ଟିଟିଲାଗଡ଼ : ଟିଟିଲାଗଡ଼ ଉପଖଣ୍ଡରେ ଚଳିତ ବର୍ଷ ସରକାରଙ୍କ ପକ୍ଷରୁ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ହୋଇଥିବା ଅଭିଯୋଗ କରି ଧାରଣା ଦେଇଛନ୍ତି ଚାଷୀ। ଧାନ ମଣ୍ଡିରେ ବ୍ୟାପକ କଟନି ଛଟନି ହୋଇଛି। ତେବେ ଚାଷୀଙ୍କ ଧାନ କ୍ରୟ କରାଯାଉ ନଥିବା ଏବଂ ଦଲାଲଙ୍କ ହାତରେ ଚାଷୀ ନିଜ ସର୍ବସ୍ବ ହରାଉଥିବା ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ଚାଷୀ ପିତାମ୍ବର ବେହେରା ଆଜି ଟିଟିଲାଗଡ଼ ଉପଖଣ୍ଡ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ (ଏଆରସିଏସ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଦୁଃଖର କଥା ଏହି ଯେ ଚାଷୀ ପିତାମ୍ବର ବ୍ଲକ, ଉପଖଣ୍ଡ, ଜିଲା ସ୍ତରରୁ ଆରମ୍ଭ କରି ରାଜ୍ୟର ଶ୍ରେଷ୍ଠ ଚାଷୀ ଭାବରେ ମଧ୍ୟ ପୁରସ୍କୃତ ହୋଇଛନ୍ତି। ପିତାମ୍ବର ଚଳିତ ଖରିଫରେ ନିଜ ୨ ଏକର ୮୮ ଡିସମିଲ ଚାଷ ଜମିରେ ଧାନ ଫସଲ ଅମଳ କରିଥିଲେ।
ଏନେଇ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ପରିମାଣ ମୁତାବକ ଚାଷୀଙ୍କ ୩୮ କ୍ୱିଣ୍ଟାଲ ୫୦ କିଲୋଗ୍ରାମ ଧାନ ଟିଟିଲାଗଡ଼ ବ୍ଲଜ ଅନ୍ତର୍ଗତ ଵାନ୍ଧୁପଲା ମଣ୍ଡିରେ ବିକ୍ରୟ କରିବା କଥା। ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କ ଟୋକନ ଆସିନାହିଁ। ଏନେଇ ବାରମ୍ବାର ପେକ୍ସ ସଭାପତି, ସମ୍ପାଦକ, ଟିଟିଲାଗଡ଼ ଏଆରସିଏସ, ବଲାଙ୍ଗିର ଜିଲା ସମବାୟ ସମିତି ସମୂହ ନିବନ୍ଧକଙ୍କ ଠାରେ ଅଭିଯୋଗ କରିଛନ୍ତି। ଟିଟିଲାଗଡ଼ ଏଆରସିଏସ ସନ୍ତୋଷ ମଲ୍ଲିକଙ୍କୁ ପଚାରିବାରୁ ଉପଖଣ୍ଡ ଅନ୍ତର୍ଗତ ଶହ ଶହ ଚାଷୀଙ୍କ ଧାନ ଟୋକନ ଆସିନଥିବା କହିଛନ୍ତି।
ପରୋକ୍ଷରେ ରାଜ୍ୟ ସରକାରଙ୍କ କ୍ୱିଣ୍ଟାଲ ପ୍ରତି ଚାଷୀଙ୍କୁ ୩୧୦୦ ଟଙ୍କା ପ୍ରଦାନ ବ୍ୟବସ୍ଥା ଉପରେ ଶ୍ରୀ ମଲ୍ଲିକ ପ୍ରଶ୍ନ ଉଠାଇବା ଚର୍ଚ୍ଚାର ବିଷୟ ହୋଇଛି। ଚାଷୀଙ୍କ ଧାରଣା ସମ୍ପର୍କରେ ଅବଗତ ହୋଇ ଟିଟିଲାଗଡ଼ ଥାନା ଏସଆଇ ଖଗେଶ୍ୱର ମାଝୀ ସଦଳବଳ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ। ପରେ ଟିଟିଲାଗଡ଼ ଏଆରସିଏସ ଟାଣ ଖରାରେ ଧାରଣାରତ ଚାଷୀଙ୍କୁ ଆଶ୍ୱାସନା ସହ ଗ୍ଲୁକୋଜ ପାଣି ପିଆଇ ଧାରଣାରୁ ନିବୃତ୍ତ କରିଥିଲେ। ଅନ୍ୟପକ୍ଷରେ ଚାଷୀଙ୍କ ଧାନ କ୍ରୟ କରାନଗଲେ ତୀବ୍ର ଆନ୍ଦୋଳନ ହେବ ବୋଲି ଟିଟିଲାଗଡ଼ କୃଷକ ସଂଘର୍ଷ ଅଭିଯାନ ସମିତି ଆବାହକ ବାଳକୃଷ୍ଣ ଷାଣ୍ଢ ଚେତାବନୀ ଦେଇଛନ୍ତି।
୩୦ ବର୍ଷ ପରେ.. ଶନିଙ୍କ ସମେତ ଏହି ଶକ୍ତିଶାଳୀ ଗ୍ରହ ଚଳନ; ସୁନାଭଳି ଚମକିବ ଏହି ରାଶିଙ୍କ ଭାଗ୍ୟ, ହେବେ ମାଲାମାଲ୍..
ଏହି ତାରିଖରେ ଜନ୍ମ ବ୍ୟକ୍ତି ବିଶେଷଙ୍କୁ ହଠାତ୍ ଧନୀ କରିଥାନ୍ତି ଶନିଦେବ: ମିଳେ ବିଶେଷ କୃପା, ବଦଳିଯାଏ ଭାଗ୍ୟ..
ଦେଖନ୍ତୁ ଭିଡିଓ ; ନଦୀରେ ମଜାରେ ଗାଧୋଉଥିଲେ ଯୁବକ, ହାତରେ ଧରି ପକାଇଲେ କୁମ୍ଭୀର, ଆଉ ତା’ପରେ..



