ଶ୍ରାବଣରେ ଶୁଖିଲା ପଡ଼ିଛି ଧାନକ୍ଷେତ ; ମୂଳକୁ ପାଉନି ବର୍ଷା ଜଳ, ସିଝୁଛି ତଳି
ତିଗିରିଆ : ଆଷାଢ଼ ପରେ ଶ୍ରାବଣରୁ ସପ୍ତାହେ ସରିଲାଣି। ବର୍ଷାକୁ ନେଇ ଚରମ ବ୍ୟତିକ୍ରମ। ମନ୍ଦ ବୃଷ୍ଟି ତିଗିରିଆ ବ୍ଲକର ଚାଷୀଙ୍କ ଚିନ୍ତା ବଢାଇ ଦେଲାଣି। ଚଳିତ ଖରିଫ ଧାନ ଚାଷକୁ ଦରକାରୀ ଲଗାଣ ବର୍ଷା ଏଯାଏଁ ହେବାର ନାହିଁ। ମୌସୁମୀର ଲୁଚକାଳି ଖେଳ କୃଷିକୁ କାଳ ହେଲାଣି । ବର୍ଷାର ଧାରା ଶ୍ରାବଣ ବୋଲି ଯାହାକୁ କୁହାଯାଏ ତାହାର ଏବେ ଓଲଟା ଗତି। ଖରିଫ୍ ଆରମ୍ଭରୁ ଏଯାଏଁ ସ୍ବଳ୍ପ ବୃଷ୍ଟିପାତ ଚାଲିଛି। ବର୍ଷା ଠାରୁ ପ୍ରଚଣ୍ଡ ଖରା ତାତି ବଳି ପଡୁଛି। ଯାହାର ପ୍ରଭାବରେ ତିଗିରିଆ ଅଞ୍ଚଳର ଖରିଫ ଧାନ ଚାଷରେ ବିଳମ୍ବିତ ପ୍ରକ୍ରିୟା ଲାଗି ରହିଛି। ଜଳ ଅଭାବରୁ ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ବହୁ ଚାଷୀଙ୍କର ଧାନ ଚାଷ ପାଇଁ ଉଦ୍ଧିଷ୍ଟ ଜମି ଏବେବି ପଡ଼ିଆ ପଡ଼ିଥିବା ଦେଖିବାକୁ ମିଳିଛି। ଚାଷୀ କେବଳ ଧାନ ବିହନ ବୁଣି ଗଜା ତଳିରେ ସୀମିତ ରହିଛି। ତଳିର କଅଁଳ ପତ୍ରସବୁ ପ୍ରଚଣ୍ଡ ଖରାରେ ଶିଝୁଛି। ମୂଳର ଶୁଖିଲା ମାଟି ବର୍ଷାକୁ ଅପେକ୍ଷା କରିଛି |
ତିଗିରିଆ ବ୍ଲକର ୧୪ଟି ପଞ୍ଚାୟତରେ ଖାଲ କିସମ ଏବଂ ବିଭିନ୍ନ ଜଳ ଉତ୍ସ ନିକଟରେ ରହିଥିବା କେତେକ ଜମିକୁ ବାଦ୍ଦେଲେ ଅବଶିଷ୍ଟ ମଧ୍ୟମ ଓ ଢିପ ଜମିଗୁଡ଼ିକରେ ଜଳ ଆଦୌ ନାହିଁ। ତିଗିରିଆର ଭାତହାଣ୍ଡି କୁହାଯାଉଥିବା ବଡ଼ନାଉପୁଟ, ହାଟମାଳ,
ଗଦାଧରପୁର, ବିନ୍ଧାଣିମା ଆଦି ପଞ୍ଚାୟତରେ ବର୍ଷାଦିନିଆ ବିଭିନ୍ନ ପନିପରିବା କ୍ଷେତ ଉଠିବା ପରେ ଯେଉଁ ଚାଷୀ ଧାନ ରୁଆ ପୋତା କରିଥାନ୍ତେ ତାହା ଏବେସୁଦ୍ଧା ସମ୍ଭବ ହୋଇପାରିନି। ଜମିଗୁଡ଼ିକ ମଧ୍ୟରେ ପ୍ରବାହିତ ବିଭିନ୍ନ ନାଳ ଏବଂ ଜଳଉତ୍ସ ଗୁଡ଼ିକରେ
ଯେଉଁ ପରିମାଣର ଜଳ ପ୍ରବାହ ହେବାକଥା ତାହା ଏପର୍ଯ୍ୟନ୍ତ ହୋଇପାରିନି । ସେହିଭଳି ଅଚଳକୋଟ, ଭିରୁଡ଼ା, ପାଞ୍ଚଗାଁ, ସୋମପଡ଼ା, ପୁରୁଣାତିଗିରିଆ, ନିଜିଗଡ଼, ବାଲିପୁଟ, ଜେମାଦେଈପୁର, ନୂଆପାଟଣା ଏବଂ ଭୋଗଡାରେ ମଧ୍ୟ ଅନୁରୂପ ପରିସ୍ଥିତି ଲାଗି ରହିଛି।
ପ୍ରତି ପଞ୍ଚାୟତର ଅଧିକାଂଶ କ୍ଷେତରେ ଧାନ ତଳି ଶୁଖିଲା ମାଟିରେ ରୋଗିଣା ଅବସ୍ଥାରେ ରହିଛି। ସ୍ଥାନୀୟ କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଚଳିତ ବର୍ଷ ଏଯାଏଁ ବର୍ଷା ସ୍ବାଭାବିକ ହୋଇପାରିନାହିଁ। ବ୍ଲକର ୧୪ ଗୋଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଥିବା ମୋଟ ୭୨୫୨ ହେକ୍ଟର ଚାଷଜମିରୁ ଚଳିତ ବର୍ଷ ୩୭୮୦ ହେକ୍ଟର ଚାଷଜମିରେ ଧାନଚାଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିପରି ବିଭିନ୍ନ ଜଳଉତ୍ସଗୁଡ଼ିକରୁ ମୋଟ ୧୮୦୦ ହେକ୍ଟର ଚାଷଜମିକୁ ଜଳସେଚନର ବ୍ୟବସ୍ଥା ଥିବାବେଳେ ୫୪୫୨ ହେକ୍ଟର ଚାଷଜମି ଅଣ ଜଳସେଚିତ ରହିଛି । ଉଭୟ ବର୍ଷାର ଅଭାବ ସହିତ ଜଳଉତ୍ସଗୁଡ଼ିକରେ ପାଣି ନ ଥିବା କାରଣରୁ ବର୍ତ୍ତମାନ ସୁଦ୍ଧା ଆଦୌ ରୁଆ, ପୋତା ବେଉଷଣ ଆରମ୍ଭ ହୋଇନାହିଁ। ଚାଷୀ ଏବେ କେବଳ ଗଜା ଧାନ ତଳିକୁ ପରିପକ୍ଵ ହେବାକୁ ଲଗାଣ ବର୍ଷାକୁ ଅପେକ୍ଷା କରିଛି।
Comments are closed.