ଏଥର ମଦ ପିଇ ଗାଡି ଚଳାଇଲେ ଗିରଫ ହେବେ ଚାଳକ

ଭୁବନେଶ୍ବର : ଦୁର୍ଘଟଣା କମାଇବା ପାଇଁ ସଚେତନତା ସହ ଅମାନିଆଙ୍କ ପାଇଁ ପରିବହନ ବିଭାଗ କଠୋର ହୋଇଛି। ବିଭାଗ ପକ୍ଷରୁ ସୋମବାର ମାର୍ଗଦର୍ଶିକା ଜାରି ହୋଇଛି। ମଦ୍ୟପାନ କରି ଗାଡ଼ି ଚଳାଇଲେ ଡ୍ରାଇଭରଙ୍କୁ ତୁରନ୍ତ ଗିରଫ କରାଯିବା ସହ ତାଙ୍କ ଡ୍ରାଇଭିଂ ଲାଇସେନ୍ସ (ଡିଏଳ୍‌) ବାତିଲ କରାଯିବ। ଦୂର ଯାତ୍ରାକୁ ପିକ୍‌ନିକ୍‌ ପାଇଁ ଗଲେ ଜଣେ ସହାୟକ ଚାଳକ ରଖିବାକୁ ପଡ଼ିବ।

 

prayash

ପିକ୍‌ନିକ୍‌ ଯାତ୍ରା ପାଇଁ ଗାଡ଼ି ମାଲିକ ସ୍ଥାନୀୟ ଆର୍‌ଟିଓରୁ ଅନୁମତି ନେବାକୁ ହେବ। ପ୍ରତ୍ୟେକ ପିକ୍‌ନିକ୍ ସ୍ଥାନରେ ପରିବହନ ବିଭାଗ କର୍ମଚାରୀ ନିୟୋଜିତ ରହିବେ। ଯେଉଁ ଗାଡ଼ିଗୁଡ଼ିକର ଫିଟ୍‌ନେସ୍ ସାର୍ଟିଫିକେଟ୍ ବଳବତ୍ତର ଅଛି, କେବଳ ସେମାନେ ପିକ୍‌ନିକ୍‌ ପାଇଁ ଅନୁମତି ପାଇବେ। ପ୍ରମୁଖ ପିକ୍‌ନିକ୍ ସ୍ଥାନଗୁଡ଼ିକରେ ଦୁର୍ଘଟଣାଜନିତ ସଚେତନତା କରାଯିବ। ବିପଜ୍ଜନକ ବା ଆପତ୍ତିଜନକ ସାମଗ୍ରୀ ପରିବହନ ରୋକିବା ପାଇଁ ପିକ୍‌ନିକ୍ ସ୍ଥଳ ବା ତୀର୍ଥସ୍ଥଳରେ ପୁଲିସ ଗାଡ଼ିଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବେ। ଓଭରଲୋଡିଂ ହେବା ଜଣାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି। ପିକ୍‌ନିକ୍‌ ସ୍ଥଳରେ ପରିବହନ ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ବାର୍ତ୍ତା ଲିଫ୍‌ଲେଟ୍‌ ଓ ପାମ୍ପଲେଟ ଜରିଆରେ ପ୍ରଦାନ ନିମନ୍ତେ ମାର୍ଗଦର୍ଶିକାରେ ନିର୍ଦେଶ ରହିଛି।

Comments are closed.