ଅନନ୍ୟ ପରମ୍ପରା ଠାକୁରାଣୀ ଘଣ୍ଟଯାତ୍ରା ଉଦଯାପିତ, ଭକ୍ତଙ୍କ ପିଠିରେ ଚଢି ଆସ୍ଥାନକୁ ଗଲେ ମା’

ଲାଞ୍ଜିଗଡ: ଲାଞ୍ଜିଗଡର ଇଷ୍ଟଦେବୀ ମା’ ଠାକୁରାଣୀ ଗତ ୯ ଦିନ ଧରି ଦ୍ବାର ଦ୍ବାର ବୁଲି ଭକ୍ତଙ୍କୁ ଦର୍ଶନ ଦେବାପରେ ଶୁକ୍ରବାର ନିଜ ଆସ୍ଥାନରେ ବିରାଜମାନ କରିଛନ୍ତି । ପୂଜକ ଭକ୍ତଙ୍କ ପିଠିରେ ଚଢି ମା’ଙ୍କୁ ଆସ୍ଥାନକୁ ନେଇଥିଲେ। ଦ୍ୱିତୀୟ ତିଥିରୁ ମା’ ଠାକୁରାଣୀଙ୍କ ଘଣ୍ଟଯାତ୍ର ଆରମ୍ଭ ହୋଇଥିଲା। ଲାଞ୍ଜିଗଡ ରାଜ ଉଆସରୁ ମା’ଙ୍କ ଘଣ୍ଟକୁ ଶୃଙ୍ଗାର କରି ଗାଁ ମଝିରେ ଥିବା ମନ୍ଦିରକୁ ଅଣାଯାଇ ପୂଜାର୍ଚ୍ଚନା କରି ପୂଜକମାନେ ଆବାହନ କରିଥିଲେ। ପରେ ମା’ଙ୍କ ମୁଖ୍ୟ ପୂଜକ ଅଭିମନ୍ୟୁ ପାତ୍ର ଓ ଜମ୍ବେଶ୍ୱର ପୂଜାରୀ ମା’ଙ୍କ ଘଣ୍ଟକୁ ମୁଣ୍ଡରେ ବହନ କରିଥିବାବେଳେ ମହେଶ୍ୱର ପ୍ରଧାନୀ ମା’ଙ୍କ ଛତର ଧରି ଅଞ୍ଚଳର ବିଭିନ୍ନ ଗାଁ ପରିକ୍ରମା କରିଥିଲେ। ଦୀର୍ଘ ୮ ଦିନ କାଳ ବିଭିନ୍ନ ଗାଁକୁ ଯାଇ ଭକ୍ତମାନଙ୍କ ଘରେ ପୂଜା ପାଇବା ପରେ ନବମ ଦିନ ନିଜ ମନ୍ଦିରରେ ଗୋଟିଏ ଦିନ ପାଇଁ ବିଶ୍ରାମ ନେଇଥିଲେ। ପୁଣି ସେହିଦିନ ସନ୍ଧ୍ୟାରେ ଲାଞ୍ଜିଗଡ ରାଜାଙ୍କ ଘରକୁ ଯାଇ ପୂଜା ପାଇବା ପରେ ନବମ ଦିବସ ରାତିସାରା ଲାଞ୍ଜିଗଡ ସହରର ସମସ୍ତ ଘରକୁ ଯାଇ ଝୁଣା, ପଣାପାଣି, ଗଜାମୁଆ ଇତ୍ୟାଦି ଭୋଗ ଗ୍ରହଣ କରିଥିଲେ। ଶୁକ୍ରବାର ଉଦଯାପନୀ ଦିବସରେ ମା’ଙ୍କ ସେବକ ପୂଜାରୀପଡ଼ାରୁ ଏକ ବିରାଟ ପଟୁଆରରେ ମା’ଙ୍କୁ ମନ୍ଦିରକୁ ଆଣିଥିଲେ। ଘଣ୍ଟ, ଶଙ୍ଖ, ଖୋଳତାଳ ବାଦ୍ୟରେ ମା’ଙ୍କୁ ସ୍ୱାଗତ କରି ଚିତା ଆଙ୍କି ନିଜ ଦ୍ବାରା ସାମ୍ନାରେ ଭୋଗ ଅର୍ପଣ କରିଥିଲେ ପୂଜାରୀପଡାବାସୀ।

ଯେଉଁମାନେ ମାନସିକ କରିଥିଲେ ସେମାନେ କୁକୁଡ଼ା, ପାରା ବଳି ମଧ୍ୟ ଦେଇଥିବାର ଦେଖିବାକୁ ମିଳିଥିଲା। ପରେ ଭକ୍ତମାନଙ୍କ ପିଠିରେ ଚଢି ନିଜ ଆସ୍ଥାନରେ ବିରାଜମାନ କରିଥିଲେ ମା’ ଠାକୁରାଣୀ। ମା’ ପିଠି ଉପରେ ଚଢି ଆସିଲେ ବିଭିନ୍ନ ରୋଗ ଶୋକ ଦୂର ହେବା ସହ ଜୀବନ ଶାନ୍ତିମୟ ହୋଇଥାଏ ବୋଲି ବିଶ୍ୱାସ ରହିଛି। ମନ୍ଦିରକୁ ଆସିବା ପରେ ଗ୍ରାମର ସମସ୍ତଙ୍କ ଘରୁ ଶସ୍ୟ ସଂଗ୍ରହ କରାଯାଇଥିଲା। ସେହି ଶସ୍ୟକୁ ମା’ଙ୍କ ପାଖରେ ପୂଜାର୍ଚ୍ଚନା କଲା ପରେ ଭକ୍ତମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା। ସେହି ଶସ୍ୟକୁ ରଖି ଅକ୍ଷୟ ତୃତୀୟାରେ ବାହାର କରି ଜମିରେ ଦେଲେ ଭଲ ଅମଳ ହୁଏ ବୋଲି ମଧ୍ୟ ବିଶ୍ୱାସ ରହିଛି। ୯ ଦିନ ଧରି ଏହି ଘଣ୍ଟଯାତ୍ରା ମହା ଆଡମ୍ବର ସହିତ ପାଳନ ହୋଇଥିବାବେଳେ ମନ୍ଦିରକୁ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଥିଲା। ଭକ୍ତଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଯାତ୍ରାକୁ ଶାନ୍ତିଶୃଙ୍ଖଳା ସହିତ ପାଳନ କରିବା ପାଇଁ ମା’ ଠାକୁରାଣୀ ପୂଜା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।

Comments are closed.