ଟିଟିଲାଗଡ଼: ଟିଟିଲାଗଡ଼ବାସୀ କାହାରି ହକ ଛଡାଉନାହାନ୍ତି, ନିଜ ହକ ମାଗୁଛନ୍ତି। ହେଲେ ରାଜ୍ୟ ସରକାର ପ୍ରତାରଣା ପରେ ପ୍ରତାରଣା କରି ଚାଲିଛନ୍ତି। କେବଳ ଯେଉଁ ଅଞ୍ଚଳରେ କାହାରି ମୃତ୍ୟୁ ହେଲେ ସେହି ଅଞ୍ଚଳବାସୀଙ୍କୁ ହକ ଦେବା ପାଇଁ ପ୍ରତିଶୃତି ଦିଆଯାଉଛି। ତାହା ହେଲେ ଏହି ଅଞ୍ଚଳର ହକ ପୁରଣ ପାଇଁ ମୁଁ ମୋ ଜୀବନ ମଧ୍ୟ ଦେବାକୁ ପ୍ରସ୍ତୁତ ବୋଲି ସ୍ଥାନୀୟ ପୌର ସଭାଗୃହରେ ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟିଟିଲାଗଡ଼ ପୌରାଧ୍ୟକ୍ଷା ମମତା ଜୈନ ଭାବବିହ୍ୱଳ ହୋଇ କହିବା ଆଳୋଚନାର ବିଷୟ ହୋଇଛି। ପୌରାଧ୍ୟକ୍ଷ କହିଛନ୍ତି ଯେ ପଦ୍ମପୁର ଉପଖଣ୍ଡକୁ ମୁଖ୍ୟମନ୍ତ୍ରୀଙ୍କ ଜିଲା ମାନ୍ୟତା ଘୋଷଣା ନେଇ ଆମର ପୁର୍ଣ୍ଣ ସମର୍ଥନ ରହିଛି। ହେଲେ ଦୀର୍ଘ ୩୦ ବର୍ଷ ଧରି ଆନ୍ଦୋଳନକୁ ଓହ୍ଲାଇଥିବା ଟିିଟିଲାଗଡ଼ ଉପଖଣ୍ଡବାସୀଙ୍କୁ କାହିଁକି ନ୍ୟାୟ ମିଳିଲା ନାହିଁ ଏହାର ଜବାବ ଟିଟିଲାଗଡ଼ ବିଧାୟିକା ତଥା ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ଦେବାକୁ ପଡ଼ିବ। ଏନେଇ ପ୍ରକୃତ ଷଡଯନ୍ତ୍ରକାରୀ କିଏ ତାହା ମଧ୍ୟ ପଦାକୁ ଆସିବା କଥା ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଟିଟିଲାଗଡ଼ ନଗର ବିଜେପି ସଭାପତି ପ୍ରଶାନ୍ତ ଷଡଙ୍ଗୀ ପ୍ରଶ୍ନ କରିଛନ୍ତି। ଟିଟିଲାଗଡ଼ ଉପଖଣ୍ଡବାସୀଙ୍କ ଦୀର୍ଘ ବର୍ଷ ଧରି ଜାରି ରହିଥିବା ଆନ୍ଦୋଳନ ଏକ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ। ଏହି ଆନ୍ଦୋଳନରେ ଟିଟିଲାଗଡ଼ ଉପଖଣ୍ଡବାସୀଙ୍କ ପ୍ରତ୍ୟେକ ନାଗରିକଙ୍କ ମାନସ୍ୱାଭିମାନ, ସ୍ୱାର୍ଥ ନିହିତ ରହିଛି।
ଏହାକୁ ହାଲୁକା ଭାବରେ ନେଉଥିବା ମନ୍ତ୍ରୀ ଟୁକୁନୀ ସାହୁ ଏବଂ ରାଜ୍ୟ ସରକାର ଆଗାମୀ ଦିନରେ ସ୍ଥାନୀୟ ଜନତାଙ୍କ ତୀବ୍ର ଆକ୍ରୋଶର ସମ୍ମୁଖୀନ ହେବେ ବୋଳି ଶ୍ରୀ ଷଡଙ୍ଗୀ କହିଛନ୍ତି। ବିଜେପି ପୁର୍ବ ପରି ଆଗାମୀ ଦିନରେ ଆନ୍ଦୋଳନକୁ ସମସ୍ତ ପ୍ରକାର ସହଯୋଗ, ସମର୍ଥନ ଜାରି ରଖିବ। ଆସନ୍ତା ୨୦ରେ ଜିଲା କ୍ରିୟାନୁଷ୍ଠାନ କମିଟିର ବୈଠକରେ ବିଜେପି ନେତା ଯୋଗଦେବା ସହ କମିଟିର ନିଷ୍ପତ୍ତି ମୁତାବକ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ। ଦଳର ରାଜ୍ୟ ନେତୃବୃନ୍ଦ ଟିଟିଲାଗଡ଼ ଜିଲା ଆନ୍ଦୋଳନକୁ ସମ୍ପୁର୍ଣ୍ଣ ସମର୍ଥନ ଘୋଷଣା କରିସାରିଛନ୍ତି। ଏନେଇ ସ୍ଥାନୀୟ ବିଜେପି ନେତୃବୃନ୍ଦ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ କରିବାକୁ ପଛାଇବେ ନାହିଁ ବୋଳି ବିଜେପି ନେତା ସୂଚିତ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ସାଂସଦଙ୍କ ନଗର ପ୍ରତିିନିଧି ଆଲୋକ ନାୟକ, ନଗର ଉପସଭାପତି ଲିଙ୍ଗରାଜ ନାୟକ, ରାଜେଶ ଅଗ୍ରୱାଲ, ସମ୍ପାଦକ କୁନା ଭାଟି, କାଉନସିଲର ବୁଦ୍ଧିଆ ଆଚାର୍ଯ୍ୟ, ଯଶୋଦା ବଗର୍ତ୍ତି, ସୁରଜା ଥନାପତି, ମନୋଜ ଜୈନ ପ୍ରମୁଖ ଉପସ୍ଥିତ ଥିଲେ।



