଦାନ କରିବ ବୋଲି ପ୍ରତଶ୍ରୁତି ଦେଇଥିଲେ। ହେଲେ କମ୍ପାନୀ ଅଦ୍ୟାବଧି ଶ୍ରମିକଙ୍କ ପ୍ରାପ୍ୟ ପ୍ରଦାନରେ ଟାଳଟୁଳ ନୀତି ଆପଣାଉଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ପ୍ରାୟ ୮ ବର୍ଷ ଧରି ବନ୍ଦ ରହିବା ପରେ କାରଖାନାକୁ ପୁଣି ଖୋଲିବାକୁ କାର୍ଯ୍ୟ ଆରମ୍ଭ ହୋଇଛି। ଏନେଇ ଶ୍ରମିକ ସେମାନଙ୍କ ବକେୟା ପାଉଣା ଦାବି କରୁଛନ୍ତି। ଅପରପକ୍ଷରେ ଗୁରୁବାର ଥାନାରେ ପୁଲିସ ଉପସ୍ଥିତିରେ କାରଖାନା ପ୍ରତିନିଧି ଏବଂ ଶ୍ରମିକଙ୍କ ମଧ୍ୟରେ ଆପୋଷ ଆଲୋଚନା ହୋଇଥିବା ଜଣାଯାଇଛି। ଆସନ୍ତା କାଲି ଥାନାରେ ପୁଣି ଆଲୋଚନା ହେବ ବୋଲି ପୁଲିସ କହିଥିବାରୁ ଶ୍ରମିକମାନେ ଫେରିଯାଇଥିବା ଜଣାପଡିଛି।

Comments are closed.