ଦିଗଭ୍ରଷ୍ଟ ପାକିସ୍ତାନ
୨୦୧୯ ମସିହାରେ କାଶ୍ମୀରର ପୁଲୱାମାରେ ଏକ ସିଆର୍ପିଏଫ୍ ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ କଲେ। ଗୋଟିଏ କାର୍ରେ ବହୁ ପରିମାଣରେ ବିସ୍ଫୋରକ ପଦାର୍ଥ ରଖି ସିଆର୍ପିଏଫ୍ ଗାଡ଼ିକୁ ଧକ୍କା ମାରିବାରୁ ଗାଡ଼ିଟି ଜଳିଗଲା ଏବଂ ଚାଳିଶରୁ ଊର୍ଦ୍ଧ୍ବ ସିଆର୍ପିଏଫ୍ ଯବାନଙ୍କ ମୃତ୍ୟୁ ହୋଇଥିଲା। ଆକ୍ରମଣ ଯେଉଁ ରକମର ହୋଇଥିଲା ସେଥିରୁ ଅନୁମାନ କରିହେଲା ଯେ ଏହା ପାକିସ୍ତାନ ପ୍ରରୋଚିତ; କିନ୍ତୁ ପାକିସ୍ତାନ ସାଙ୍ଗେସାଙ୍ଗେ ଏ ଅଭିଯୋଗକୁ ଖଣ୍ଡନ କଲା। ଆମର ତଦନ୍ତ ଅଧିକାରୀ ଜାଣିପାରିଲେ ଯେ ସନ୍ତ୍ରାସବାଦୀମାନେ ପାକିସ୍ତାନ ସହାୟତାରେ ଏ କାର୍ଯ୍ୟ କରିଛନ୍ତି ଓ ସେଭଳି ଘୋଷଣା ଯେତେବେଳେ କରାଗଲା ଗୋଟିଏ ରାଜନୈତିକ ଦଳ ଏହା ମିଛ ଓ ଯଥେଷ୍ଟ ପ୍ରମାଣ ଦିଅ ବୋଲି ସରକାରଙ୍କୁ ଆହ୍ବାନ କଲେ। ଅଥଚ ବିଶ୍ବର ଅନେକ ଦେଶ ପୁଲୱାମାରେ ହୋଇଥିବା ଏହି ଘଟଣାକୁ ନେଇ ପାକିସ୍ତାନକୁ ନିନ୍ଦା କଲେ। ଏହିଭଳି ବାଦାନୁବାଦ ଅନେକ ଦିନ ପର୍ଯ୍ୟନ୍ତ ଚାଲିଲା ଓ ଏବେ ଜଣାପଡ଼ିଲା ପ୍ରକୃତ ଘଟଣା କ’ଣ।
ପାକିସ୍ତାନର ଜଣେ ମନ୍ତ୍ରୀ ଫୱାଦ ଚୌଧରୀ ତାଙ୍କ ପାର୍ଲାମେଣ୍ଟରେ ଦୃଢ଼ତାର ସହିତ କହିଲେ ଯେ ଆମେ ଭାରତ ଭିତରେ ଜବରଦସ୍ତ ପଶି ପୁଲୱାମାରେ ଅନେକ ଶତ୍ରୁଙ୍କୁ ମାରିଲୁ ଓ ସେଥିପାଇଁ ଆମ ସରକାର, ଆମ ଦଳ, ଆମ ନେତା ଇମ୍ରାନ ଖାନ୍ ଓ ସମସ୍ତ ବିରୋଧୀ ଦଳ ଅଭିନନ୍ଦନୀୟ। ପାକିସ୍ତାନ ଏଭଳି ଏକ ବିକୃତ ମାନସିକତାରେ ପହଞ୍ଚିଛି ଯେ ଯିଏ ଯେତିକି ବେଶି ଭାରତକୁ ଗାଳିଦବ ସେ ସେତିକି ବେଶି ତାଳିମାଡ଼ ପାଇବ। ତେଣୁ ପାକିସ୍ତାନ ମନ୍ତ୍ରୀଙ୍କର ବାହୁସ୍ଫୋଟ ବେଶ୍ ପ୍ରଶଂସିତ ହେଲା; କିନ୍ତୁ ସେ ଦେଶ ପ୍ରତି ଦୁଇଟି ବିପଦ ସୃଷ୍ଟି ହେଲା। ତା’ଛଡ଼ା ବଦନାମ୍। ଇମ୍ରାନ ଖାନ୍ଙ୍କ ଦଳର ଜଣେ ପୂର୍ବତନ ମନ୍ତ୍ରୀ (ସାଜେଦ୍) ଓ ବର୍ତ୍ତମାନ ସାଂସଦ ପାର୍ଲାମେଣ୍ଟରେ କହିଲେ ଯେ ବାଲାକୋଟ ଘଟଣା ପରେ ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ ପାଇଲଟ୍ଙ୍କୁ ମୁକ୍ତ କରିବା ପାଇଁ ଭାରତ ପକ୍ଷରୁ ଭୀଷଣ ଚାପ ପଡ଼ିଲା ଏବଂ ଯୁଦ୍ଧର ଧମକ ଦିଆଗଲା। ତରବରରେ ବୈଠକ ଡକାଗଲା ଯେଉଁଥିରେ ଉକ୍ତ ସାଂସଦ (ସେତେବେଳର ମନ୍ତ୍ରୀ), ବୈଦେଶିକ ମନ୍ତ୍ରୀ କ୍ୟୁରେସି ଓ ସେନାବାହିନୀର ମୁଖ୍ୟ ବାଜୁଆ ଉପସ୍ଥିତ ଥିଲେ। କ୍ୟୁରେସି କହିଲେ, ପାଇଲଟ୍ ଅଭିନନ୍ଦନ ବର୍ତ୍ତମାନଙ୍କୁ ସାଙ୍ଗେସାଙ୍ଗେ ଖଲାସ ନକଲେ ଭାରତ ରାତି ନଅଟା ସୁଦ୍ଧା ଆକ୍ରମଣ କରିବ ଓ ପ୍ରଥମେ କରାଚି ବନ୍ଦରକୁ ଘେରିବ। ସାଂସଦଙ୍କ କହିବା କଥା ଯେ ଏକଥା ଶୁଣି ସେନାପତି ବାଜୁଆ ଥରିଲେ। ବୋଧହୁଏ ସେ ଯୁଦ୍ଧ ପାଇଁ ପ୍ରସ୍ତୁତ ନଥିଲେ ଓ ଅଭିନନ୍ଦନ ବର୍ତ୍ତମାନ ମୁକ୍ତ ହେଲେ। ଏବେ ପାକିସ୍ତାନରୁ ଯାହା ବିବରଣୀ ଆସିଲା ସେ ବିଷୟରେ ଭାରତର ବିରୋଧ ଦଳ ନେତାମାନେ ତାଙ୍କର ପୂର୍ବ କଥାଟାକୁ ଏଡ଼ାଇ ଦେଇ ବର୍ତ୍ତମାନ କହୁଛନ୍ତି ଗୁଇନ୍ଦା ବାହିନୀର ଅସଫଳତା ବିଷୟରେ କୈଫିୟତ୍ ଦିଅ।
ପାକିସ୍ତାନ ବର୍ତ୍ତମାନ ଯାହା କହିଲା (ଅବଶ୍ୟ ପରବର୍ତ୍ତୀ ସମୟରେ ଉକ୍ତ ମନ୍ତ୍ରୀ ଚୌଧରୀ କହିଲେ ଯେ ମୋ କଥାଟାକୁ ବିକୃତ କରାଯାଇଛି।) ସେଥିପାଇଁ ଅଡୁଆରେ ପଡ଼ିଛି। ଭାରତ ଅନ୍ତର୍ଜାତୀୟ ଅଦାଲତରେ କେସ୍ କରିବ ବୋଲି କହିସାରିଲାଣି, ଦ୍ବିତୀୟରେ ପାକିସ୍ତାନ ଭାରତକୁ ସନ୍ତ୍ରାସବାଦ ରପ୍ତାନି କରୁଛି ବୋଲି ଜାତିସଂଘରେ ଅଭିଯୋଗ କରିବ। ପାକିସ୍ତାନକୁ ଏକ ସନ୍ତ୍ରାସବାଦୀ ରାଷ୍ଟ୍ର ବୋଲି ଘୋଷଣା କରିବାକୁ ଦାବି କରିବ। ପାକିସ୍ତାନର ଅର୍ଥନୀତି ବଡ଼ ଦୁର୍ବଳ ପରିସ୍ଥିତିରେ ଥିବାରୁ ବର୍ତ୍ତମାନ ବିଭିନ୍ନ ଅନୁଷ୍ଠାନ ଓ ଦେଶର (ବିଶ୍ବବ୍ୟାଙ୍କ, ଚାଇନା ଇତ୍ୟାଦି) ଆଗରେ ଭିକ୍ଷାଥାଳି ଦେଖାଉଛି। ପୂର୍ବରୁ ସାଉଦି ଆରବ ଧାର ଏବଂ ସାହାଯ୍ୟ ଦେଉଥିଲା। ପାଖାପାଖି ଚାଳିଶ ଲକ୍ଷ ପାକିସ୍ତାନୀ ସେ ଦେଶରେ କାମ କରି ଘରକୁ ଟଙ୍କା ପଠାଇବାରୁ ପାକିସ୍ତାନ ଉପକୃତ ହେଉଛି। ଅଥଚ ପାକିସ୍ତାନ ତୁର୍କୀ, ମାଲେସିଆ ସାଙ୍ଗରେ ଏକଜୁଟ୍ ହୋଇ ସାଉଦି ଆରବର ପ୍ରଭାବ ହ୍ରାସ କରିବା ପାଇଁ ଚେଷ୍ଟା କରୁଛି। ସାଉଦି ଆରବ ଏବଂ ଇରାନ୍ ପରସ୍ପର ବିରୋଧୀ ଦୁଇ ଦେଶ। ଇରାନ୍ ହେଲା ସିଆମାନଙ୍କ ରାଷ୍ଟ୍ର, ସାଉଦି ଆରବ ହେଲା ସୁନ୍ନିମାନଙ୍କର। ମହମ୍ମଦଙ୍କର କିଏ ପ୍ରକୃତ ଉତ୍ତରାଧିକାରୀ ତାହାକୁ ନେଇ ଶହଶହ ବର୍ଷ ହେଲା ଏ ବିବାଦ ଚାଲିଛି। ଯେହେତୁ ପାକିସ୍ତାନ, ତୁର୍କୀ ଓ ମାଲୟେସିଆ ତୁର୍କୀକୁ ପ୍ରାଧାନ୍ୟ ଦେବା ପାଇଁ ଏକଜୁଟ୍, ଇରାନ ସେମାନଙ୍କ ସହିତ ଯୋଗ ଦେଇପାରେ। ପାଠକମାନେ ଜାଣିଥିବେ ଯେ ଏକଦା ଖଲିପା ମୁସଲିମ୍ ଜଗତକୁ ଶାସନ କରୁଥିଲେ। ତାଙ୍କ ରାଜଧାନୀ ଥିଲା ବାଗ୍ଦାଦ୍। ତା’ପରେ ଖଲିପା ତୁର୍କୀରୁ ମୁସଲମାନଙ୍କୁ ଶାସନ କଲେ। ପ୍ରଥମ ମହାଯୁଦ୍ଧ ସମୟରେ ତୁର୍କୀର ପକ୍ଷ ଚ୍ଛେଦନ କରିବା ପାଇଁ ଇଂଲଣ୍ଡ, ଫ୍ରାନ୍ସ ଓ ଆମେରିକା ଚେଷ୍ଟା କଲେ। ତୁର୍କୀରୁ ଖଲିପା ପଦକୁ ଉଚ୍ଛେଦ କରି ମୁସ୍ତାକ ଓକମାଲ ପାଶାଙ୍କୁ ଶାସକ ଭାବରେ ବସେଇଲେ। ସେତେବେଳେ ଆମ ଦେଶରେ ହିନ୍ଦୁ, ମୁସଲମାନ ମିଶିଯାଇ ‘ଖିଲାଫତ୍ ଆନ୍ଦୋଳନ’ କରିଥିଲେ। କେତେକ କହୁଛନ୍ତି ଯେ ଗାନ୍ଧିଜୀଙ୍କର ଆଶା ଥିଲା ଯେ ଏହି ଆନ୍ଦୋଳନ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ସ୍ଥାୟୀ ଏକତା ସୃଷ୍ଟିକରିବ; ଏହା ଭୁଲ୍ ଥିଲା। ଖିଲାଫତ୍ ଆନ୍ଦୋଳନର ଆବଶ୍ୟକତା ନଥିଲା ବୋଲି ପରେ ପ୍ରମାଣିତ ହେଲା। ପ୍ରଥମ ମହାଯୁଦ୍ଧ ସମୟରେ ଭାରତର ତୁର୍କୀ ପ୍ରତି ସହାନୁଭୂତି ଥିଲା।
ବର୍ତ୍ତମାନ ସେ ଦେଶର ଲୋକଙ୍କର ଧାରଣା (ଯାହା ପାକିସ୍ତାନ ସେ ଦେଶରେ ସୃଷ୍ଟି କରିବାରେ ସମର୍ଥ ହୋଇଛି) ଯେ ଭାରତର କେବଳ ମୁସଲମାନମାନେ ସମର୍ଥନ କରୁଥିଲେ। ତେଣୁ ସେମାନଙ୍କର କୃତଜ୍ଞତା ପାକିସ୍ତାନ ପ୍ରତି। ଦ୍ବିତୀୟ ମହାଯୁଦ୍ଧ ପରେ ତୁର୍କୀ ଇଂଲଣ୍ଡ ଓ ଆମେରିକାର ବନ୍ଧୁ ହୋଇଗଲା ଏବଂ ‘ନାଟୋ’ର ସଦସ୍ୟ ହେଲା। ତେଣୁ ତୁର୍କୀ ରୁଷିଆ ଓ ଚୀନ ବିରୋଧରେ ଗଲା। ଯେହେତୁ ପାକିସ୍ତାନର ପଶ୍ଚିମ ଦେଶର ଶକ୍ତି ଆମେରିକା ସହିତ ସାମରିକ ସମ୍ପର୍କ ସ୍ଥାପିତ ହେଲା, ତୁର୍କୀ ଓ ପାକିସ୍ତାନ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଲା। ୧୯୬୨ରେ ଭାରତ-ଚୀନ ମଧ୍ୟରେ ଯୁଦ୍ଧ ହେଉଥିବା ସମୟରେ ତୁର୍କୀ ଭାରତକୁ କିଛି ପାର୍ବତ୍ୟ କମାଣ ଦେବ ବୋଲି ଘୋଷଣା କଲା; କିନ୍ତୁ ପାକିସ୍ତାନ ପ୍ରତିବାଦ କରିବାରୁ ଘୋଷଣାକୁ ରଦ୍ଦ କରିଦେଲା। ସେ ସମୟରେ ତୁର୍କୀ ଥିଲା ଧର୍ମ ନିରପେକ୍ଷ ରାଷ୍ଟ୍ର। ପରେ ନିଜକୁ ଇସ୍ଲାମ ରାଷ୍ଟ୍ର ବୋଲି ଘୋଷଣା କଲା। ଏବେ ଚାହୁଁଛି ମୁସଲିମ୍ ଜଗତରେ ପ୍ରଭୁତ୍ବ। ପରମାଣୁ ବୋମା ହାସଲ କରିବାରୁ ପାକିସ୍ତାନ ନିଜକୁ ଇସଲାମ୍ ଜଗତର ସବୁଠାରୁ ଶକ୍ତିବାନ୍ ରାଷ୍ଟ୍ର ବୋଲି ମନେକରୁଛି। ସାଉଦି ଆରବ ଏ ପର୍ଯ୍ୟନ୍ତ ପାକିସ୍ତାନକୁ ବହୁତ ସାହାଯ୍ୟ ଦେଇଛି। ଏପରିକି ପାକିସ୍ତାନର ଏକ ବାଟାଲିଅନ ସୈନ୍ୟ ସାଉଦି ରାଜାଙ୍କର ରାଜପ୍ରସାଦ ଜଗିଛି। ସେଥିପାଇଁ ପାକିସ୍ତାନ ବହୁତ ପଇସା ପାଏ।
ମୁସଲମାନଙ୍କ ମଧ୍ୟରେ କେତେକ କଠୋରପନ୍ଥୀ ଗୋଷ୍ଠୀ ଅଛନ୍ତି ଓ ସେମାନଙ୍କ ମଧ୍ୟରେ ସବୁଠାରୁ ଆଗରେ ଅଛନ୍ତି ୱାହାବି ଗୋଷ୍ଠୀ। ୱାହାବିର ଜନ୍ମ ହେଲା ସାଉଦି ଆରବରେ ଏବଂ ପାକିସ୍ତାନର ଭୂତପୂର୍ବ ସାମରିକ ଶାସକ ଜିଆ ଉଲ୍ ହକ୍ ଯିଏ ତାଙ୍କୁ ସେଇ ପଦରେ ବସେଇଥିଲେ ସେଇ ଭୁଟ୍ଟୋଙ୍କୁ ଫାଶୀ ଆଦେଶ ଦେଲେ। ସେତେବେଳେ ସାଉଦି ଆରବ ଭୁଟ୍ଟୋଙ୍କୁ ଛାଡ଼କରିବା ପାଇଁ ଉପରଠାଉରିଆ ଅନୁରୋଧ କରିଥିଲା; କିନ୍ତୁ ଜିଆ-ଉଲ୍-ହକ୍ କାହା କଥା ଶୁଣିନଥିଲେ। ସାଉଦି ଆରବକୁ ଖୁସି କରିବା ପାଇଁ ଜିଆ-ଉଲ୍-ହକ୍ ସେନାବାହିନୀରେ ୱାହାବି ଧର୍ମ ପୂରେଇଲେ। ତା’ଛଡ଼ା ଶହଶହ ମଦ୍ରାସା ବସେଇଲେ। ଏଇ ମଦ୍ରାସାରେ ଭୂଗୋଳ, ଜ୍ୟାମିତି, ସାହିତ୍ୟ ଯେତିକି ପଢ଼ାଯାଏ ତା’ଠାରୁ ବେଶି କୋରାନ ଘୋଷିବା ଓ ଇତିହାସ ବହିମାନଙ୍କରେ ହିନ୍ଦୁ, ଖ୍ରୀଷ୍ଟିଆନ୍, ଶିଖ୍, ଜିଉମାନଙ୍କ ବିରୋଧରେ ବହୁତ ଉଲ୍ଲେଖ ଥାଏ। ଏପରିକି ଇତିହାସ ବହିରେ ଲେଖାହେଇଛି ଯେ ୧୯୭୧ ମସିହା ଯୁଦ୍ଧରେ ଭାରତୀୟ ଦୟନୀୟ ଭାବରେ ପରାସ୍ତ ହେଲା। ସେଇଭଳି କାରଗିଲ୍ ଯୁଦ୍ଧରେ ଆମେରିକା ଅନୁରୋଧ କରିବାରୁ ପାକିସ୍ତାନ ଜିତୁଥିବାବେଳେ ନିଜ ସୈନ୍ୟ ଫେରେଇ ନେଲା। ସେ କଥା ଏବେ କୁହାଯାଉଛି; କିନ୍ତୁ କାର୍ଗିଲ୍ ଯୁଦ୍ଧ ଚାଲିଥିବା ସମୟରେ ପାକିସ୍ତାନ କହିଥିଲା ଯେ ସ୍ଥାନୀୟ ଲୋକ ଭାରତ ବିରୋଧରେ ବିଦ୍ରୋହ କରିଛନ୍ତି। ପାକିସ୍ତାନର ଗୋଟେ ବି ସୈନ୍ୟ ସେଠାରେ ନାହାନ୍ତି। ବାରମ୍ବାର ମିଛ କହିବା ପାକିସ୍ତାନର ଅଭ୍ୟାସ।
କାଶ୍ମୀରରେ ଧାରା ୩୭୦ ପ୍ରଧାନମନ୍ତ୍ରୀ ମୋଦୀ ଉଚ୍ଛେଦ କରିଥିବାବେଳେ ପାକିସ୍ତାନ ମିତ୍ରରାଷ୍ଟ୍ରମାନଙ୍କର ସମର୍ଥନ ଲୋଡ଼ିଲା। ଆଶା କରୁଥିଲା ଯେ ସମସ୍ତ ମୁସଲମାନ୍ ଦେଶଗୁଡ଼ିକ ଆଗେଇ ଆସିବେ। ତୁର୍କୀ, ମାଲୟେସିଆ, ଲେବାନନ୍ ଖୋଲାଖୋଲି ସମର୍ଥନ କଲେ ଅଥଚ ଆଉ କେହି ବିଶେଷ ଆଗ୍ରହ ଦେଖାଇଲେ ନାହିଁ। ପାକିସ୍ତାନ ହିସାବ କରିଥିଲା ଯେ କାଶ୍ମୀରରେ ବିରାଟ ଆନ୍ଦୋଳନ ହେବ; କିନ୍ତୁ ବହୁତ ପ୍ରତିଷେଧକମୂଳକ ପଦକ୍ଷେପ ନେଇ ଭାରତ ସମ୍ଭାବନାକୁ ଏଡ଼ାଇଦେଲା। ତା’ପରେ ସାଉଦି ଆରବ ଉପରେ ପାକିସ୍ତାନ ବାରମ୍ବାର ଚାପ ପକେଇଲା, ମୁସଲମାନ ଦେଶମାନଙ୍କର ସମ୍ମିଳନୀରେ କାଶ୍ମୀର ପ୍ରସଙ୍ଗ ଉଠାଯାଉ; କିନ୍ତୁ ସେ ଦେଶ ଅସମ୍ମତ ହେଲା। ପାକିସ୍ତାନର ପ୍ରଧାନମନ୍ତ୍ରୀ ସାଉଦି ଆରବର ରାଜାଙ୍କୁ ସାକ୍ଷାତ୍ ସମୟରେ ଉଚିତ ବ୍ୟବହାର କଲେନାହିଁ। ଏଭଳି ଅଭ୍ୟାସ ଇମ୍ରାନ ଖାନ୍ଙ୍କର ଅଛି। ଏକଦା ଏକ ବିଶ୍ବ ସମ୍ମିଳନୀରେ ସଭାପତି ପ୍ରବେଶ କଲାବେଳେ ସବୁଦେଶର ପ୍ରତିନିଧି ଠିଆ ହୋଇପଡ଼ିଲେ; କିନ୍ତୁ ଇମ୍ରାନ ବସିରହିଲେ। ପରମାଣୁ ବୋମା ବ୍ୟବହାର କରିବାର ଅଧିକାର ଥିବାରୁ ପାକିସ୍ତାନ ମଦମତ୍ତ ହେଇଯାଇଛି। ବିଶ୍ବସ୍ତରରେ ପାକିସ୍ତାନକୁ ଧରାଯାଏ ସେ ବାମ ହାତରେ ଭିକ୍ଷାଥାଳି ଓ ଡାହାଣ ହାତରେ ଠେଙ୍ଗା ଧରିଥିବା ଦେଶ।
ପାକିସ୍ତାନର ପ୍ରଥମ ଶତ୍ରୁ ହେଲା ଭାରତ। ତେଣୁ ଚୀନ ସାଙ୍ଗରେ ବନ୍ଧୁତା। ଏବେ ଚେଷ୍ଟା କରୁଛି ଭାରତ-ରୁଷିଆ ସମ୍ପର୍କକୁ ଦୁର୍ବଳ କରିବ; କିନ୍ତୁ ଆରବ ଦେଶମାନଙ୍କରେ ଘଟୁଥିବା ପରିବର୍ତ୍ତନ ସେ ଦେଶକୁ ଚିନ୍ତାରେ ପକଉଛି। ପାକିସ୍ତାନର ଆଉ ଏକ ଶତ୍ରୁ ହେଲା ଇସ୍ରାଏଲ। ଯଦିବା ଇସ୍ରାଏଲ ସେ ଦେଶର କିଛି କ୍ଷତି କରିନାହିଁ; କିନ୍ତୁ ଗୋଟିଏ ପରେ ଗୋଟିଏ ଆରବ ଦେଶ ଇସ୍ରାଏଲ ସାଙ୍ଗରେ କୂଟନୈତିକ ସମ୍ପର୍କ ସ୍ଥାପନ କରୁଥିବାରୁ ପାକିସ୍ତାନ ଏକୁଟିଆ ହୋଇଯିବ ବୋଲି ଭୟ କରୁଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଆରବ ଦେଶମାନଙ୍କର ଆଭିମୁଖ୍ୟ ଅନ୍ୟ ଏକ ଚିନ୍ତାର କାରଣ। ବିଭିନ୍ନ ଆରବ ଦେଶମାନଙ୍କରେ ତାଙ୍କୁ ସର୍ବୋଚ୍ଚ ସମ୍ମାନ ଦେବା, ଆବୁଧାବିରେ ବିରାଟ ହିନ୍ଦୁ ମନ୍ଦିରର ମୂଳଦୁଆ ପକେଇବା ସମୟରେ ସେ ଦେଶର ଯୁବରାଜ ଉପସ୍ଥିତ ରହିବା ପାକିସ୍ତାନରେ ଚମକ ସୃଷ୍ଟି କରିଛି। ଆରବ ଦେଶମାନଙ୍କରୁ ଭାରତକୁ ପେଟ୍ରୋଲ ଯୋଗାଇବା ଓ ପ୍ରାୟ ଶହେ ବିଲିୟନ ଡଲାର ପୁଞ୍ଜିନିବେଶ କରିବାରେ ପାକିସ୍ତାନର ଗାତ୍ରଦାହ ହେଉଛି। ତେଣୁ ଭାରତ, ଚୀନ ଯୁଦ୍ଧ ହେଲେ ପାକିସ୍ତାନ ଭାରତକୁ ଆକ୍ରମଣ କରିବାର ଯଥେଷ୍ଟ ସମ୍ଭାବନା ଅଛି। ଏହା କଲେ ତୁର୍କୀ, ଲେବାନନ୍ ଓ କେତେକ ଦେଶରୁ ସାହାଯ୍ୟ ମିଳିପାରେ; କିନ୍ତୁ ଆମେରିକା କ୍ଷୁବ୍ଧ ହବ। ଏଇଭଳି ଦ୍ବିଧାରେ ପଡ଼ି ପାକିସ୍ତାନ ଅନ୍ତର୍ଦ୍ବନ୍ଦ୍ବ ଆଡ଼କୁ ଗତି କରୁଚି। ମୁଖ୍ୟ ବିରୋଧୀ ଦଳମାନେ ଇମ୍ରାନ ଖାନ୍ଙ୍କ ବିରୋଧରେ ଏକଜୁଟ୍ ହେଲେଣି। ଯେଉଁମାନେ ଭାବୁଛନ୍ତି ଯେ ସୈନ୍ୟବାହିନୀ ଖଣ୍ଡ ଖଣ୍ଡ ହୋଇଯିବ ତାହା ଭୁଲ। କାରଣ ସେମାନେ ପ୍ରାୟ ସମସ୍ତେ ୱାହାବି ଧର୍ମରେ ଦୀକ୍ଷିତ। ସିଆମାନେ ସମସ୍ୟା ସୃଷ୍ଟି କରିପାରିବେ ନାହିଁ ଯେହେତୁ ସେମାନଙ୍କର ସଂଖ୍ୟା ମାତ୍ର ପନ୍ଦର ପ୍ରତିଶତ। ସମସ୍ୟା ଉପୁଜିବ ରାଜନୀତିରୁ ଓ ସୈନ୍ୟବାହିନୀର ଆଭିମୁଖ୍ୟରୁ। ମୁଣ୍ଡକଟା କୁକୁଡ଼ା କେତେକ ସମୟ ପାଇଁ ଇଆଡ଼େ ସେଆଡ଼େ ବୁଲିବା ପରି ପାକିସ୍ତାନ ହେଉଛି। ତେଣୁ ଆମ ଦେଶକୁ ସାବଧାନ ହେବାକୁ ପଡ଼ିବ।
ବିପିନ ବିହାରୀ ମିଶ୍ର (ପୂର୍ବତନ ଡି.ଜି.)
ମୋ : ୯୦୪୦୪୧୨୩୭୮
Comments are closed.