ଟିଟିଲାଗଡରେ ଡ୍ରେନ ପାଇଁ ହୋହଲ୍ଲା
ଟିଟିଲାଗଡ଼ : ଟିଟିଲାଗଡ ସହରରେ ଡ୍ରେନେଜ ବ୍ୟବସ୍ଥା ରାଜ୍ୟରେ ସବୁଠାରୁ ନିତ୍କୃଷ୍ଟ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ସହରର ଅନେକ ଡ୍ରେନ ପୋଖରୀଗୁଡ଼ିକରେ ମିଶିଛି। ଏନେଇ ପୌର ପ୍ରଶାସନ ଜାଣିଶୁଣି ନିଦାବିଷ୍ଣୁ ସାଜି ବସିଥିବା ବେଳେ ଜନଆନ୍ଦୋଳନ ସାଧାରଣ ହୋଇପଡିଛି। ଗତ ବର୍ଷା ଋତୁରେ ସହରର ୯ ନମ୍ବର ୱାର୍ଡରେ ଡ୍ରେନେଜ ବ୍ୟବସ୍ଥା ନେଇ ତତ୍କାଳିନ ଉପଜିଲାପାଳ ସୁଧାକର ନାୟକ ଏବଂ ତହସିଲଦାର ଆନନ୍ଦ ପଣ୍ଡା ବିଚ ରାସ୍ତାରେ କଥା କଟାକଟି ହେବା ଗଣମାଧ୍ୟମର ଶିରୋନାମା ପାଲଟି ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ସେହି ୯ ନମ୍ବର ୱାର୍ଡର ଡ୍ରେନେଜ ସମସ୍ୟା ଅଦ୍ୟାବଧି ସମାଧାନ ହୋଇ ନାହିଁ। ଏନେଇ ପଡାବାସୀ ଶୁକ୍ରବାର ଟିଟିଲାଗଡ ପୌର ପରିଷଦରେ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତୁରନ୍ତ ପଡାରେ ଡ୍ରେମେଜ ବ୍ୟବସ୍ଥାର ସୁଧାର ପାଇଁ ଦାବି କରିଥିଲେ। ଡ୍ରେନ ପାଣି କୁଆଡେ ଯାଇନପାରିବାରୁ ଦୁର୍ଗନ୍ଧରେ ନାକ ଫାଟିପଡୁଥିବା, ସାପଜୋକ ଘରେ ପଶୁଥିବା, ମଶାଙ୍କ ପ୍ରାର୍ଦୁଭାବ ବୃଦ୍ଧି ହୋଇଚାଲିଥିବା ପଡାର ମହିଳାମାନେ ଅଭିଯୋଗ କରିଛନ୍ତି। ସୂଚନା ଯେ ୯ ନମ୍ବର ୱାର୍ଡରେ ନୁତନ ଭାବରେ ଅନେକ ଗୃହ ନିର୍ମାଣ ହୋଇଚାଲିଛି। ତେବେ ପୌର ପରିଷଦ ପକ୍ଷରୁ ଆଖି ବୁଜି ଗୃହ ତିଆରି ପାଇଁ ମଞ୍ଜୁର କରାଯାଇଛି। ଏନେଇ ରାସ୍ତା, ଡ୍ରେନ ବ୍ୟବସ୍ଥା ପାଇଁ ପୌର ପରିଷଦ ଧ୍ୟାନ ଦେଉନାହିଁ। ଯିଏ ଘର ନିର୍ମାଣ କଲା ସେ ଡ୍ରେନକୁ ରୁନ୍ଧି ଅନ୍ୟ ଆଡକୁ ମୋଡି ଦେଇଛି। ଏଭଳି କ୍ଷେତ୍ରରେ ଡ୍ରେନ ପାଣି କୁଆଡେ ଯିବ ସେ ନେଇ ବାଟ ଦିଶୁ ନାହିଁ। ଏପରିପ୍ରେକ୍ଷୀରେ ପୌର ପରିଷଦ ନିଜ ପୁର୍ବ ତୃଟି ନେଇ ହାତ ବାନ୍ଧି ବସିଥିବା ଅଭିଯୋଗ ହୋଇଛି। ଏନେଇ ଭାରପ୍ରାପ୍ତ ପୌର ନିର୍ବାହି ଅଧିକାରୀ ଉପସ୍ଥିତ ନଥିବା ନେଇ କନିଷ୍ଠ ଯନ୍ତ୍ରୀ ଅନାଥ ସାହୁଙ୍କୁ ପଡାବାସୀ ଦାବି ପତ୍ର ପ୍ରଦାନ ସହ ଅସନ୍ତୋଷ ହୋଇ ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ଯାଇ ଫେରାଦ ହୋଇଛନ୍ତି। ଏସମ୍ପର୍କରେ ମନ୍ତ୍ରୀ ପୌର ନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିବା ଜଣାଯାଇଛି।
Comments are closed.