www.samajalive.in
Saturday, December 6, 2025
19.1 C
Bhubaneswar

ଚାରା ରୋପଣ କରି ଅଡୁଆରେ ବନବିଭାଗ, ତେଜୁଛି ଶ୍ରମିକ ଅସନ୍ତୋଷ

ଟିଟିଲାଗଡ଼: ତତଲାଗଡ ରୁପେ ପରିଚିତ ଟିଟିଲାଗଡ ବନାଂଚଳରେ ଚଳିତ ବର୍ଷ ରେକର୍ଡ ପରିମାଣରେ ଚାରା ରୋପଣ ହୋଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁର ଗ୍ରୀନ ଇଣ୍ଡିଆ ମିଶନ ଯୋଜନାରେ ପ୍ରାୟ ୧୩୦୦ ହେକ୍ଟର ଅଂଚଳରେ ଚାରା ରୋପଣ କରାଯାଇଥିଲା। ଏଏନଆର, ଏଆର ସ୍କିମ ଏବଂ ରାସ୍ତା କଡରେ ଏନେଇ ପ୍ରାୟ ୩ ଲକ୍ଷ ୧୯ ହଜାର ଆଠ ଶହ ଚାରା ରୋପଣ କରାଯାଇଥିବା ଜଣାଯାଇଛି।

ଏନେଇ ଗତ ଜାନୁଆରୀ ମାସରୁ ଟିଟିଲାଗଡ ରେଞ୍ଜ ଅନ୍ତର୍ଗତ ବେଲଗାଁ, ସିକେର, ବଡମାଳ ଏବଂ ଟିଟିଲାଗଡ ଫରେଷ୍ଟ ବିଟ ଅଂଚଳର ୭ଟି ସ୍ଥାନରେ ଚାରା ଉତ୍ପାଦନ ପ୍ରକ୍ରିୟା ଆରମ୍ଭ ହୋଇ ବର୍ଷା ଋତୁରେ ଚାରା ରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା। ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁଙ୍କ ସମେତ ବିଭିନ୍ନ ଅଂଚଳରେ ସ୍ଥାନୀୟ ବନ ସମିତି ସଦସ୍ୟଙ୍କ ଗହଣରେ ଉତ୍ସାହର ସହ ଚାରା ରୋପଣ କରାଯାଇଥିଲା। ହେଲେ ଚାରା ଉତ୍ପାଦନ ଏବଂ ରୋପଣ କାର୍ଯ୍ୟ ସରିବା ପରେ ମଧ୍ୟ କାର୍ଯ୍ୟରେ ନିୟୋଜିତ ଶତାଧିକ ଶ୍ରମିକଙ୍କୁ ବନବିଭାଗ ଅଦ୍ୟାବଧି ଟଙ୍କାଟିଏ ମଧ୍ୟ ପ୍ରଦାନ କରିନଥିବା ଅଭିଯୋଗ ହୋଇଛି। ଆସନ୍ତା କିଛି ଦିନ ପରେ ପଶ୍ଚିମ ଓଡିଶାର ଗଣପର୍ବ ନୁଆଖାଇ ପାଳିତ ହେବ। ହେଲେ ଶ୍ରମିକ ସେମାନଙ୍କ ପାଉଣା ପାଇଁ ବନରକ୍ଷୀ, ଫରେଷ୍ଟରଙ୍କ କାର୍ଯ୍ୟାଳୟକୁ ଧାଉଁଥିବା ବେଳେ କେହି ଧଧରାଛୁଆଁ ଦେଉନଥିବା ଅଭିଯୋଗ ହୋଇଛି।

- Advertisement -

କରୋନା ମହାମାରି ସମୟରେ ଗ୍ରାମାଂଚଳର ଲୋକଙ୍କୁ ଡାକି କାମରେ ଲଗାଇ ପାଉଣା ଦେଇନପାରିବା ଯୋଗୁଁ ଏବେ ରୋଷର ଶିକାର ହୋଇ ଅଡୁଆ ଧରିଥିବା କିଛି ବନକର୍ମଚାରୀ କହିଛନ୍ତି। ଅପରପକ୍ଷରେ ଫରେଷ୍ଟର ହଇରାଣ କରୁଥିବା ଅଭିଯୋଗ କରି ପାଉଣା ପାଇଁ ବିଭିନ୍ନ ଅଂଚଳରୁ ଶ୍ରମିକ, ଶ୍ରମିକ ନେତା ଟିଟିଲାଗଡ ରେଞ୍ଜରଙ୍କ କାର୍ଯ୍ୟାଳୟକୁ ଧାଉଁଥିବା ଦେଖାଯାଇଛି। ଏନେଇ ରେଞ୍ଜ ଅଧିକାରୀ ଜିତେନ୍ଦ୍ରୀୟ ନନ୍ଦଙ୍କୁ ଯୋଗାଯୋଗ କରିବାରୁ ଆମେ ନିରୁପାୟ ବୋଲି କହିଛନ୍ତି। ସର୍ବମୋଟ ପ୍ରାୟ ୮୦ ଲକ୍ଷ ଟଙ୍କା ଶ୍ରମିକଙ୍କ ପାଉଣା ପ୍ରଦାନ କରିବାକୁ ଅଛି। ହେଲେ ଯୋଜନାରେ ପାଣ୍ଠି ଆସିନାହିଁ। ଚାରା ଉତ୍ପାଦନ ଏବଂ ଚାରା ରୋପଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନେ ଶ୍ରମ ଦିବସ ହିସାବରେ ସରକାରଙ୍କ ଧାର୍ଯ୍ୟ ପାରିଶ୍ରମିକ ପାଇବେ। ନୁଆଖାଇରେ ପାଉଣା ନପାଇବାରୁ ଶ୍ରମିକ ଆମ ଫରେଷ୍ଟର ଏବଂ କର୍ମଚାରୀଙ୍କ ଏବଂ ମୋ ପାଖକୁ ନିତ୍ୟ ଧାଉଁଛନ୍ତି। ଏସମ୍ପର୍କରେ ବଲାଙ୍ଗିର ଡିଏଫଓଙ୍କୁ ଜଣାଇଦେଇଥିବା ରେଞ୍ଜ ଅଧିକାରୀ ଶ୍ରୀ ନନ୍ଦ କହିଛନ୍ତି।

ଏନେଇ ଡିଏଫଓ ସମୀର ରଞ୍ଜନ ଶତପଥିଙ୍କୁ ଯୋଗାଯୋଗ କରିବାରୁ କୌଣସି ଅର୍ଥ ଆସିନଥିବାରୁ ନୁଆଖାଇରେ ଆଉ ପାଉଣା ପ୍ରଦାନ ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି। ଅପରପକ୍ଷରେ ଗଣପର୍ବ ନୁଆଖାଇରେ ଖଟିଖିଆ ଶ୍ରମିକ ମାସ ମାସ ଧରି କାର୍ଯ୍ୟ କରିବା ପରେ ପାଉଣାରୁ ବଂଚିତ ରହିବା ନେଇ ବିଭିନ୍ନ ମହଳରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି। ରାଜ୍ୟ ସରକାର ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେଇ ଶ୍ରମିକ ପାଉଣା ପ୍ରଦାନ ବ୍ୟବସ୍ଥା କରିବାକୁ ଦାବି ହୋଇଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories