Patra electronics

ଧାନ ବିକ୍ରି ପାଉଣା ହଡପ, ଦ୍ଵିତୀୟ ଦିନରେ ଚାଷୀଙ୍କ ଧାରଣା,ଆତ୍ମହତ୍ୟା ଧମକ

ଟିଟିଲାଗଡ଼: ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ବ୍ଲକ ବଡ଼ତେନ୍ତୁଲିଖୁଣ୍ଟି ମଣ୍ଡିରେ ଗତ ଖରିଫରେ ଧାନ ବିକ୍ରି କରିଥିଵା ଚାଷୀଙ୍କ ପାଉଣା ୮ ମାସ ପରେ ମଧ୍ୟ ଅଦ୍ୟାବଧି ମିଳି ପାରିନାହିଁ। ଏହାକୁ ନେଇ ଚାଷୀ ଆଜି ଦ୍ଵିତୀୟ ଦିନରେ ଟିଟିଲାଗଡ଼ ଠାରେ ସମବାୟ ସମିତି ସହାୟକ ନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଗତକାଲି ଦୀର୍ଘ ୩ ଘଣ୍ଟା ଧରି ଧାରଣାରେ ବସିଥିବା ବେଳେ ପ୍ରଶାସନ ପକ୍ଷରୁ ଟିଟିଲାଗଡ଼ ଥାନା ଆଇଆଇସି ବିଶ୍ୱଜିତ ମନବୋଧ ଆସି ଚାଷୀଙ୍କ ସହ ଆଲୋଚନା କରିଥିଲେ। ଛୁଟି ଦିନ ଥିବାରୁ ଆସନ୍ତା କାଲି ଆସିବାକୁ ବୁଝାଇ ଚାଷୀଙ୍କୁ ଧାରଣାରୁ ବିରତ କରିଥିଲେ। ଆଜି ପୁଣି ଥରେ ଚାଷୀ ଭଗବାନ ମାଝୀ, ବିପିନ ରଣା, ଦିବାକର ରଣା ଧାରଣା ଆରମ୍ଭ କରିଛନ୍ତି।
ସୂଚନା ଯେ ତେନ୍ତୁଲିଖୁଣ୍ଟି ମଣ୍ଡିରେ ଚାଷୀମାନେ ସେମାନଙ୍କ ଧାନ ବିକ୍ରି କରିଥିଲେ। ହେଲେ ଅଦ୍ୟାବଧି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇନାହିଁ। ଚାଷୀ ପୂର୍ବରୁ ଅନେକ ଥର ବଲାଙ୍ଗିର ଜିଲାପାଳ, ଜିଲା ସମବାୟ ସମିତି ସମୂହ ନିବନ୍ଧକ, ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖତ୍ରୀ, ଉପଖଣ୍ଡ ସମବାୟ ସମିତି ସମୂହ ସହାୟକ ନିବନ୍ଧକ ସନ୍ତୋଷ ମଲ୍ଲିକଙ୍କୁ ଅନେକ ଥର ଗୁହାରି କରିଛନ୍ତି। ହେଲେ ସେମାନଙ୍କୁ ପାଉଣା ମିଳି ପାରିନାହିଁ।
ଗତ ୧୬ରେ ଚାଷୀ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଠାରେ ପୁଣି ଥରେ ଫେରାଦ ହେଵା ନେଇ ଟିଟିଲାଗଡ଼ ସମବାୟ ସମିତି ସହାୟକ ନିବନ୍ଧକଙ୍କ ଚାଷୀଙ୍କୁ ଆଲୋଚନା ପାଇଁ ଡାକିଥିଲେ। ବଡ଼ତେନ୍ତୁଲିଖୁଣ୍ଟି ପ୍ରାଥମିକ କୃଷି ସମବାୟ ସମିତିର ଡିଇଓ ଚାଷୀଙ୍କ ଟଙ୍କା ହଡ଼ପ କରିଥିବା ଏବଂ ୨୬ ତାରିଖ ମଧ୍ୟରେ ଟଙ୍କା ଫେରସ୍ତ କରିବେ ବୋଲି ଲିଖିତ ପ୍ରତିଶୃତି ଦେଇଥିବା ଉକ୍ତ ଦିନ ସହାୟକ ନିବନ୍ଧକ ଶ୍ରୀ ମଲ୍ଲିକ ଚାଷୀଙ୍କୁ ଆଶ୍ୱସ୍ତ କରିଥିଲେ। ହେଲେ ୨୬ ତାରିଖ ମଧ୍ୟରେ ଚାଷୀଙ୍କ ଟଙ୍କା ମିଳିଲା ନାହିଁ। ସହାୟକ ସମବାୟ ନିବନ୍ଧକ ଛୁଟିରେ ଚାଲିଯାଇଥିବା ଜଣାଯାଇଛି। ଚାଷୀ ଭଗବାନ ତାଙ୍କ ପାଉଣା ପ୍ରଦାନ କରାନଗଲେ ଆତ୍ମହତ୍ୟା ଧମକ ଦେବା ନେଇ ଅଘଟଣ ଆଶଙ୍କାରେ ପୁଲିସ କର୍ମଚାରୀ ଆସି ଜଗି ରହିଛନ୍ତି। ଚାଷୀ ଭଗବାନଙ୍କ ଧାନ ବିକ୍ରି ମୂଲ୍ୟ ପ୍ରାୟ ୯୦ ହଜାର ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି।

Comments are closed.