ଭୁବନେଶ୍ଵର : ଓଡିଶାରେ କରୋନାର ସ୍ଥିତି ଏବଂ ମୁକାବିଲା ପ୍ରସ୍ତୁତି ନେଇ ଆଜି ଫୋନରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଭୟ ଶୁକ୍ରବାର ସକାଳେ ଫୋନରେ କରୋନା ମୁକାବିଲା ଏବଂ ଶ୍ରୀକ୍ଷେତ୍ର ପୁରୀର ବିଶ୍ଵପ୍ରସିଦ୍ଧ ରଥଯାତ୍ରା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିବା ଜଣାପଡିଛି । ଆଜି ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ହେଉଥିବା ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଅନ୍ୟପଟେ ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେବ କି ନାହିଁ, ସେ ନେଇ ରାଜ୍ୟ ସରକାର ବିଚାର ବିମର୍ଷ ଆରମ୍ଭ କରିଛନ୍ତି। ଗତକାଲି ଅପରାହ୍ନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର କ୍ରିଷନ୍ କୁମାର ଓ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଲୋଚନା କରିଥିଲେ । ଏହା ପରେ ପରେ ରାତିରେ ମୁଖ୍ୟପ୍ରଶାସକ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ତାଙ୍କ ଭୁବନେଶ୍ବର ସ୍ଥିତ ବାସଭବନରେ ଭେଟି ରଥଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଏବଂ ଗଜପତି ମହାରାଜା ଦିବ୍ୟସିଂହ ଦେବ ରଥଯାତ୍ରା ସମ୍ପର୍କରେ କଣ ମତ ରଖିଲେ ତାହା ଜଣାପଡିନଥିଲେ ମଧ୍ୟ ଆଜି ବସୁଥିବା ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରୀ ବୈଠକରେ ରଥଯାତ୍ରା ନେଇ କିଛି ବଡ ନିଷ୍ପତ୍ତି ନିଆଯିବ ବୋଲି ଆଲୋଚନା ହେଉଛି । ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି ବୈଠକ କରାଯିବ ବୋଲି ସୂଚନା ମିଳୁଛି।



