ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଶିମିଳିପାଳ ପାଦଦେଶ ଭେଜିଡିହା ଜଙ୍ଗଲ ଅଞ୍ଚଳରୁ ଶିକାରୀମାନେ ଜଙ୍ଗଲରେ ଲୁଚାଇ ରଖିଥିବା ୭ଟି ଦେଶୀ ବନ୍ଧୁକକୁ ଆଜି ସକାଳୁ ସ୍ଥାନୀୟ ସରପଞ୍ଚ, ୱାର୍ଡ ମେମ୍ବର ଓ ବନକର୍ମଚାରୀ ମାନେ ଉଦ୍ଧାର କରି ଠାକୁରମୁଣ୍ଡା ଥାନାରେ ଜିମା ଦେଇଛନ୍ତି।
ଗତ କିଛି ମାସ ତଳେ ଶିମିଳିପାଳ ଅଭୟାରଣ୍ୟରେ ୨ ଜଣ ବନ କର୍ମଚାରୀଙ୍କୁ ହତ୍ୟା ପରେ ପୁଲିସ ଓ ବନବିଭାଗର ପକ୍ଷରୁ ମିଳିତ ଭାବେ ବନ୍ଧୁକ ଆତ୍ମସମର୍ପଣ ଅଭିଯାନ , ଶିମିଳିପାଳ ସଂଲଗ୍ନ ଜଙ୍ଗଲ ଲାଗି ରହିଥିବା ଗ୍ରାମଗୁଡିକରେ ଆରମ୍ଭ କରାଯାଇ ଜୁଲାଇ ମାସ ୩୧ ତାରିଖ ବନ୍ଧୁକ ଆତ୍ମସମର୍ପଣର ଶେଷ ଦିନ ରଖା ଯାଇଥିଲା। ଆତ୍ମସମର୍ପଣର ଶେଷ ଦିନ ପରେ ବନ୍ଧୁକ ରଖିଥିବ। ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଚାର କରାଯାଇଥିଲା। ସମର୍ପଣର ଶେଷ ଦିନରେ ସ୍ଥାନୀୟ ସରପଞ୍ଚ ମାନଙ୍କ ସାହାଯ୍ୟରେ ନିକଟରେ ଥିବା ୨୪ ଟି ଦେଶୀ ବନ୍ଧୁକକୁ ଶିକାରୀ ମାନେ ସମର୍ପଣ କରିଥିଲେ। ସେଗୁଡିକୁ ସ୍ଥାନୀୟ ସରପଞ୍ଚ ମାନେ ମହୁଲଡ଼ିହା ଓ ଠାକୁରମୁଣ୍ଡା ଥାନାରେ ଜିମା ଦେଇଥିଲେ। ପୁଣି ବନ୍ଧୁକ ସମର୍ପଣର ୮ ଦିନ ପରେ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଭେଜଡ଼ିହା ଲାଇନ ଚଟଣି ବୁରୁ ଜଙ୍ଗଲରେ ଥିବା ବିଭିନ୍ନ ଗଛ କୋରଡ,ପଥର ଖୋଲ ଭିତରେ ଶିକାରୀ ମାନେ ବନ୍ଧୁକ ଲୁଚାଇଥିବା ନେଇ ଚମ୍ପାଝର ସରପଞ୍ଚ ବିକ୍ରମ ପିଙ୍ଗୁଆ ଓ ୱାର୍ଡ ସଭ୍ୟ ଗୋବିନ୍ଦ ଲାମୀୟା, ନାରାୟଣ ହୋଙ୍କ ସୂଚନା ଅନୁଯାୟୀ ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ କିଶୋର କୁମାର ପାଣିଗ୍ରାହୀ ଓ ଦାୟିତ୍ୱରେ ଥିବା ଫରେଷ୍ଟ ଗାଡ କିଶୋର ମହାନ୍ତ ଅନ୍ୟ ବନ କର୍ମଚାରୀ ମାନେ ଜଙ୍ଗଲ ଭିତରେ ଖୋଜା ଖୋଜି କରି ଶିକାରୀ ମାନେ ଲୁଚାଇ ରଖିଥିବା ୭ ଟି ବନ୍ଧୁକକୁ ଉଦ୍ଧାର କରି ଥିଲେ। ଉଦ୍ଧାର ବନ୍ଧୁକ ଗୁଡିକୁ ଠାକୁରମୁଣ୍ଡା ଥାନାରେ ବନ ବିଭାଗ ପକ୍ଷରୁ ଜିମା ଦେଇଥିବା ନେଇ ରେଞ୍ଜ ଅଧିକାରୀ କିଶୋର କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ପୁଣି ଶିମିଳିପାଳ ପାଦଦେଶ ଜଙ୍ଗଲରୁ ୭ଟି ଦେଶୀ ବନ୍ଧୁକ ଜବତ
Popular Categories



