www.samajalive.in
Monday, December 8, 2025
14.1 C
Bhubaneswar

ନାମକୁ ମାତ୍ର ଜଳସେଚନ ଯୋଜନା, କ୍ଷେତରେ ଜଳୁୁଛି ଚାଷୀର ଭବିଷ୍ୟତ

ଟିଟିଲାଗଡ଼: ଚଳିତ ବର୍ଷ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଥିଲା। ହେଲେ ସମ୍ପ୍ରତି ଅବସ୍ଥା ଆଉ ଚାଷ ଅନୁକୂଳ ହୋଇରହିନାହିଁ। ଶ୍ରାବଣ ମାସରେ ଆକାଶରୁ ମେଘ ଉଭାନ ହୋଇଛି। ଏନେଇ ଟିଟିଲାଗଡ ବ୍ଲକର ବିଭିନ୍ନ ଅଂଚଳରେ ଚାଷ ଜମିରେ ପାଣି ଟୋପାଏ ନାହିଁ। ରୋଇବାକୁ ଥିବା ପହ୍ଲା ଗଛ ଟାଣ ଖରାରେ କୋଉଠି ସବୁଜରୁ କଳା ମିଶିମିଶା ଦିଶିଲାଣି ତ କୋଉଠି ପାଳ ପାଲଟିଛି। ରୋଇବାକୁ ଧାନ ପହ୍ଲା ଆଉ ଯୋଗ୍ୟ ହୋଇରହିନାହିଁ। ଯେଉଠି ପୂର୍ବରୁ ଋଆବିହୁଡା ସରିଛି ସେଇଠି ପାଣି ଅଭାବ ନେଇ ଜମି ଫାଟି ଅାଁ କରିବାରୁ ଧାନ ଗଛ ମରିବାକୁ ବସିଲାଣି। ବିଶେଷ କରି ବ୍ଲକର ଭାଲେଗାଁ, ବାଞ୍ଜିପଦର, ବିଜେପୁର ଆଦି ଗ୍ରାମପଂଚାୟତ ଅଂଚଳରେ ସମସ୍ୟା ଉତ୍କଟ ହୋଇଛି। ଭାଲେଗାଁରେ ଗତ ଦୁଇ ବର୍ଷ ହେଲା କାର୍ଯ୍ୟକ୍ଷମ ମେଗା ଉଠା ଜଳସେଚନ ପ୍ରକଳ୍ପ ଚାଷୀଙ୍କ ଜମିକୁ ଜଳସେଚନ ବ୍ୟବସ୍ଥା ପ୍ରଦାନରେ ବିଫଳ ହୋଇଛି। ଓପିଟିସିଏଲ ଅଧିକ ଲୋଡ ରେଳବାଇକୁ ଦେଉଥିବାରୁ ମେଗା ପ୍ରକଳ୍ପକୁ ବିଦ୍ୟୁତ ଯୋଗାଣ ବ୍ୟାହତ ହେଉଥିବା ସମ୍ପୃକ୍ତ ବିଭାଗ ହାତ ଟେକି ଦେଇଥିବା ବରିଷ୍ଠ ଚାଷୀ ବେଣୁଧର ଝାଙ୍କର ଅଭିଯୋଗ କରିଛନ୍ତି। ମେଗା ଉଠାଜଳସେଚନ ପ୍ରକଳ୍ପ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଭୁତି ମାଝୀ ଏଭଳି ସମସ୍ୟା ସମ୍ପର୍କରେ ଅନେକ ଥର ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କୁ ଜଣାଇସାରିଥିବା କହିଛନ୍ତି। ଅପରପକ୍ଷରେ ମାଲିଝେର ତେଲନଦୀରେ ଥିବା ଉଠା ଜଳସେଚନ ପ୍ରକଳ୍ପ ଗତ ଦୁଇ ବର୍ଷ ତଳେ ବନ୍ୟା ପାଣିରେ କ୍ଷତିଗ୍ରସ୍ତ ହୋଇଛି। ଏନେଇ ଚାଷୀମାନେ ବିଭାଗୀୟ ଅଧିକାରୀଙ୍କ ଠାରେ ଫେରାଦ ହୋଇଥିôଲେ। ତେବେ ଟିଟିଲାଗଡ ଉଠାଜଳସେଚନ ବିଭାଗ ସହକାରି ନିର୍ବାହି ଯନ୍ତ୍ରୀ ବିବି ନାୟକ ମୋ ପାଖରେ କୌଣସି ଖବର ନାହିଁ କହିବା ବିସ୍ମିତ କରିଛି। ସରକାର ସମସ୍ତ ଅଚଳ ଉଠାଜଳସେଚନ ପ୍ରକଳ୍ପ ଗୁଡିକୁ ସଚଳ କରିବା ପାଇଁ ଅର୍ଥ ବ୍ୟବସ୍ଥା କରୁଛନ୍ତି। ଏପରିପ୍ରେକ୍ଷୀରେ କୋଉଠି ପ୍ରକଳ୍ପ ଅଚଳ ହେଲେ ବିଭାଗୀୟ ଯନ୍ତ୍ରୀଙ୍କ ପାଖରେ ଖବର ନଥିବା କହି ନିଜ ଦାୟିତ୍ୱରୁ ଖସିବାକୁ ଉଦ୍ୟମ ଚାଷୀ ବିରୋଧି ବୋଲି ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ସମ୍ପୃକ୍ତ ଯନ୍ତ୍ରୀ ବଲାଙ୍ଗିର କାର୍ଯ୍ୟାଳୟରେ କାମ ଅଛି ବୋଲି କହି ନିଜ ହେଡକ୍ୱାଟର ଟିଟିଲାଗଡରେ ନରହି ମାସକୁ ଅତ୍ୟଧିକ ସମୟ ନିଜ ଘର ବରଗଡରେ ରହୁଥିବା ଅଭିଯୋଗ ହୋଇଛି। ଗତକାଲି ଠାରୁ ଶ୍ରୀ ନାୟକଙ୍କୁ ଚାଷୀ ଖୋଜୁଥିବା ବେଳେ ଆମ ପ୍ରତିନିଧି ଆଜି ଯୋଗାଯୋଗ କରିବାରୁ ବଲାଙ୍ଗିରରେ କାମ ଥିଲା ତ ବରଗଡ ଚାଲି ଆସିଛି ବୁଧବାର ଆସିବେ ବୋଲି କହିଛନ୍ତି। ସେହିପରି ମାଥନପଲା ଜଳସେଚନ ଡ୍ୟାମ ଚାଷୀଙ୍କ ଜମିକୁ ପାଣି ଦେବାରେ ବିଫଳ ହୋଇଛି। କେବଳ କାଗଜପତ୍ରରେ ଜଳସେଚିତ ଅଂଚଳ ନାମରେ ଜଳକର ବାନ୍ଧୁଛୁ, ମରୁଡି ହେଲା ବୀମା ସହାୟତା ମିଳୁନି ବୋଲି ସ୍ଥାନୀୟ ଜୟଜଗନ୍ନାଥ ପାଣି ପଂଚାୟତ ସମ୍ପାଦକ ନୃପରାଜ ବିଶି ଅଭିଯୋଗ କରିଛନ୍ତି। ବିଗତ ଚାରି ବର୍ଷ ହେଲା କେନାଲ ସଫା ପାଇଁ ଟଙ୍କାଟିଏ ପାଣି ପଂଚାୟତକୁ ଆସିନି। କେନାଲ ଲାଇନିଂ କାମ ବାରମ୍ବାର ଦାବି ସତ୍ୱେ କେବେ ହେଲା ନାହିଁ। ଏପରିପ୍ରେକ୍ଷୀରେ ଚାଷୀ ଟଙ୍କିଆ ଚାଉଳ ଖାଇ କେତେ ଦିନ ବଂଚିବ ବୋଲି ବରିଷ୍ଠ ଚାଷୀ ଶ୍ରୀ ବିଶି ନିରାଶା ପ୍ରକଟ କରିଛନ୍ତି। ସେହିପରି ବିଜେପୁର, ତରାସିଂହା ଆଦି ଅଂଚଳରେ ଶତାଧିକ ହେକ୍ଟର ଚାଷ ଜମିର ଫସଲ ନଷ୍ଟ ପ୍ରାୟ ହୋଇପଡିଥିବା ବିଜେପୁର ସରପଂଚ ପ୍ରତିନିଧି ସୁବାଶ ମହାନନ୍ଦ ଅଭିଯୋଗ କରିଛନ୍ତି। ଜଳସେଚିତ ଅଂଚଳ ଗୁଡିକରେ ଚାଷ କାର୍ଯ୍ୟର ଏଭଳି ଦୁର୍ଗତି ହୋଇଥିବା ବେଳେ ବ୍ଲକର ଅନ୍ୟ ଅଂଚଳରେ ଅବସ୍ଥା ଅନୁମେୟ ବୋଲି ଆଲୋଚନା ହୋଇଛି। ଏସମ୍ପର୍କରେ ଟିଟିଲାଗଡ କୃଷି ଜିଲା ଅଧିକାରୀ ବାଲକୃଷ୍ଣ ଗୌଡ ଜୁଲାଇ ମାସରେ ପାଣିର ନିତାନ୍ତ ଆବଶ୍ୟକତା ରହିଥିବା ବେଳେ ପ୍ରକୃତିର ଦାଉ କାଳ ସାଜିଛି ବୋଲି ସ୍ୱିକାର କରିଛନ୍ତି। ସରକାରି ସ୍ତରରେ ଏନେଇ ତତ୍ପରତା ପ୍ରକାଶ ସହ ଜଳସେଚନ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସ୍ଥାନୀୟ କ୍ଷତିଗ୍ରସ୍ତ ଚାଷୀ ଡାକେଶ୍ୱର ମାଝୀ, ଭକରଧନ ପ୍ରଧାନୀ, ପ୍ରଫୁଲ୍ଲ ମାଝୀ, ଶମ୍ଭୁ ରତାଇ, ଦୈତାରୀ ମହାକୁର, କୃଷ୍ଣ ବିଶି, ପୋଲସ୍ତି ବିଶି, କୈଲାଶ ରତାଇ, ସୁବାଶ ରତାଇ, ବେଣୁ ରତାଇ, ନୃପମଣୀ ବିଶି, ବଳରାମ ବିଶି, ଶିବରାମ ବିଶି, ମଇଲାଲ ବଗର୍ତି ପ୍ରମୁଖ ଦାବି କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories