ଖୁବ୍‍ ଶୀଘ୍ର ଡେଲାଙ୍ଗ ଜଳାଭାବ ଜନିତ କୃଷି ସମସ୍ୟାର ସମାଧାନ, ନିର୍ମାଣ ହେବ ଚେକ୍‍ ଡ୍ୟାମ

ପିପିଲି : ପୁରୀ ଜିଲାର ଡେଲାଙ୍ଗ ବ୍ଲକ ଅଞ୍ଚଳରେ ଜଳାଭାବ ଜନିତ କୃଷି ସମସ୍ୟାର ସମାଧାନ ହେବାକୁ ଯାଉଛି । ଏଥିପାଇଁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ  ଅନ୍ତର୍ଗତ ଭୁବନେଶ୍ୱର ସ୍ଥିତ ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ (ଆଇଆଇଡବ୍ଲ୍ୟୁଏମ୍‍) ପକ୍ଷରୁ ବ୍ୟାପକ ଯୋଜନା ପ୍ରସ୍ତୁତ କରାଯାଇଛି । ଡେଲାଙ୍ଗ ଦେଇ ପ୍ରବାହିତ ଲୁଣା ନଦୀ ଓ ତାକୁ ସଂଯୋଗ କରୁଥିବା ଡ୍ରେନେଜ୍‍ରେ ୪ଟି ରବର ଚେକ୍‍ ଡ୍ୟାମ୍‍ ନିର୍ମାଣ କରାଯିବ । ଫଳରେ ସେଠାରେ ଏକ ନିର୍ଦ୍ଦିଷ୍ଟ ଉଚ୍ଚତାରେ ଜଳକୁ ଅଟକାଇ  ରଖାଯାଇ ତାହାକୁ କୃଷି କାର୍ଯ୍ୟରେ ବିନିଯୋଗ କରାଯିବ । ଏଥିଯୋଗୁଁ ୫ହଜାରରୁ ଉର୍ଦ୍ଧ୍ବ ଏକର ଜମି ଜଳସେଚିତ ହେବା ସହ ଶସ୍ୟଶାମଳ ହୋଇପାରିବ । ବିଶେଷକରି ଖରାଟିଆ ଚାଷରେ ଏହି ଜଳକୁ ବ୍ୟବହାର କରାଯିବା ସହ ଜଳକୃଷିରେ ମଧ୍ୟ ବ୍ୟବହାର କରାଯିବ । ଫଳରେ ଡେଲାଙ୍ଗ ଅଞ୍ଚଳର କୃଷକଙ୍କ ଜୀବିକାରେ ଉନ୍ନତି ଘଟିବ । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍‍ ର ବୈଜ୍ଞାନିକ ଓ ବିଶେଷଜ୍ଞଙ୍କ ସମେତ ଆଇ.ସି.ଆଇ.ସି.ଆଇ ଫାଉଣ୍ଡେସନର କର୍ମକର୍ତ୍ତାମାନେ ଡେଲାଙ୍ଗ ଅଞ୍ଚଳ ପରିଦର୍ଶନ କରିବା ପରେ ଏହି ଆଶା ଏବେ ଉଜ୍ଜ୍ୱଳ ହୋଇଛି । ପୁରୀ ଜିଲାର ପିପିଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡେଲାଙ୍ଗ ଅଞ୍ଚଳର ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଭୁବନେଶ୍ୱର ସ୍ଥିତ ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ (ଆଇଆଇଡବ୍ଲ୍ୟୁଏମ୍‍) ଠାରେ ଗତବର୍ଷ ନଭେମ୍ବର ୨୩ ତାରିଖରେ ଅନୁଷ୍ଠିତ କର୍ମଶାଳାରେ ଆଇଆଇଡବ୍ଲ୍ୟୁଏମ ପକ୍ଷରୁ ଷ୍ଟାଟସ ରିପୋର୍ଟ ପ୍ରକାଶ କରାଯାଇଥିଲା । ଯେଉଁଥିରେ ଦୟାନଦୀର ମାଧିପୁର ନିର୍ଗତ ବନ୍ୟାଜଳ ଯୋଗୁଁ ପିପିଲି ଓ ଡେଲାଙ୍ଗ ବ୍ଲକର ବନ୍ୟା ପ୍ରଭାବିତ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନର ସୂତ୍ର, ଗ୍ରୀଷ୍ମଋତୁରେ ଜଳାଭାବ ଜନିତ କୃଷି ସମସ୍ୟାର ସମାଧାନ, ଡେଲାଙ୍ଗ ଅଞ୍ଚଳର କୃଷକଙ୍କ ଜୀବିକାର ଉନ୍ନତି, ବନ୍ୟାଜଳ ନିୟନ୍ତ୍ରଣ ପାଇଁ ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋକପାତ କରାଯାଇଥିଲା ।  ଦୟାନଦୀର ମାଧିପୁର କାଜରୁ ନିଷ୍କାସିତ ହେଉଥିବା ବନ୍ୟାଜଳର ସୁପରିଚାଳନା ହେଉନଥିବାରୁ ଡେଲାଙ୍ଗ ଓ ପିପିଲି ଅଞ୍ଚଳରେ ମୁଖ୍ୟତଃ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଡେଲାଙ୍ଗ ବ୍ଳକର ୧୫ଟି ପଞ୍ଚାୟତ ଜଳବନ୍ଦୀ ହୋଇ ପ୍ରାୟ ଅଢେଇ ଲକ୍ଷ ଲୋକ ପ୍ରଭାବିତ ହେଉଛନ୍ତି । ଜଳ ନିଷ୍କାସନ ଅଭାବରୁ ଅଧିକାଂଶ ଧାନ ଜମିରେ ରାଜକଇଁ ଫୁଟୁଛି । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପୁରୀ ସାଂସଦ ଡାକ୍ଟର ସମ୍ବିତ ପାତ୍ର ପରାମର୍ଶ ଦେବାସହ ବନ୍ୟାଜଳ ନିୟନ୍ତ୍ରଣ ପାଇଁ ଦୟାନଦୀର ମାଧିପୁର ଓ କାଜର ସୁଦୃଢିକରଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଆଇଆଇଡବ୍ଲ୍ୟୁଏମ ପକ୍ଷରୁ ପ୍ରକାଶିତ  ଷ୍ଟାଟସ ରିପୋର୍ଟ ଉପରେ ଡିପିଆର୍‍ ପ୍ରସ୍ତୁତ କରି ତାହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ସହ ଗ୍ରୀଷ୍ମଋତୁରେ ଡେଲାଙ୍ଗ ଅଞ୍ଚଳରେ ଜଳାଭାବ ଜନିତ କୃଷି ସମସ୍ୟାର ସମାଧାନ କରିବାକୁ ପିପିଲି ବିଧାୟକ ଆଶ୍ରୀତ ପଟ୍ଟନାୟକ ବିଭାଗୀୟ ଅଧିକାରୀଙ୍କୁ ସେଠାରେ ପ୍ରସ୍ତାବ ଦେଇଥିଲେ ।

ବର୍ଷାଦିନେ ଡେଲାଙ୍ଗ ଅଞ୍ଚଳରେ ବନ୍ୟାଯୋଗୁଁ ଜଳବନ୍ଦୀ ଅଞ୍ଚଳରେ ଯେଭଳି ଭାବେ ଭୟଙ୍କର କୃଷି ସମସ୍ୟା ସୃଷ୍ଟି ହେଉଛି ଗ୍ରୀଷ୍ମଋତୁରେ ମଧ୍ୟ ଜଳ ଅଭାବରୁ କୃଷିକାର୍ଯ୍ୟ ସମ୍ଭବ ହୋଇପାରୁନାହିଁ । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ (ଆଇଆଇଡବ୍ଲ୍ୟୁଏମ୍‍) ପକ୍ଷରୁ ବ୍ୟାପକ ଯୋଜନା ପ୍ରସ୍ତୁତ କରାଯାଇଛି । ଇତିମଧ୍ୟରେ ପିପିଲି ସାଂସ୍କୃତିକ ପରିଷଦ ସହଯୋଗରେ ଆଇଆଇଡବ୍ଲ୍ୟୁଏମ ର ପ୍ରମୁଖ ବୈଜ୍ଞାନିକ ଡ଼ଃ ସଚ୍ଚିନକାନ୍ତ ରାଉତରାୟଙ୍କ ନେତୃତ୍ୱରେ ସଂସ୍ଥାର ବିଶେଷଜ୍ଞଙ୍କ ସମେତ ଆଇ.ସି.ଆଇ.ସି.ଆଇ ଫାଉଣ୍ଡେସନର ପ୍ରୋଜେକ୍ଟ ମ୍ୟାନେଜର ଗୌରୀଶଙ୍କର ପାଢୀ, ରାଜୀବ କୁମାର ମହାନ୍ତ ପ୍ରମୁଖ ଡେଲାଙ୍ଗ ଅଞ୍ଚଳ ପରିଦର୍ଶନ କରିବା ସହ ସେଠାକାର ଜଳାଭାବ ଜନିତ କୃଷି ସମସ୍ୟାକୁ ଅନୁଧ୍ୟାନ କରିଥିଲେ । ହସନପୁର ଠାରୁ ଡେଲାଙ୍ଗ ଲୁଣାନଦୀରେ ମିଶିଥିବା ଡ୍ରେନେଜ୍‍ ଉପରେ ୩ଟି ରବର ଚେକ୍‍ ଡ୍ୟାମ ନିର୍ମାଣ କରାଯିବାକୁ ପ୍ରାଥମିକ ସ୍ତରରେ ନିଷ୍ପତ୍ତି ନିଆଯାଇଥିଲା । ଗଞ୍ଜେଇଗୋରଡି ଠାରୁ ପଟନପୁର ଯାଇଥିବା ଡ୍ରେନେଜ୍‍ ଉପରେ ସୃଜନପୁର ପଞ୍ଚାୟତର ପଟନପୁର ଠାରେ ଗୋଟିଏ, ରତନପୁର ଠାରେ ଗୋଟିଏ ଓ ହସନପୁର ଠାରୁ ଡେଲାଙ୍ଗ ଯାଇଥିବା ଡ୍ରେନେଜ୍‍ ଉପରେ ଅରିଶଲ ପଞ୍ଚାୟତର ନାରପୁର ଠାରେ ଆଉ ଗୋଟିଏ ରବର ଚେକ୍‍ ଡ୍ୟାମ୍‍ ନିର୍ମାଣ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହା ଫଳରେ ବର୍ଷାଋତୁ ପରେ ସେଠାରେ ଜଳକୁ ସଂରକ୍ଷଣ କରି ରଖାଯିବା ସହ ଖରାଦିନେ ତାହାକୁ କୃଷି କାର୍ଯ୍ୟରେ ବିନିଯୋଗ କରାଯିବ । ଯାହାଫଳରେ ୧ହଜାରରୁ ଉର୍ଦ୍ଧ ଏକର ଜମିରେ ଖରାଟିଆ ଧାନଚାଷ ଓ ପନିପରିବା ଚାଷ କରାଯାଇପାରିବ ବୋଲି ସୂଚନା ମିଳିଛି । ଏଥିସହ ଉକ୍ତ ଡ୍ରେନେଜ୍‍ ତଟବର୍ତ୍ତୀ ଅଞ୍ଚଳରେ ଥିବା ସରକାରୀ ଜମିରେ ଏକାଧିକ ବୃହତ ପୁଷ୍କରିଣୀ ଖନନ କରାଯାଇ ସେଠାରେ ଅଞ୍ଚଳବାସୀଙ୍କ ସହଯୋଗରେ ଜଳକୃଷି ସମେତ ସମନ୍ୱିତ କୃଷି କରାଯିବ । ଯାହାଫଳରେ ସେଠାକାର ଚାଷୀଙ୍କର ଆର୍ଥୀକ ଉନ୍ନତି ଘଟିବ । ଆଗ୍ରହୀ ଥିବା ଚାଷୀଙ୍କ ଜମିରେ ମଧ୍ୟ ପୁଷ୍କରିଣୀ ଖନନ କରାଯାଇ ସେଠାରେ ଜଳକୃଷି ସହ ସମନ୍ୱିତ କୃଷି କରାଯିବ । ଏଥିସହ ଲୁଣାନଦୀର ନିମ୍ନ ଅବବାହିକାରେ ମଧ୍ୟ ଏକ ରବର ଚେକ୍‍ ଡ୍ୟାମ ନିର୍ମାଣ କରାଯିବା ପାଇଁ ପ୍ରସ୍ତାବ ରହିଛି । ଯାହାଫଳରେ ୪ହଜାରରୁ ଉର୍ଦ୍ଧ ଏକର ଚାଷଜମିରେ ଖରାଦିନେ କୃଷିକାର୍ଯ୍ୟ ସମ୍ଭବ ହୋଇପାରିବ । ବିଭିନ୍ନ ପର୍ଯ୍ୟାୟରେ ଏହିସବୁ ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ଡ଼ଃ ରାଉତରାୟ ସୂଚନା ଦେଇଛନ୍ତି । ଏଥିପାଇଁ ୫କୋଟିରୁ ଉର୍ଦ୍ଧ ଅର୍ଥ ବ୍ୟୟ ହେବ ବୋଲି ସୂଚନା ମିଳିଛି । ଆଇଆଇଡବ୍ଲ୍ୟୁୃଏମ୍‍ ପକ୍ଷରୁ ପ୍ରୋଜେକ୍ଟ ରିପୋର୍ଟ ପ୍ରଦାନ କରାଯିବା ପରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ଉପରେ ନିଷ୍ପତ୍ତି ନିଆଯିବ ବୋଲି ଆଇ.ସି.ଆଇ.ସି.ଆଇ ଫାଉଣ୍ଡେସନର ପ୍ରୋଜେକ୍ଟ ମ୍ୟାନେଜର ଶ୍ରୀପାଢୀ ସୂଚନା ଦେଇଛନ୍ତି । ଏହି ପରିଦର୍ଶନ ସମୟରେ ଡ୍ରେନେଜ୍‍ ବିଭାଗର ଯନ୍ତ୍ରୀ ବିଜୟ କୁମାର ସିଂହ, ପିପିଲି ସାଂସ୍କୃତିକ ପରିଷଦର ସାଧାରଣ ସଂପାଦକ ତଥା ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ରମେଶ ଚନ୍ଦ୍ର ମହାପାତ୍ର, ଉପସଭାପତି ଦୀନବନ୍ଧୁ ବେହୁରା, ଅବସରପ୍ରାପ୍ତ ଶିକ୍ଷାବିତ୍‍ ଶତୃଘ୍ନ ପ୍ରଧାନଙ୍କ ସମେତ ସ୍ଥାନୀୟ ଅଞ୍ଚଳର କୃଷକମାନେ ଉପସ୍ଥିତ ଥିଲେ ।

Comments are closed.